11 OCTOBER 2026

Welcome!

Unlock your personalized experience.
Sign Up

Superfood: ପ୍ରକୃତିର ଅମୃତ: ସୁପର୍‌ଫୁଡ୍‌ ସଜନା

Oct 11, 2026 - 09:32
Superfood: ପ୍ରକୃତିର ଅମୃତ: ସୁପର୍‌ଫୁଡ୍‌ ସଜନା

ଆମ ଓଡ଼ିଆ ଘରର ବାଡ଼ି ବଗିଚାରେ ସହଜରେ ମିଳୁଥିବା ସଜନା ଗଛ ଆଜି ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ଯେଉଁ ସଜନା ଛୁଇଁକୁ ଆମେ ଦୈନନ୍ଦିନ ଆହାରରେ ଏକ ସାଧାରଣ ପରିବା ଭାବେ ଗ୍ରହଣ କରୁ, ତାହା ପ୍ରକୃତିର ଏକ ଅମୂଲ୍ୟ ବରଦାନ। ଆୟୁର୍ବେଦଠାରୁ ଆରମ୍ଭ କରି ଆଧୁନିକ ଚିକିତ୍ସା ବିଜ୍ଞାନ ଏବଂ ଭାରତୀୟ ରୋଷେଇଶାଳାରୁ ଆରମ୍ଭ କରି ବିଦେଶୀ ଡାଇନିଂ ଟେବୁଲ୍‌ ପର୍ଯ୍ୟନ୍ତ, ସଜନା ଆଜି ସର୍ବବ୍ୟାପୀ କହିଲେ ଚଳେ।

Education: ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ୩ ଦିନିଆ କାର୍ଯ୍ୟକ୍ରମ

ଭାରତରୁ ଉତ୍ପତ୍ତି
ସଜନାର ଉତ୍ପତ୍ତି ସ୍ଥଳ ହେଉଛି ଭାରତୀୟ ଉପମହାଦ୍ୱୀପ। ବିଶେଷକରି ହିମାଳୟର ପାଦଦେଶରେ ଏହି ଗଛ ପ୍ରଥମେ ପ୍ରାକୃତିକ ଭାବେ ଦେଖାଯାଇଥିବା କୁହାଯାଏ। ଭାରତରୁ ହିଁ ଏହା ଆଫ୍ରିକା ତଥା ଏସିଆର ଅନ୍ୟ ଦେଶ ସମେତ ଦକ୍ଷିଣ ଆମେରିକା ଆଦି ପୃଥିବୀର ଅନ୍ୟ କ୍ରାନ୍ତୀୟ ଓ ଉପକ୍ରାନ୍ତୀୟ ଅଞ୍ଚଳକୁ ବ୍ୟାପିଛି। ଶହ ଶହ ବର୍ଷ ଧରି ଏହି ଗଛ ପ୍ରତିକୂଳ ପରିବେଶରେ ଓ ଅତି କମ୍‌ ପାଣିରେ ମଧ୍ୟ ବଞ୍ଚି ରହିବାର ଅଦ୍ଭୁତ କ୍ଷମତା ରଖିଥିବାରୁ ଏହାକୁ କେହି କେହି ଚମତ୍କାରୀ ଗଛ କହିଥାନ୍ତି।

ଋଗ୍‌ବେଦରୁ ଆୟୁର୍ବେଦ
ଆମର ପ୍ରାଚୀନ ଧର୍ମଗ୍ରନ୍ଥରେ ଏହାର ବିଶେଷ ଉ‌ଲ୍ଲେଖ ରହିଛି। ଋଗ୍‌ବେଦରେ ସଜନା ଗଛକୁ ଏକ ପବିତ୍ର ଓ ରୋଗନାଶକ ବୃକ୍ଷ ଭାବେ ବର୍ଣ୍ଣନା କରାଯାଇଛି। ଚାଣକ୍ୟଙ୍କ ରଚିତ ‘ଅର୍ଥଶାସ୍ତ୍ର’ରେ ସଜନାର ଔଷଧୀୟ ଗୁଣ ଓ ଏହାର ସାମରିକ ଉପଯୋଗିତା ବିଷୟରେ କୁହାଯାଇଛି। ଆୟୁର୍ବେଦ ବିଶାରଦମାନେ କହନ୍ତି, ମହାଭାରତ ଯୁଗରେ ମଧ୍ୟ ସୈନିକମାନେ ଶକ୍ତିଶାଳୀ ହେବାକୁ ଓ ସେମାନଙ୍କ ସ୍ଫୂର୍ତ୍ତି ପାଇଁ ସଜନା ରସ ଦିଆଯାଉଥିଲା। ପ୍ରାଚୀନ ଆୟୁର୍ବେଦ ଗ୍ରନ୍ଥ ଚରକ ସଂହିତା, ସୁଶ୍ରୁତ ସଂହିତା ଓ ଅଷ୍ଟାଙ୍ଗ ହୃଦୟମ୍‌ରେ ସଜନାକୁ ‘ଶିଗ୍ରୁ’ ବୋଲି କୁହାଯାଇଛି। ଏହାର ଅର୍ଥ ହେଉଛି, ତୀର ଭଳି ତୀବ୍ର ଗତିରେ ଶରୀର ଭିତରକୁ ପ୍ରବେଶ କରି ରୋଗ ନାଶ କରୁଥିବା ଔଷଧ। ଆୟୁର୍ବେଦ ଅନୁସାରେ, ସଜନା ଗଛ ଆମ ଶରୀରର ପ୍ରାୟ ୩୦୦ରୁ ଅଧିକ ରୋଗକୁ ଭଲ କରିବାର କ୍ଷମତା ରଖେ। ଅନ୍ୟପକ୍ଷରେ, ପ୍ରାୟ ଏକ ହଜାର ବର୍ଷ ପୁରୁଣା ଆୟୁର୍ବେଦ ଗ୍ରନ୍ଥ ‘ଭାବପ୍ରକାଶ ନିଘଣ୍ଟୁ’ରେ ଧଳା, କଳା ଓ ନାଲି ରଙ୍ଗର ସଜନାର ଭିନ୍ନ ଭିନ୍ନ ପୁଷ୍ଟିକାରକ ଗୁଣ ବିଷୟରେ ଉଲ୍ଲେଖ କରାଯାଇଛି।

