Sukinda chrome mines: କ୍ରୋମ୍ ପରିବହନକୁ ଭରସା ୫୦ ବର୍ଷର ସଡ଼କ
"କାଳିଆପାଣି (ରବି ନାରାୟଣ କର): ବିଶ୍ବ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ପାଇଥିବା ରତ୍ନଗର୍ଭା ସୁକିନ୍ଦାର କ୍ରୋମ୍ ଖଣିଜପଥର ପରିବହନକୁ ଭରସା ହୋଇରହିଛି ୫୦ ବର୍ଷର ସଡ଼କ ବ୍ୟବସ୍ଥା।
ଓଡ଼ିଶା ଖଣି ନିଗମ(ଓଏମ୍ସି), ଟାଟାଷ୍ଟିଲ, ଫେକର-ବେଦାନ୍ତ, ଇମ୍ଫା, ଜିନ୍ଦଲ ଷ୍ଟେନଲେସ୍ ଓ ବାଲେଶ୍ବର ଆଲଏଜ୍ କମ୍ପାନି ସମୂହର ୧୦ଟି ଯାକ କ୍ରିୟାଶୀଳ କ୍ରୋମାଇଟ୍ ଖଣିର କ୍ରୋମାଇଟ୍ ପରିବହନ ୫ ଦଶନ୍ଧିର ପୁରାତନ ଟମକା-ମଙ୍ଗଳପୁର ସଡ଼କ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ।
ହେଲେ ୨୦୦୮ ମସିହାରୁ ଏହି ସଡ଼କ ଦିନକୁ ଦିନ ବିପର୍ଯ୍ୟସ୍ତ ହେଉଥିଲେ ହେଁ ଏହାର ସ୍ବରୂପ ଓ ସାମର୍ଥ୍ୟରେ ଉନ୍ନତି ଆସିପାରୁନି।
ଗମନାଗମନ ବ୍ୟବସ୍ଥାକୁ ନେଇ ଖଣିଅଞ୍ଚଳବାସୀ ବ୍ୟତିବ୍ୟସ୍ତ ଓ ବିବ୍ରତ ହେଉଥିଲେ ହେଁ ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ବିଭିନ୍ନ ବାହାନାରେ ସମୟ ଗଡ଼ାଇ ଚାଲିଛନ୍ତି।Advertisment ୧୯୬୦ ମସିହାରେ ସମାନ୍ତରାଳ ଭାବେ ଓଏମ୍ସିର କଲରଙ୍ଗି କ୍ରୋମାଇଟ୍ ଖଣି ଓ ଟାଟାଷ୍ଟିଲ ସୁକିନ୍ଦା କ୍ରୋମାଇଟ୍ ଖଣି ଖୋଲା ଯାଇଥିଲା।
କଲରଙ୍ଗି କ୍ରୋମ୍ ବ୍ୟବସାୟର ପେଣ୍ଠସ୍ଥଳ ଥିଲା।
କଲରଙ୍ଗି ଖଣିରୁ କଲରଙ୍ଗି ଗାଁ କୁମାରଡିହ ପରେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ବରନାଳି, ଓଡ଼ିଶ, ବାରୁଆଁ ଓ ପଳାସପିଠିଆ ପରେ ଭୁବନ-କାମାକ୍ଷାନଗର ସଡ଼କର ଗୋଡ଼ାଛକ ବାଟରେ କ୍ରୋମାଇଟ୍ ପରିବହନ କରାଯାଉଥିଲା।
ଓଏମ୍ସି ପକ୍ଷରୁ କଲରଙ୍ଗି-ଗୋଡ଼ାଛକ ୧୩ କିଲୋମିଟର ବ୍ୟାପୀ ସଡ଼କର ଉନ୍ନତୀକରଣ କରାଯାଉଥିଲା।
ରତ୍ନଗର୍ଭା ରାୟଗଡ଼ାକୁ ୩୪ ଚାଲିଲା...ସ୍ବପ୍ନ ଅନେକ, ସମ୍ଭାବନା କମ୍ ସେହିପରି ଟାଟାଷ୍ଟିଲ ସୁକିନ୍ଦା କ୍ରୋମାଇଟ୍ ଖଣିରୁ ମହାଗିରି ପାହାଡ଼ ତଳ କାକୁଡ଼ିଆ, କରଡ଼ାଗାଡ଼ିଆ, ପିମ୍ପୁଡ଼ିଆ ଓ ମାଧପୁର ପରେ ସୁକିନ୍ଦା ବାଟମଙ୍ଗଳା ଛକ ବାଟରେ କ୍ରୋମ୍ ଚାଲାଣ କରାଯାଉଥିଲା।
ବର୍ଷାଦିନେ ଏହି ରାସ୍ତାରେ ଖଣିଜ ପରିବହନ ଭୀଷଣ ବାଧାପ୍ରାପ୍ତ ହେଉଥିଲା।
