Subhadra Money for Education: ସୁଭଦ୍ରା ଟଙ୍କାରେ ପାଠପଢ଼ି ନିଟ୍ ପାସ୍; ଏବେ ଡାକ୍ତର ହେବେ ଗରିବ ଘରର ସୁନା ଝିଅ
ସୁଭଦ୍ରା ଟଙ୍କାରେ ପାଠ ପଢ଼ି ଝିଅ ପାଇଲା ନିଟ୍। ଅଭାବୀ ପରିବାରର ସୁନା ଝିଅ ବନିବେ ଡାକ୍ତର। ବାପା-ମାଆଙ୍କ ସଂଘର୍ଷ ଶୁଣିଲେ ଅଟକିବନି ଲୁହ। ଅଭାବୀ ପରିବାରରେ ଜନ୍ମ ହୋଇଥିଲେ ବି ସ୍ୱପ୍ନ ଥିଲା ବଡ଼। ପରିବାରର ଗରିବୀ ଦୂରେଇବାକୁ ସିଏ ନେଇଥିଲା ପଣ। କରିଚାଲିଥିଲା ସଂଘର୍ଷ ମାନି ନଥିଲା ହାର୍। ଆଉ ଆଜି ସଫଳତା ତା ପାଦ ଛୁଇଁଲା। କନ୍ଧମାଳ ଦାରିଙ୍ଗବାଡ଼ି ବ୍ଲକ୍ ସିପୁବାଡ଼ି ଗାଁର ରାଜଶ୍ରୀ ପ୍ରଧାନଙ୍କ ଏ ହେଉଛି କାହାଣୀ।
ମାଆଙ୍କ ପାଖରେ ବସି ଖଲି ସିଲେଇ କରୁଥିବା ଝିଅ ଆଜି ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ୍ରେ MBBS ପ୍ରଥମ ବର୍ଷର ଛାତ୍ରୀ। ଗରିବ ପରିବାରରେ ଜନ୍ମ ନେଇଥିଲେ ବି ସ୍ୱପ୍ନ ଥିଲା ଡାକ୍ତର ହେବା। ଯେଉଁଥିପାଇଁ ସେ କରିଚାଲିଥିଲେ କଠିନ ପରିଶ୍ରମ। ଆଉ ଚଳିତ ବର୍ଷ ପ୍ରଥମ ପ୍ରଚେଷ୍ଟାରେ ନିଟ୍ ପାସ୍ କରିଛନ୍ତି ରାଜଶ୍ରୀ। ବିନା କୋଚିଂରେ ନିଜ ପରିଶ୍ରମରେ ସଫଳତା ପାଇଛନ୍ତି।
ଝିଅର ଏହି ସଫଳତା ପଛରେ ରହିଛି ବାପା-ମାଆଙ୍କ ଅସରନ୍ତି ସଂଘର୍ଷ। ଝିଅର ପାଠପଢ଼ା ପାଇଁ ମାଆ ପ୍ରେମଶିଳା ଦିନମଜୁରି କରିଛନ୍ତି। ସରକାରଙ୍କଠାରୁ ୩ କିସ୍ତିରେ ମିଳିଥିବା ସୁଭଦ୍ରା ଯୋଜନାର ୧୫ ହଜାର ଟଙ୍କା ମଧ୍ୟ ଝିଅ ପାଠପଢ଼ାରେ ଖର୍ଚ୍ଚ କରିଛନ୍ତି। ଅନ୍ୟପଟେ ଝିଅର ସ୍ୱପ୍ନ ପୂରଣ ପାଇଁ ବାପା ନୁରୁଙ୍ଗା କେରଳ ଯାଇ ଦାଦନ ଖଟିଛନ୍ତି। ଟଙ୍କା ପାଇଁ ପାଇଖାନା ଟାଙ୍କି ସଫା କରିବାକୁ ବି ପଛାଇନାହାନ୍ତି। ଆଜି ଝିଅ ନିଟ୍ ପାସ୍ କରି ମେଡିକାଲ କଲେଜ୍ରେ ପହଞ୍ଚିଛି। ହେଲେ ଆଗାମୀ ୫ ବର୍ଷର ପାଠପଢ଼ା ଖର୍ଚ୍ଚକୁ ନେଇ ପରିବାର ଚିନ୍ତାରେ। ତଥାପି ଝିଅକୁ ଡାକ୍ତର ଭାବେ ଦେଖିବାକୁ ପୁଣିଥରେ ଦାଦନ ଖଟିବାକୁ ପ୍ରସ୍ତୁତ ଅଛନ୍ତି ବାପା ।
ଅଭାବ ରାଜଶ୍ରୀଙ୍କ ରାସ୍ତା ଅଟକାଇ ପାରିନି। ବାପା-ମାଆଙ୍କ କଷ୍ଟ, ଝିଅର ପରିଶ୍ରମ ଆଉ ସୁଭଦ୍ରାର ସହଯୋଗ, ସବୁ ମିଶି ଆଜି ସ୍ୱପ୍ନର ପ୍ରଥମ ପାହାଚରେ ପହଞ୍ଚିଛନ୍ତି ରାଜଶ୍ରୀ। ହେଲେ ଉପାନ୍ତ ଗାଁର ଏହି ସୁନା ଝିଅର ଡାକ୍ତରୀ ସ୍ୱପ୍ନ ପୂରଣ ଲାଗି ସରକାରୀ ସାହାଯ୍ୟ ଏବେ ଜରୁରୀ ହୋଇ ପଡିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।