ମୋରିଙ୍ଗା ସ୍ମୁଦି, ଗ୍ରିନ୍‌ ଟି ଓ ସାଲାଡ୍‌ ଡ୍ରେସିଂ
ଏବେ କେବଳ ଆମ ଦେଶରେ ନୁହେଁ, ବିଦେଶରେ ମଧ୍ୟ ମୋରିଙ୍ଗା ବା ସଜନାର ଚାହିଦା ଆକାଶଛୁଆଁ। ଆମେରିକା, ୟୁରୋପ୍‌, ଜାପାନ ଓ ଅଷ୍ଟ୍ରେଲିଆ ଭଳି ବିକଶିତ ଦେଶରେ ଲୋକେ ନିଜକୁ ଫିଟ୍‌ ରଖିବା ପାଇଁ ସଜନାକୁ ଦୈନନ୍ଦିନ ଜୀବନରେ ସାମିଲ କରୁଛନ୍ତି। ଆମ ଦେଶରେ ସଜନା ଛୁଇଁକୁ ବେସର କିମ୍ବା ସାମ୍ବର୍‌ରେ ପକାଇ ଖାଉଥିବା ବେଳେ ବିଦେଶରେ ଏହାର ବ୍ୟବହାର ଅତି ଆଧୁନିକ ଓ ଭିନ୍ନ ଶୈଳୀରେ କରାଯାଉଛି। ଏବର ଖାଦ୍ୟ ସଂସ୍କୃତିରେ ମୋରିଙ୍ଗା ସ୍ମୁଦି ଓ ଗ୍ରିନ୍‌ ଟି’ର ଚାହିଦା କାହିଁରେ କ’ଣ। ବିଦେଶରେ ସକାଳର ବ୍ରେକ୍‌ଫାଷ୍ଟ୍‌ରେ ସଜନା ପତ୍ରର ଗୁଣ୍ଡକୁ ବିଭିନ୍ନ ଫଳରସ କିମ୍ବା ଓଟ୍‌ସ୍‌ ସହ ମିଶାଇ ଗ୍ରିନ୍‌ ସ୍ମୁଦି ପ୍ରସ୍ତୁତ କରାଯାଉଛି। ଏହାଛଡ଼ା, ଓଜନ କମାଇବା ତଥା ମେଟାବଲିଜିମ୍‌ ବୃଦ୍ଧିଲାଗି ‘ମୋରିଙ୍ଗା ଟି’ର ପ୍ରଚଳନ ଖୁବ୍‌ ବେଶି। ୟୁରୋପୀୟ ରେସ୍ତୋରଁାଗୁଡ଼ିକରେ ସଜନା ଛୁଇଁର ଭିତର ନରମ ଅଂଶକୁ ବାହାର କରି କ୍ରିମ୍‌, ରସୁଣ, ଗୋଲମରିଚ ଓ ଅଲିଭ୍‌ ଅଏଲ୍‌ ସହ ତାକୁ ମିଶାଇ ସୁପ୍‌ ପ୍ରସ୍ତୁତ କରାଯାଉଛି, ଯାହା ଖୁବ୍‌ ଲୋକପ୍ରିୟ। କେବଳ ଏତିକି ନୁହେଁ, ବିଦେଶରେ ପାସ୍ତା, ମ୍ୟାକ୍ରୋନି, ବ୍ରେଡ୍‌ ତଥା କୁକିଜ୍‌ ତିଆରି ବେଳେ ମଇଦା ସହ ସଜନା ପତ୍ରର ଶୁଖିଲା ପାଉଡର୍‌ ମିଶାଇ ଏହାକୁ ଏକ ହେଲ୍‌ଦି ଗ୍ରିନ୍‌ ଟ୍ୱିଷ୍ଟ୍‌ ଦିଆଯାଉଛି। ସେହିପରି ସାଲାଡ୍‌ ଡ୍ରେସିଂ ଆଜିକାଲି ଖୁବ୍‌ ପରିଚିତ। ସଜନା ମଞ୍ଜିରୁ ବାହାରୁଥିବା ତେଲକୁ ବିଦେଶରେ ଅତି ମୂଲ୍ୟବାନ୍‌ ମନେକରାଯାଏ। ଏହାକୁ ସାଲାଡ୍‌ ଉପରେ ପକାଇ ଲୋକେ ଖାଇଥାନ୍ତି। ସେହିପରି ସଜନା ଡାଲି, ସଜନା ଚଟଣି, ଦୋସା,  ସଜନା ରାୱା ଫ୍ରାଏ ଆହୁରି କେତେ କ’ଣ ଖାଦ୍ୟ ସାମଗ୍ରୀ ସଜନାରୁ ପ୍ରସ୍ତୁତ ହୋଇପାରୁଛି, େଯଉଁଗୁଡ଼ିକ ବିଶ୍ବ ଖାଦ୍ୟ ବଜାରରେ ବେଶ୍‌ ଲୋକପ୍ରିୟ।

