Sukanya Samriddhi Vs PPF: ଝିଅର ଭବିଷ୍ୟତ ପାଇଁ କେଉଁଠି ନିବେଶ କରିବେ ? ସୁକନ୍ୟା ସମୃଦ୍ଧି ନା PPF ?

Nov 02, 2026 - 16:48
Sukanya Samriddhi Vs PPF: ଝିଅର ଭବିଷ୍ୟତ ପାଇଁ କେଉଁଠି ନିବେଶ କରିବେ ? ସୁକନ୍ୟା ସମୃଦ୍ଧି ନା PPF ?

ପିଲାଙ୍କ ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରିବାକୁ ଚାହୁଁଛନ୍ତି କି?

ଝିଅର ପାଠପଢ଼ା ହେଉ କି ବିବାହ, ଆର୍ଥିକ ଚିନ୍ତା ଦୂର କରିବାକୁ ସରକାରଙ୍କ ଦୁଇଟି ଲୋକପ୍ରିୟ ଯୋଜନା ରହିଛି।

ଗୋଟିଏ ହେଉଛି ସୁକନ୍ୟା ସମୃଦ୍ଧି ଯୋଜନା, ଅନ୍ୟଟି ହେଉଛି ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ ବା PPF।

ତେବେ କେଉଁ ଯୋଜନାରେ ମିଳିବ ଅଧିକ ଲାଭ?

ଆସନ୍ତୁ ଜାଣିବା।

Advertisment ପ୍ରଥମେ ଜାଣନ୍ତୁ ସୁକନ୍ୟା ସମୃଦ୍ଧି ଯୋଜନା କଥା।

ଏହି ଯୋଜନା କେବଳ ଝିଅମାନଙ୍କ ପାଇଁ ଉଦ୍ଦିଷ୍ଟ।

ଝିଅର ବୟସ ୧୦ ବର୍ଷରୁ କମ୍ ଥିଲେ ଅଭିଭାବକ ତାଙ୍କ ନାଁରେ ଖାତା ଖୋଲିପାରିବେ।

ବର୍ତ୍ତମାନ ଏଥିରେ ବାର୍ଷିକ ୮.୨ ପ୍ରତିଶତ ସୁଧ ମିଳୁଛି।

ଖାତା ଖୋଲିବାର ୧୫ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିହେବ ଏବଂ ଯୋଜନାର ଅବଧି ୨୧ ବର୍ଷ।

ଏହି ଟଙ୍କା ଝିଅର ଉଚ୍ଚଶିକ୍ଷା ଓ ବିବାହ ଭଳି ଆବଶ୍ୟକତାରେ କାମରେ ଆସିପାରିବ।

ଅନ୍ୟପଟେ PPF ଯୋଜନାରେ ଯେକୌଣସି ଭାରତୀୟ ନାଗରିକ ନିବେଶ କରିପାରିବେ।

ନାବାଳକଙ୍କ ନାଁରେ ମଧ୍ୟ ଖାତା ଖୋଲିହେବ।

ଏଥିରେ ବାର୍ଷିକ ୫୦୦ ଟଙ୍କାରୁ ସର୍ବାଧିକ ୧ ଲକ୍ଷ ୫୦ ହଜାର ଟଙ୍କା ଜମା କରିହେବ।

ବର୍ତ୍ତମାନ ଏଥିରେ ବାର୍ଷିକ ୭.୧ ପ୍ରତିଶତ ସୁଧ ମିଳୁଛି।

ଏହାର ଅବଧି ୧୫ ବର୍ଷ।

ଚାହିଁଲେ ପ୍ରତି ୫ ବର୍ଷର ବ୍ଲକ୍‌ରେ ଏହାକୁ ବଢ଼ାଇ ହେବ।

Advertisment ଏବେ ଦେଖିବା, ଉଭୟ ଯୋଜନାରେ ବର୍ଷକୁ ୧ ଲକ୍ଷ ଟଙ୍କା ଜମା କଲେ କେତେ ଟଙ୍କା ମିଳିବ।

ଯଦି ୫ ବର୍ଷର ଝିଅ ପାଇଁ ୨୦୨୬ରୁ ସୁକନ୍ୟା ସମୃଦ୍ଧି ଯୋଜନାରେ ବର୍ଷକୁ ୧ ଲକ୍ଷ ଟଙ୍କା ଜମା କରାଯାଏ, ତେବେ ୧୫ ବର୍ଷରେ ମୋଟ ୧୫ ଲକ୍ଷ ଟଙ୍କା ନିବେଶ ହେବ।

ଦିଆଯାଇଥିବା ହିସାବ ଅନୁସାରେ, ଏଥିରୁ ପ୍ରାୟ ୩୧.୧୮ ଲକ୍ଷ ଟଙ୍କା ସୁଧ ମିଳିବ।

୨୦୪୭ରେ ମୋଟ ମ୍ୟାଚୁରିଟି ରାଶି ହେବ ପ୍ରାୟ ୪୭.୮୮ ଲକ୍ଷ ଟଙ୍କା।

ସେହିପରି PPFରେ ବର୍ଷକୁ ୧ ଲକ୍ଷ ଟଙ୍କା ହିସାବରେ ୧୫ ବର୍ଷରେ ମୋଟ ୧୫ ଲକ୍ଷ ଟଙ୍କା ଜମା ହେବ।

୭.୧ ପ୍ରତିଶତ ସୁଧ ହାରରେ ଦିଆଯାଇଥିବା ହିସାବ ଅନୁସାରେ, ପ୍ରାୟ ୧୨.୧୨ ଲକ୍ଷ ଟଙ୍କା ସୁଧ ମିଳିବ।

ମ୍ୟାଚୁରିଟି ବେଳକୁ ମୋଟ ରାଶି ହେବ ପ୍ରାୟ ୨୭.୧୨ ଲକ୍ଷ ଟଙ୍କା।

ତେବେ ଝିଅର ଭବିଷ୍ୟତ ପାଇଁ ନିବେଶ କରିବାକୁ ଚାହୁଁଥିଲେ ସୁକନ୍ୟା ସମୃଦ୍ଧି ଯୋଜନାରେ ଅଧିକ ସୁଧ ହାର ମିଳୁଛି।

ଆଉ ଦୀର୍ଘମିଆଦୀ ସଞ୍ଚୟ ଓ ଅବସର ପରବର୍ତ୍ତୀ ଆର୍ଥିକ ଯୋଜନା ପାଇଁ PPF ଏକ ବିକଳ୍ପ।

ଉଭୟ ଯୋଜନାରେ ସରକାରୀ ସମର୍ଥନ ଓ କର ସୁବିଧା ରହିଛି।

ତେଣୁ ନିଜର ଆବଶ୍ୟକତା, ନିବେଶ ଅବଧି ଓ ଆର୍ଥିକ ଲକ୍ଷ୍ୟ ଦେଖି ଯୋଜନା ବାଛିବା ଜରୁରୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।