Strong winds: ମାଡ଼ି ଆସୁଛି ପ୍ରବଳ ଝଡ଼ପବନ: ଗଞ୍ଜାମ‌ରେ ବଡ଼ ବର୍ଷା ସମ୍ଭାବନା, ବଦଳିଗଲାଣି ଉପକୂଳ ପାଗର ମିଜାଜ୍‌

Sep 22, 2026 - 04:08
Strong winds: ମାଡ଼ି ଆସୁଛି ପ୍ରବଳ ଝଡ଼ପବନ: ଗଞ୍ଜାମ‌ରେ ବଡ଼ ବର୍ଷା ସମ୍ଭାବନା, ବଦଳିଗଲାଣି ଉପକୂଳ ପାଗର ମିଜାଜ୍‌

"ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ଓ ପାର୍ଶ୍ୱବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଆଜି ଅବପାତରେ ପରିଣତ ହୋଇଛି।

ରାତି ୯ଟା ସୁଦ୍ଧା ଏହା ପୁରୀର ଦକ୍ଷିଣପୂର୍ବ ଓ ଗୋପାଳପୁରର ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୩୧୦ କିମି ଏବଂ ଆନ୍ଧ୍ରପ୍ରଦେଶର କଳିଙ୍ଗପାଟନମ୍‌ର ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୩୯୦ କିମି ଓ ବିଶାଖାପାଟଣାର ପୂର୍ବକୁ ୪୭୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି।

ଆଗାମୀ ୨୪ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଗଭୀର ଅବପାତରେ ପରିଣତ ହେବ।

ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ିବା ସହ ସେପ୍ଟେମ୍ବର ୨୩ ତାରିଖ ରାତି କିମ୍ବା ୨୪ ତାରିଖ ଭୋର ସୁଦ୍ଧା ଗୋପାଳପୁର ଓ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗରେ ପ୍ରବେଶ କରିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସ୍ଥଳଭାଗକୁ ପ୍ରବେଶ କରିବା ସମୟରେ ଏହା ଗଭୀର ଅବପାତ ଭାବେ ରହିଥିବ।

ଉପକୂଳରେ ଘଣ୍ଟାପ୍ରତି ୫୫ରୁ ୬୫ କିମି ବେଗରେ ପବନ ସହ ଲହଡ଼ି ୪ ମିଟର ପର୍ଯ୍ୟନ୍ତ ଆଗକୁ ମାଡ଼ି ଆସିପାରେ।

Advertisment RMC ନିର୍ବାଚନ ପାଇଁ ଅଙ୍କକଷା; ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ପ୍ରଭାବରେ ଉପକୂଳ ଓଡ଼ିଶାର ପାଗର ମିଜାଜ୍‌ ପରିବର୍ତ୍ତନ ହୋଇଛି।

ମେଘାଚ୍ଛନ୍ନ ଆକାଶ ସହ ତୁହାକୁ ତୁହା ବର୍ଷା ଆରମ୍ଭ ହୋଇଛି।

ମଙ୍ଗଳବାର କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ବୃଦ୍ଧି ପାଇ ଘଣ୍ଟାପ୍ରତି ୫୦ରୁ ୬୦ କିମି(ସର୍ବାଧିକ ୭୦ କିମି) ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ୪୦ରୁ ୫୦ କିମି(ସର୍ବାଧିକ ୬୦ କିମି) ରହିବ।

୨୩ ତାରିଖରେ ପବନର ବେଗ ଆହୁରି ବୃଦ୍ଧି ପାଇ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୫୫ରୁ ୬୫(ସର୍ବାଧିକ ୭୫ କିମି) ହୋଇପାରେ।

୨୪ ତାରିଖରେ ଉତ୍ତର ଓ ଦକ୍ଷିଣ ବଙ୍ଗୋପସାଗରର ସଂଲଗ୍ନ ଅଞ୍ଚଳରେ ପବନର ବେଗ ବୃଦ୍ଧି ପାଇ ଘଣ୍ଟାପ୍ରତି ୫୦ରୁ ୬୦ କିମି ରହିବ।

ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ଅଞ୍ଚଳରେ ମଙ୍ଗଳବାର ସକାଳଠାରୁ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ଝଡ଼ପବନ ହୋଇପାରେ।

ସେପ୍ଟେମ୍ବର ୨୩ ଭୋରରୁ ୨୪ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଏହା ବୃଦ୍ଧି ପାଇ ଘଣ୍ଟାପ୍ରତି ୫୫ରୁ ୬୫ କିମି  ବେଗରେ ବହିବ ଏବଂ ପରେ କ୍ରମଶଃ ହ୍ରାସ ପାଇବ।

୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର ଅଶାନ୍ତରୁ ଅତିଅଶାନ୍ତ ରହିବ।

ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

Weather Alert: ଓଡ଼ିଶା ସମେତ ୧୫ଟି ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ୨୩ରୁ ୨୪ ତାରିଖ ପାଇଁ ଓଡ଼ିଶାକୁ ରେଡ୍‌ ୱାର୍ଣ୍ଣିଂ ଦିଆଯାଇଛି।

୨୩ ତାରିଖରେ କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ଏବଂ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନର ସମ୍ଭାବନା ରହିଛି।

ଏହି ସମୟରେ ଜଗତ୍‌ସିଂହପୁର, କଟକ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, ପୁରୀ, ଖୋରଧା, ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା‌ ସହ ୪୦ରୁ ୫୦ କିମି ବେଗରେ ପବନ ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।

୨୪ ତାରିଖରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ଏବଂ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ହୋଇପାରେ।

ଅନ୍ୟପକ୍ଷରେ ଅବପାତ ବଳ ଗୋଟାଇପାରୁ ନାହିଁ।

ତେଣୁ ଉପକୂଳରେ ପହଞ୍ଚିଲା ବେଳକୁ ୨୩ ତାରିଖ ରାତି କିମ୍ବା ୨୪ ତାରିଖ ଭୋର ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର  ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି।

ତେବେ ୨୨ ତାରିଖଠାରୁ ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ପରିମାଣ ବଢ଼ିବ।

୨୨ ତାରିଖ ରାତିରୁ ଉପକୂଳ ଓଡ଼ିଶାରେ ଅତିପ୍ରବଳ ବର୍ଷା ହୋଇପାରେ।

୨୩ ଓ ୨୪ ତାରିଖରେ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷାର ପ୍ରଭାବ ରହିବ। ‌ତେଣୁ ଫସଲ ବହୁ ପରିମାଣରେ ପ୍ରଭାବିତ ହୋଇପାରେ ବୋଲି ସେ କହିଛନ୍ତି।

ଛତ୍ରପୁର/ଘୁ.ଉଦୟଗିରି: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଭୀଷଣ ବର୍ଷା ସମ୍ଭାବନା ରହିଛି।

ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ‌ହୋଇଛି।

ଅପରାହ୍‌ଣରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଭାସୀରେ ଅନୁଷ୍ଠିତ ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ପ୍ରସ୍ତୁତି ଓ ପରିସ୍ଥିତି ସମ୍ପର୍କରେ ଅବଗତ କରିଥିଲେ।

ସମ୍ଭାବ୍ୟ ପ୍ରବଳ ବର୍ଷା ଓ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୨୩ ତାରିଖରୁ ୨୪ ତାରିଖ ସକାଳ ପର୍ଯ୍ୟନ୍ତ ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଯାତାୟାତ ବନ୍ଦ ରହିବ।

କନ୍ଧମାଳ ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ଏହି ପଦକ୍ଷେପ ନିଆଯାଇଛି।