Good news: ଋଣୀ ହୋଇଗଲୁ , ଘଟର୍ଲା ଗ୍ରାମବାସୀ ଆମକୁ ଦେଲେ ନୂଆ ଜୀବନ

ପାଶ୍ଚାତ୍ୟରେ ମୋରିଙ୍ଗା
ପାଶ୍ଚାତ୍ୟରେ ମଧ୍ୟ ସଜନା ସଂପର୍କରେ ଉ‌ଲ୍ଲେଖ ରହିଛି। ୭୭ ଖ୍ରୀଷ୍ଟାବ୍ଦରେ ରୋମାନ୍‌ ଲେଖକ ପ୍ଲିନି ତାଙ୍କ ବିଶ୍ୱବିଖ୍ୟାତ ପୁସ୍ତକ ‘ନ୍ୟାଚୁରାଲିସ୍‌ ହିଷ୍ଟୋରିଆ’ରେ ସଜନା ମଞ୍ଜିର ତେଲରୁ ଅତି ମୂଲ୍ୟବାନ୍‌ ଅତର ପ୍ରସ୍ତୁତ କରାଯିବା କଥା କହିଛନ୍ତି। ସେହିପରି ଲୋଏଲ୍‌ ଫୁଗ୍ଲିଙ୍କ ଲିଖିତ ‘ଦ ମିରାକଲ୍‌ ଟ୍ରି: ମୋରିଙ୍ଗା ଓଲେଇଫେରା’ ପୁସ୍ତକ ଅନୁସାରେ, ସଜନା ଆମ ପୃଥିବୀରୁ କୁପୋଷଣ ଦୂର କରିପାରିବ। ସେହିପରି ପ୍ରସିଦ୍ଧ ଗବେଷକ ଡାକ୍ତର ହାୱାର୍ଡ ଫିସର୍‌ଙ୍କ ‘ମୋରିଙ୍ଗା: ନେଚର୍ସ ଗୋଲ୍‌ଡ’ ବହିରେ ସଜନାକୁ ପୃଥିବୀର ସବୁଠାରୁ ଶକ୍ତିଶାଳୀ ସୁପର୍‌ଫୁଡ୍‌ ଭାବେ ବର୍ଣ୍ଣନା କରାଯାଇଛି।

ସ୍ବାସ୍ଥ୍ୟ ପାଇଁ ଅମୃତ
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ସଜନା ଗଛର ଛୁଇଁ, ପତ୍ର ଓ ଫୁଲ ସବୁଥିରେ ଭରପୂର ମାତ୍ରାରେ ଭିଟାମିନ୍‌, ମିନେରାଲ୍‌ସ ଓ ଆଣ୍ଟି-ଅକ୍ସିଡାଣ୍ଟ୍‌ ରହିଛି। ଗବେଷଣାରୁ ଜଣାପଡ଼ିଛି ଯେ, କମଳା ତୁଳନାରେ ଏଥିରେ ୭ ଗୁଣ ଅଧିକ ଭିଟାମିନ୍‌ ‘ସି’ ଥାଏ। ସେହିପରି କ୍ଷୀର ତୁଳନାରେ ୪ ଗୁଣ ଅଧିକ କ୍ୟାଲସିୟମ୍‌ ଓ ଦୁଇଗୁଣ ଅଧିକ ପ୍ରୋଟିନ୍‌ ମିଳିଥାଏ ଏବଂ କଦଳୀ ତୁଳନାରେ ଏଥିରେ ୩ ଗୁଣ ଅଧିକ ପଟାସିୟମ୍୍‌ ତଥା ଶାଗ ତୁଳନାରେ ୩ ଗୁଣ ଅଧିକ ଆଇରନ୍‌ ରହିଛି। ତେଣୁ ଏହା ମଧୁମେହ, ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ୍‌ ଓ ଥାଇରଏଡ୍‌ ନିୟନ୍ତ୍ରଣ କରିବା ସହ ହାଡ଼କୁ ମଜଭୁତ କରେ ଓ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇଥାଏ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।