Student Election Campaigns Intensify Across Odisha: ଆଠ ବର୍ଷ ପରେ କ୍ୟାମ୍ପସକୁ ଫେରିଲା ନିର୍ବାଚନ, ନାମାଙ୍କନ ପରେ ପ୍ରଚାର ଜୋରଦାର

Oct 09, 2026 - 19:56
Student Election Campaigns Intensify Across Odisha: ଆଠ ବର୍ଷ ପରେ କ୍ୟାମ୍ପସକୁ ଫେରିଲା ନିର୍ବାଚନ, ନାମାଙ୍କନ ପରେ ପ୍ରଚାର ଜୋରଦାର

କ୍ୟାମ୍ପସରେ ଛାତ୍ରନେତାଙ୍କ ରଣହୁଙ୍କାର। ବିଜୟ ଆଶାରେ ନିଜ ସପକ୍ଷରେ ବିଦ୍ୟାର୍ଥୀଙ୍କ ନାରାବାଜୀ। କେଉଁଠି ବାଜା ବାଣ ତ ଆଉ କେଉଁଠି ପାରମ୍ପରିକ ବାଦ୍ୟ ଗୀତ ଆଉ କିଏ ସାଙ୍ଗସାଥୀ ଓ ସମର୍ଥକଙ୍କ ମେଳରେ କରିଛି ବିଶାଳ ଶୋଭାଯାତ୍ରା। ଛାତ୍ର ସଂସଦ ନିର୍ବାଚନର ଆଉ ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟରେ ଆଜି ଏମିତି ହୋଇଛି ନାମାଙ୍କନ ଦାଖଲ। ଇଏ ରାଜଧାନୀର ଉତ୍କଳ ବିଶ୍ବବିଦ୍ୟାଳୟର ଦୃଶ୍ୟ। ୩ ପ୍ରମୁଖ ଛାତ୍ର ସଂଗଠନର ଆଶାୟୀ ଛାତ୍ରନେତାମାନେ ଆଜି ଏମିତି ପାଟ ପଟୁଆରରେ ଆସି ଦାଖଲ କରିଥିଲେ ନାମାଙ୍କନ। ଏ ଚିତ୍ର କଟକ ରେଭେନ୍ସା ବିଶ୍ବବିଦ୍ୟାଳୟର। ଏଠିବି ଆଜି ନାମାଙ୍କନ ଦାଖଲ ପାଇଁ ପିଲାଙ୍କ ଭିତରେ ଥିଲା ଅସମ୍ଭବ ଆଗ୍ରହ। ସେହିଭଳି କଟକ ସହରରେ ଥିବା ଅନ୍ୟ କଲେଜ୍ଗୁଡ଼ିକରେ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ ଲାଗି ସକାଳର ପରିବେଶ ଥିଲା କିଛି ଅଲଗା। ରଙ୍ଗାରଙ୍ଗ ଆୟୋଜନ, ତା ସାଙ୍ଗକୁ ସମର୍ଥକଙ୍କୁ ଯୋଗାଡ଼ କରି ଏମିତି ଶୋଭାଯାତ୍ରାରେ ଯାଇଥିଲେ ପିଲା।ରାଜଧାନୀ ବିଜେବି କଲେଜର ପରିବେଶ ବି ବେଶ୍ ସରଗରମ୍ ରହିଥିଲା। ଏପଟେ ରମାଦେବୀ ବିଶ୍ବବିଦ୍ୟାଳୟରେ ବି କମ୍ପୁଥିଲା ମାହୋଲ। ସବୁ ଛାତ୍ର ସଂଗଠନର ଛାମୁଆ ଛାତ୍ରନେତ୍ରୀମାନେ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଯାଇ ନାମାଙ୍କନପତ୍ର ଦାଖଲ କରିଥିଲେ।