ଏହି ସମୟରେ ଯାତ୍ରୀ ଓ ଯାନବାହନ ଚାଳକମାନେ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ଜିଲ୍ଲାପାଳ ଶ୍ରୀ ଭାସନ ପରାମର୍ଶ ଦେଇଛନ୍ତି।

କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣଙ୍କ ସୂଚନା ଅନୁସାରେ ଆସନ୍ତା ୨୩ ଓ ୨୪ରେ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ରେଡ୍‌ଆଲର୍ଟ ଜାରି କରିଛି।

ପ୍ରବଳ ବର୍ଷା ହେଲେ ପାହାଡ଼ ଉପରୁ ଏବଂ ଭୂସ୍ଖଳନସ୍ଥଳରୁ ବଡ଼ ପଥର କିମ୍ବା ମାଟିଅତଡ଼ା ଖସିବା ଆଶଙ୍କା ରହିଛି।

ଏଣୁ ଦୁଇଦିନ ଘାଟି ବନ୍ଦ ରହିବ।

ସେହିପରି ପାଣିପାଗ ବିଭାଗର ପ୍ରାକ୍‌ ଆକଳନ ଅନୁଯାୟୀ ୨୩ ତାରିଖରେ ଗଞ୍ଜାମରେ ପ୍ରବଳ ବର୍ଷା, ୨୨ ଓ ୨୪ ତାରିଖରେ ଲଗାଣ ବର୍ଷା ହୋଇପାରେ।

ଏଥିସହ ୪୦ରୁ ୫୦ କି.ମି.

ବେଗରେ ପବନ ବହିପାରେ।

ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।

ତହସିଲଦାରମାନଙ୍କୁ ଏହାର ତଦାରଖ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Weather: ବୁଡ଼ିଲା ପୋଟେରୁ ଓ କନ୍ୟାଶ୍ରମ ପୋଲ: ତଳିଆ ଅଞ୍ଚଳ ଜଳମଗ୍ନ ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାର ୧୧୦ଟି ବାତ୍ୟା ଆଶ୍ରୟସ୍ଥଳୀ ସହ ୧ ହଜାରରୁ ଅଧିକ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି।

ଭଞ୍ଜନଗର, ଚିକିଟି-ପାତ୍ରପୁର ଅଞ୍ଚଳରେ ୨ଟି ସ୍ୱତନ୍ତ୍ର ଓଡ୍ରାଫ୍‌ ଦଳ ନିୟୋଜିତ ରହିବେ।

ଗର୍ଭବତୀଙ୍କୁ ଆବଶ୍ୟକତା ଅନୁଯାୟୀ ସୁରକ୍ଷିତ ପ୍ରସବ କେନ୍ଦ୍ରକୁ ସ୍ଥାନାନ୍ତରଣ ଏବଂ ପର୍ଯ୍ୟାପ୍ତ ଔଷଧ ମହଜୁଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲାର ସମସ୍ତ ବିଭାଗ ଓ ଅଧିକାରୀଙ୍କୁ ସଜାଗ ରଖାଯାଇଛି।

ଜରୁରିକାଳୀନ ଅପରେସନ୍‌ ସେଣ୍ଟର ସମେତ ସମସ୍ତ ତହସିଲ, ବ୍ଲକ୍‌ ଓ ସହରାଞ୍ଚଳରେ ୨୪ ଘଣ୍ଟିଆ ନିୟନ୍ତ୍ରଣକକ୍ଷ ଚାଲିବ।

ଆବଶ୍ୟକ ନଥିଲେ ଜନସାଧାରଣଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।

ସେହିପରି ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

ହେଡ୍‌କ୍ବାର୍ଟର ନ ଛାଡ଼ିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲା ବେଳେ ଛୁଟିରେ ଥିବା ଅଧିକାରୀଙ୍କୁ ଅବିଳମ୍ବେ କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି।

ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ଗୋପାଳପୁର ବେଳାଭୂମି ସମେତ ବିଭିନ୍ନ ଆଶ୍ରୟସ୍ଥଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।