17 OCTOBER 2026

Welcome!

Unlock your personalized experience.
Sign Up

Student union elections: ଛାତ୍ର ସଂସଦ ନିର୍ବାଚନରେ ସଙ୍ଗଠନଙ୍କ ଦାବି: ଏବିଭିପି- ୮୧%, ବିସିଜେଡି-୬୦%, ଛାତ୍ର କଂଗ୍ରେସ-୧୦%

Oct 17, 2026 - 03:10
Student union elections: ଛାତ୍ର ସଂସଦ ନିର୍ବାଚନରେ ସଙ୍ଗଠନଙ୍କ ଦାବି: ଏବିଭିପି- ୮୧%, ବିସିଜେଡି-୬୦%, ଛାତ୍ର କଂଗ୍ରେସ-୧୦%
ଭୁବନେଶ୍ବର: ଦୀର୍ଘ ୮ ବର୍ଷ ପରେ ଅନୁଷ୍ଠିତ ଛାତ୍ରସଂସଦ ନିର୍ବାଚନ ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଛି। ଅନେକ ‌ହେଭିୱେଟ୍‌ ନେତା ନିଜ ଅଞ୍ଚଳରେ ଚିତ୍‌ପଟାଙ୍ଗ ମାରିଛନ୍ତି। ବିଭିନ୍ନ ସ୍ଥାନରେ ବଡ଼ବଡ଼ ନେତାଙ୍କ ପାଇଁ ଏହା ସତର୍କ ଘଣ୍ଟି ସଦୃଶ ହୋଇଛି। ଲଢ଼େଇ କେବଳ କ୍ୟାମ୍ପସ୍‌ କିମ୍ବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ହେଉନଥିଲା,ବରଂ ବିଧାନସଭା ନିର୍ବାଚନମଣ୍ଡଳୀର ଶାସକ ଓ ବିରୋଧୀ ନେତାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲିଥିଲା। ଉପରକୁ ଛାତ୍ର ସଙ୍ଗଠନଙ୍କ ମଧ୍ୟରେ ଲଢ଼େଇ ହେଉଥିବା କୁହାଯାଉଥିଲେ ମଧ୍ୟ ବାସ୍ତବରେ ତିନି ପ୍ରମୁଖ ରାଜନୈତିକ ଦଳର ନେତାମାନେ ମଇଦାନରେ ଅବତୀର୍ଣ୍ଣ ହୋଇଥିଲେ। କିଏ ପଛରେ ରହି ଗୋଟି ଚାଳନା କରିଥିଲେ ତ ଆଉ କିଏ ସାମନାକୁ ଆସିଥିଲେ। ନିର୍ବାଚନ ଫଳାଫଳ ଆସିବା ପରେ ଏବେ ଉଭୟ ଶାସକ ଓ ବିରୋଧୀ ନେତାଙ୍କ ପାଇଁ ଅନେକ ଆହ୍ବାନ ସୃଷ୍ଟି ହୋଇଛି। ସେପଟେ ଫଳାଫଳକୁ ନେଇ ତିନିଟି ଯାକ ଛାତ୍ର ସଙ୍ଗଠନ ଆଜି ସେମାନଙ୍କ ତଥ୍ୟ ରଖିଛନ୍ତି। ଏବିଭିପି ୮୧% କ୍ୟାମ୍ପସ୍‌ ଅକ୍ତିଆର କରିଥିବା ରାଜ୍ୟସ୍ତରୀୟ ନେତାମାନେ ଦାବି କରୁଥିବା ବେଳେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ୬୦% କ୍ୟାମ୍ପସ୍‌ରେ ବିଜୟ ହୋଇଥିବା କହିଛି। ଛାତ୍ର କଂଗ୍ରେସ ବି ପଛରେ ପଡ଼ି ନାହିଁ। ସେମାନେ ୧୦% କ୍ୟାମ୍ପସ୍‌ରେ ବିଜୟ ହାସଲ କରିଥିବା କହିଛନ୍ତି।