ସେତେବେଳେ କଲରଙ୍ଗିରୁ କାଳିଆପାଣିକୁ ସବୁଦିନିଆ ସଡ଼କ ବ୍ୟବସ୍ଥା ନଥିଲା।
୧୯୬୭ ମସିହା ଜୁଲାଇ ମାସ ୬ ତାରିଖରେ ଓଏମ୍ସି କାଳିଆପାଣି କ୍ରୋମାଇଟ୍ ଖଣି ଖନନ ଶୁଭାରମ୍ଭ ହୋଇଥିଲା ବୋଲି କହନ୍ତି ପୁରୁଖା ଶ୍ରମିକନେତା ପ୍ରବୋଧ ଚନ୍ଦ୍ର ରାୟ।
ଏହି ଖଣିର ସଂପ୍ରସାରଣ ଖଣିଜ ଉତ୍ତୋଳନ ବୃଦ୍ଧି ଆଧାରରେ ୧୯୭୨ ମସିହାରେ ତତ୍କାଳୀନ ଖଣି ପ୍ରବନ୍ଧକ ବୁଲୁ ଭଞ୍ଜଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କଲରଙ୍ଗି-କାଳିଆପାଣି ୬ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ସଡ଼କପଥ ନକ୍ସା ଅଙ୍କା ଯାଇଥିଲା।
ସେହି ସମୟରେ ଓଏମ୍ସି ଓ ଟାଟାଷ୍ଟିଲ ମିଳିତ ଉଦ୍ୟମରେ ସରକାରଙ୍କୁ କଲରଙ୍ଗି-ମଙ୍ଗଳପୁର ୧୬ କିଲୋମିଟର ଦୈର୍ଘ୍ୟର ସଡ଼କପଥ ପ୍ରସ୍ତାବ ଦିଆଯାଇଥିଲା।
ଓଏମ୍ସି, କୃଷି ବିଭାଗ(ସୁକିନ୍ଦା ବିହନଫାର୍ମ), ଜଳ ସେଚନ ବିଭାଗ ଓ ବନ ବିଭାଗ ଭାଗହୋଇ ୪ କିଲୋମିଟର ଲେଖାଏଁ ସଡ଼କପଥ ନିର୍ମାଣ କରିଥିଲେ।
ଓଏମ୍ସି ଅନୁଦାନରେ କୁସୁମୁଣ୍ଡିଆ ପୋଲ, କାଙ୍କଡ଼ପାଳ ନାଳ ଉପରେ ଥିବା ପୁରୁଣା ସେତୁ ଓ କୁହିକା ପୁରୁଣା ସେତୁ ଏବଂ କାଳିଆପାଣି ଶିବମନ୍ଦିର ସମ୍ମୁଖ ସେତୁ ଓ କୋଳିପଶି ହାଟପାଖ ସେତୁ ନିର୍ମାଣ କରାଯାଇଥିଲା।
ସେହିପରି କଲରଙ୍ଗିରୁ କାଳିଆପାଣି ସଡ଼କପଥ ଉନ୍ନତୀକରଣ କାର୍ଯ୍ୟ ଟାଟାଷ୍ଟିଲ ଦ୍ବାରା କରାଯାଇଥିଲା।
୧୯୪୯ ମସିହାରେ ମିଶ୍ରିଲାଲ୍ ସାରୁଆବିଲ କ୍ରୋମାଇଟ୍ ଖଣି ଓ ୧୯୭୨ ମସିହାରେ ବିସି ମହାନ୍ତି କମର୍ଦ୍ଦା କ୍ରୋମାଇଟ୍ ଖଣିରୁ ଖଣିଜ ଉତ୍ତୋଳନ ଆରମ୍ଭ ହୋଇଥିଲା।
୨ କମ୍ପାନି ପକ୍ଷରୁ ଟମକା ବାଟରେ ଦୈତାରୀ-ପାରାଦୀପ ତ୍ବରିତ ରାଜପଥରେ ଖଣିଜ ପରିବହନ କରାଯାଉଥିଲା।
୧୯୭୦ ମସିହା ପରେ ଓଏମ୍ସି ପକ୍ଷରୁ କୋଳିପଶି-ସାରୁଆବିଲ-କମର୍ଦ୍ଦା ୫ ଦୈର୍ଘ୍ୟର ସଡ଼କ ପଥର ଉନ୍ନତୀକରଣ କରାଯାଇଥିଲା।
ଅଧିକାଂଶ ପୁରୁଣା ସେତୁ, ପୋଲ ଓ ସଡ଼କ ପଥ ଦୁର୍ବଳ ସ୍ଥିତିରେ ଥିଲେ ମଧ୍ୟ ଏହା ଉପରେ ଆଜିର କ୍ରୋମ୍ ପରିବହନ ବ୍ୟବସ୍ଥା ସଂପୂର୍ଣ୍ଣ ନିର୍ଭରଶୀଳ।
୨୦୦୯ ମସିହାରୁ ପ୍ରସ୍ତାବିତ ୪ ଥାକିଆ ଟମକା-ମଙ୍ଗଳପୁର ସଡ଼କ ଏବେ ବି ଅଞ୍ଚଳବାସୀଙ୍କ ସ୍ବପ୍ନହୋଇ ରହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।