Sugar Turns Costlier: ଖାଉଟିଙ୍କୁ ମହଙ୍ଗା ମାଡ଼; ହୁ ହୁ ବଢୁଛି ଚିନି ଦର, କିଲୋ ପ୍ରତି ବଢ଼ିଲାଣି ପ୍ରାୟ ୨୦ ଟଙ୍କା
ଖାଉଟିଙ୍କୁ ମହଙ୍ଗା ମାଡ଼। ବଢୁଛି ଅତ୍ୟାବଶ୍ୟକ ସାମଗ୍ରୀ ଦର। ରୋଷେଇ ଘର ବଜେଟ୍ ବିଗିଡ଼ିଲା। ଏବେ ଚିନି ଦରରେ ନିଆଁ ଲାଗିଛି। ଗୋଟିଏ ପଟେ ପରିବା ଦର ସାଧାରଣ ଲୋକଙ୍କୁ ନାକେଦମ୍ କରୁଥିବା ବେଳେ ଅନ୍ୟପଟେ ଚିନିର ଅପ୍ରତ୍ୟାଶିତ ଦରବୃଦ୍ଧି ଖାଉଟିଙ୍କ ରୋଷେଇ ଘର ବଜେଟକୁ ସମ୍ପୂର୍ଣ୍ଣ ବିଗାଡ଼ି ଦେଇଛି। ଖୁଚୁରା ବଜାରରେ ଚିନି କିଲୋପ୍ରତି ଦର ବଢ଼ିଛି ପାଖାପାଖି ୨୦ ଟଙ୍କା। ପୂର୍ବରୁ କିଲୋପ୍ରତି ଦାମ୍ ୪୦ ରୁ ୪୨ ଟଙ୍କା ଥିବା ବେଳେ, ଏବେ ତାହା ଖୋଲା ବଜାରରେ କେଉଁଠି ୬୦ ତ କେଉଁଠି ୭୦ ଟଙ୍କାରେ ପହଞ୍ଚିଲାଣି।
ସକାଳର ଚା’ଠାରୁ ଆରମ୍ଭ କରି ମିଠା, ବେକେରୀ ସାମଗ୍ରୀ ଓ ବିଭିନ୍ନ ଖାଦ୍ୟ ପ୍ରସ୍ତୁତିରେ ଚିନିର ଚାହିଦା ରହିଛି। ହଠାତ୍ ଦର ବୃଦ୍ଧି ଖାଉଟିଙ୍କ ସମେତ ବ୍ୟବସାୟୀଙ୍କୁ ବି ବାଧିଲାଣି। ଚିନି ଦର ବଢ଼ିଥିବାରୁ ଆଗକୁ ମିଠା ଓ ଅନ୍ୟାନ୍ୟ ଚିନିଜାତ ଦ୍ରବ୍ୟର ଦାମ୍ ମଧ୍ୟ ବଢ଼ିବା ଆଶଙ୍କା ଦେଖାଦେଇଛି।
ସେହିପରି ଆଗକୁ ଆସୁଥିବା ପାର୍ବଣ ଋତୁରେ ଚିନିର ଚାହିଦା ବଢ଼ିପାରେ। ତେବେ କାହିଁକି ହଠାତ୍ ଦର ବୃଦ୍ଧି ? କୁହାଯାଉଛି ଦେଶର ମୁଖ୍ୟ ଆଖୁ ଉତ୍ପାଦନକାରୀ ରାଜ୍ୟଗୁଡ଼ିକରେ ବର୍ଷାର ଅନିୟମିତତା ଯୋଗୁଁ ଆଖୁ ଅମଳ ପ୍ରଭାବିତ ହୋଇଛି। ସେହିପରି ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ଚିନିର ଯୋଗାଣ ହ୍ରାସ ପାଇବା ଫଳରେ ସ୍ଥାନୀୟ ହୋଲସେଲ ବଜାରରେ ଏହାର ସିଧାସଳଖ ପ୍ରଭାବ ପଡ଼ିଛି।
କେବଳ ଚିନି ନୁହେଁ ମାସେ ଭିତରେ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବି ହୁ ହୁ ବଢୁଛି। ମାସେ ଭିତରେ ବାସୁମତୀ ଚାଉଳ ଦର କିଲୋ ପ୍ରତି ୩୦ ଟଙ୍କା ବଢ଼ିଥିବା ବେଳେ ଅରୁଆ ଚାଉଳ ୧୦ ଟଙ୍କା ମହଙ୍ଗା ହୋଇଛି। ସେହିପରି ବିଭିନ୍ନ ଡାଲିର ଦର କିଲୋ ପ୍ରତି ୫-୧୦ ଟଙ୍କା ଓ ଖାଇବା ତେଲ ଦର ବି ବଢ଼ିଛି ପାଖାପାଖି ୫ ଟଙ୍କା। ...
ଚିନି ଦର
ସହର ଥିଲା ହେଲା
ବ୍ରହ୍ମପୁର ୪୫ଟଙ୍କା ୭୦ ଟଙ୍କା
ବାଲେଶ୍ବର ୪୫ଟଙ୍କା ୬୦ ଟଙ୍କା
ରାଉରକେଲା ୫୫ଟଙ୍କା ୬୪ ଟଙ୍କା
ସମ୍ବଲପୁର ୪୫ଟଙ୍କା ୬୦ ଟଙ୍କା
ଜୟପୁର ୪୨ ଟଙ୍କା ୬୮ ଟଙ୍କା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।