ଏବିଭିପି ଓଡ଼ିଶା ପୂର୍ବ ପ୍ରାନ୍ତ ରାଜ୍ୟ ସମ୍ପାଦକ ଦୀପ୍ତିମୟୀ ପ୍ରତିହାରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ୮୧%ରୁ ଅଧିକ କ୍ୟାମ୍ପସ୍‌ରେ ଏବିଭିପି ବିଜୟ ହୋଇଛି, ଯାହାକି ଯୁବପିଢ଼ିଙ୍କର ଏବିଭିପି ପ୍ରତି ସମର୍ଥନକୁ ପ୍ରମାଣ କରୁଛି। ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ସରିଥିବାରୁ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛୁ। ଛାତ୍ର ନେତୃତ୍ବଙ୍କର ଭ୍ରୂଣ ପୁଣିଥରେ ଜନ୍ମ ନେଇଛି। ୧୩ଟି ବିଶ୍ବବିଦ୍ୟାଳୟ ମଧ୍ୟରୁ ୮ଟିରେ ସମ୍ପୂର୍ଣ୍ଣ ବିଜୟ ପାଇଛି। ୮ଟି ବିଶ୍ବବିଦ୍ୟାଳୟରେ ସଭାପତି ଓ ଉପସଭାପତି ବିଜୟୀ ହୋଇଥିବା ବେଳେ ୧୦ଟିରେ ସାଧାରଣ ସମ୍ପାଦକ, ୧୧ଟିରେ ଯୁଗ୍ମ ସାଧାରଣ ସମ୍ପାଦକ ପଦବିରେ ବିଜୟ ହୋଇଛି। ରମାଦେବୀରେ ଯେଉଁଭଳି ଭାବେ ଡ୍ରାମା ଦେଖିବାକୁ ମିଳିଲା ତାହା ଆଦୌ ଗ୍ରହଣୀୟ ନୁହେଁ। ଫକୀରମୋହନ ଓ ରେଭେନ୍ସାରେ ସଭାପତି ବ୍ୟତୀତ ଅନ୍ୟ ପଦବିରେ ଏବିଭିପି ଜିତିଛି। ଓଡ଼ିଶାର ଜେନ୍‌-ଜି ବିଦ୍ୟାର୍ଥୀ ପରିଷଦ ସହ ରହିଛନ୍ତି। ବିଶୃଙ୍ଖଳା କରି କ୍ୟାମ୍ପସ୍‌ ହାତେଇବାକୁ ବିରୋଧୀ ସଙ୍ଗଠନ ଚେଷ୍ଟା କରିଥିଲେ। କିନ୍ତୁ ତାହା ସଫଳ ହୋଇନାହିଁ। 
କାହା ସପକ୍ଷରେ ଗଲେ ଓଡ଼ିଶାର ଜେନ୍‌-ଜି?
ନିଜ ଗଡ଼ରେ ହେଭିୱେଟ୍‌ ଚିତ୍‌ପଟାଙ୍ଗ
ପଞ୍ଚାୟତ ନିର୍ବାଚନ ଉପରେ ପଡ଼ିବ କି ପ୍ରଭାବ
ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍‌ସିତା ସାହୁ, ଗଣମାଧ୍ୟମ ସଂଯୋଜକ ଲେନିନ୍‌ ମହାନ୍ତି ଓ ବିଜୁ ଛାତ୍ର ଜନତା ଦଳର ବରିଷ୍ଠ ଉପସଭାପତି ସୌମ୍ୟରଞ୍ଜନ ମହାପାତ୍ର ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେମାନେ କହିଛନ୍ତି, ନିର୍ବାଚନରେ ଛାତ୍ରଛାତ୍ରୀ ବିଜେଡି ପ୍ରତି ବିପୁଳ ସମର୍ଥନ ଜଣାଇଛନ୍ତି, ଯାହାକି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଜେନ୍‌-ଜିଙ୍କ ଭଲ ପାଇବାକୁ ପ୍ରମାଣିତ କରିଛି। ମୁଖ୍ୟମନ୍ତ୍ରୀଙ୍କୁ ରମାଦେବୀ ବିଶ୍ୱବିଦ୍ୟାଳୟ ବିଜୟ ନିହାତି ଆବଶ୍ୟକ ଥିଲା, କିନ୍ତୁ ଜେନ୍‌-ଜି ତାହା କରାଇଦେଲେ ନାହିଁ। ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିସିଜେଡି ବଡ ବିଜୟ ହାସଲ କରିଛି। ରାଜ୍ୟର ୨୮୬ଟି କଲେଜରେ ଛାତ୍ର ସଂସଦ ନିର୍ବାଚନ ହୋଇଥିବା ବେଳେ ୧୭୦ କଲେଜ ଅର୍ଥାତ୍‌ ୬୦% କ୍ୟାମ୍ପସ୍‌ରେ ବିଜେଡି ବିଜୟ ଲାଭ କରିଛି। ନିର୍ବାଚନରେ ବିଜେଡି ପ୍ରତି ଛାତ୍ରଛାତ୍ରୀଙ୍କ ବିପୁଳ ସମର୍ଥନକୁ ବିଜେପି ସହଜରେ ଗ୍ରହଣ କରିପାରୁନାହିଁ। ସେମାନେ ୮୦% କଲେଜରେ ବିଜୟ ହୋଇଛି ବୋଲି ମିଛ ପ୍ରଚାର କରୁଛନ୍ତି। ନିର୍ବାଚନରେ ସରକାରୀ କଳ ଓ ବଳ ଲଗାଇ ଦେଇଥିଲେ ମଧ୍ୟ ବିଜେପି ଜିତିବାରେ ସଫଳ ହୋଇନାହିଁ। 
ଅନ୍ୟପକ୍ଷରେ ଛାତ୍ରସଂସଦ ନିର୍ବାଚନରେ ଭୋଟ ଚୋରି ହୋଇଥିବା ଅଭିଯୋଗ ଆଣିଛି ଛାତ୍ର କଂଗ୍ରେସ। ସାମ୍ବାଦିକ ସମ୍ମିଳନୀରେ ସଙ୍ଗଠନର ରାଜ୍ୟ ସଭାପତି ବିଭୂତି ଭୂଷଣ ମହାପାତ୍ର କହିଥିଲେ ଯେ ଶାସକ ଦଳର ବିଧାୟକ ଓ ମନ୍ତ୍ରୀମାନେ ନିର୍ବାଚନ ଫଳାଫଳକୁ ନିଜ ସପକ୍ଷରେ ନେବା ପାଇଁ ବିଭିନ୍ନ କୌଶଳ ଆପଣାଇଥିଲେ। ୨୦୨ଟି କଲେଜରେ ଚୟନ କରାଗଲା। ଯେଉଁ କଲେଜରେ ଛାତ୍ର କଂଗ୍ରେସ ପ୍ରାର୍ଥୀ ଜିତିବାର ଅଧିକ ସମ୍ଭାବନା ଥିଲା ସେଠାରେ ନିର୍ବାଚନକୁ ବାତିଲ କରାଗଲା। ତା’ସତ୍ତ୍ବେ ୩୦ରୁ ଅଧିକ ମହାବିଦ୍ୟାଳୟରେ ଛାତ୍ର କଂଗ୍ରେସ ବିଜୟ ବାନା ଉଡ଼ାଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାରେ ଛାତ୍ର କଂଗ୍ରେସ ପ୍ରାର୍ଥୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ତେବେ ଏହି ଅବୈଧ ନିର୍ବାଚନ ପାଇଁ ଯେଉଁମାନେ ହିଂସାକାଣ୍ଡ କରିଛନ୍ତି ତାହାକୁ ନିନ୍ଦା କରୁଛୁ। ଆଗାମୀ ବର୍ଷଗୁଡ଼ିକରେ ନିର୍ବାଚନ ଯେପରି ଶୃଙ୍ଖଳିତ ହେବ ସେଥିପାଇଁ ସରକାର ପ୍ରସ୍ତୁତ କରନ୍ତୁ ବୋଲି ସେ କହିଥିଲେ। ମନୋଜ ବିଶ୍ୱାଳ କହିଲେ, ନିର୍ବାଚନରେ ବିଜେପି ସରକାର ସବୁ ନିୟମକୁ ଜଳାଞ୍ଜଳି ଦେଇ ଭୋଟ ଚୋରି କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟରେ ଶାସନ କଳର ଅପବ୍ୟବହାର ପରେ ବି ଛାତ୍ର କଂଗ୍ରେସ ଭଲ ପ୍ରଦର୍ଶନ କରିଛି। ହିମାଂଶୁ ଲେଙ୍କା କହିଲେ, ନିର୍ବାଚନରେ ଲିଙ୍ଗଡୋ କମିସନଙ୍କ ନିର୍ଦ୍ଦେଶାବଳୀକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ଆଗାମୀ ଦିନରେ ଛାତ୍ରଛାତ୍ରୀ ଏହାର ଜବାବ ଦେବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।