ଦୀର୍ଘ ୮ ବର୍ଷ ପରେ ଏ ବର୍ଷ କ୍ୟାମ୍ପସକୁ ଫେରିଛି ଇଲେକ୍ସନ। ସେଥିପାଇଁ ରାଜ୍ୟର ୧୩ଟି ବିଶ୍ବବିଦ୍ୟାଳୟ ଆଉ ୩୨୮ଟି କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପିଲାଙ୍କ ଭିତରେ ପ୍ରବଳ ଉତ୍ସାହ ଓ ଆଗ୍ରାହ। ତା ସହ ଆଶାୟୀ ଛାତ୍ରନେତାଙ୍କ ଏଜେଣ୍ଡାରେ ପୁଳା ପୁଳା ପ୍ରସଙ୍ଗ। ଏଥର ନିର୍ବାଚନରେ କିଏ ଖାଲିଥିବା ଅଧ୍ୟାପକ ପଦବୀ ପୂରଣକୁ ପ୍ରସଙ୍ଗ କରିଛି ତ ଆଉ କିଏ ହଷ୍ଟେଲ ଓ ଲାଇବ୍ରେରୀ ସୁବିଧାକୁ କରିଛି ଏଜେଣ୍ଡା। ସେହିଭଳି ପିଲାଙ୍କ ମୌଳିକ ସୁବିଧା-ସୁଯୋଗ ଯୋଗାଇ ଦେବାକୁ ଅନେକ ଆଶାୟୀ ଛାତ୍ରନେତା ପଣ କରି ଏଥର ମୈଦାନକୁ ଓହ୍ଲାଇଛନ୍ତି। ତେଣୁ ସବୁ ସଂଗଠନ ମଧ୍ୟରେ ଏଥର ଟକ୍କର ଅଲଗା ପ୍ରକାର ହେବ ବୋଲି ଆଶା ରଖିଛନ୍ତି ସବୁ ସଂଗଠନର ଛାତ୍ରନେତା।

ଏପଟେ ନାମାଙ୍କନ ଦାଖଲର ଗରମା ଗରମ ସ୍ଥିତିରେ ରାଜ୍ୟର କିଛି କ୍ୟାଂପସରୁ ଆସିଛି ଗଣ୍ଡଗୋଳ ଓ ଅଶାନ୍ତ ବାତାବରଣର ଚିତ୍ର। ଜଗତସିଂହପୁର ଏସଭିଏମ୍ କଲେଜ ଗେଟ ସାମ୍ନାରେ ଦୁଇ ଅଣଛାତ୍ର ଗୋଷ୍ଠି ମଧ୍ୟରେ ଧସ୍ତାଧସ୍ତି ପରେ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ସେପଟେ ଭଦ୍ରକ  ଭଣ୍ଡାରୀପୋଖରୀର ନାଆମୀ କଲେଜରେ ନିର୍ବାଚନ ବାତିଲ୍ ପରେ ଉତ୍ତେଜନା ଦୃଷ୍ଟିରୁ କଲେଜ କର୍ତ୍ତୃପକ୍ଷ କ୍ୟାମ୍ପସରେ ସାଇନ୍-ଏ-ଡାଏ ଘୋଷଣା କରିଛନ୍ତି।

ଏପଟେ ବାଲେଶ୍ୱର ଜଳେଶ୍ୱର RIHS କଲେଜରେ ନାମାଙ୍କନ ଦାଖଲକୁ ସୃଷ୍ଟି ହୋଇଛି ଉତ୍ତେଜନା। ନାମାଙ୍କନ ଦାଖଲ ସମୟ ସରିବା ପରେ କିଛି ଛାତ୍ର କଲେଜ ଭିତରକୁ ପ୍ରବେଶ ଉଦ୍ୟମ କରିବାକୁ ଏହାକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ସେହିଭଳି କେନ୍ଦ୍ରାପଡ଼ାରେ ତୁଳସୀ ଓମେନ୍ସ କଲେଜରେ ନିର୍ବାଚନୀ ଗଣ୍ଡଗୋଳରୁ ପ୍ରଶାସନକୁ ପୋଲିସ ମୁତୟନ କରିବାକୁ ପଡିଛି। ତେଣେ ବଲାଙ୍ଗିର ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ଟିଟିଲାଗଡ଼ ଡିଏଭି ସ୍ୱୟଂଶାସିତ କଲେଜର ଛାତ୍ର ସଂଘ ଛାତ୍ର ସଂସଦ ନିର୍ବାଚନକୁ ବର୍ଜନ କରିଛି।

ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟାରେ ଆସନ୍ତାକାଲି ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାରର ସମୟ ରହିଛି। ଆସନ୍ତାକାଲି ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।