Supreme Court: ଏମ.ଏମ.ଡି.ଆର. ଆକ୍ଟ: ରାଜ୍ୟମାନେ ସୁପ୍ରିମ କୋର୍ଟ ଯାଆନ୍ତୁ
"ବିଜୟ କୁମାର ପଟ୍ଟନାୟକ ଖଣି ଆଇନରେ କରାଯାଇଥିବା ୨୦୨୬ ମସିହାର ସଂଶୋଧନ ବିଷୟରେ ଅନେକ ଆଲୋଚନା ହୋଇସାରିଲାଣି।
୨୦୨୪ ମସିହାରେ ମାନ୍ୟବର ସୁପ୍ରିମ କୋର୍ଟ ରାୟ ଦେଲେ ଯେ ଖଣିଜ ଦ୍ରବ୍ୟ ଥିବା ଜମି ଉପରେ କର ଆଦାୟ କରିବାର ଅଧିକାର ରାଜ୍ୟମାନଙ୍କର ଅଛି।
ଏହି ରାୟ ବାହାରିବାର ଦୁଇ ବର୍ଷ ପର୍ଯ୍ୟନ୍ତ ଓଡ଼ିଶା ସରକାର ଖଣି ମାଲିକମାନଙ୍କ ଠାରୁ କାହିଁକି ବକେୟା ଟିକସ ଆଦାୟ କଲେ ନାହିଁ, ତାହା ଜନସାଧାରଣ ଜାଣି ନାହାନ୍ତି।
ଦୁଇ ବର୍ଷ ପରେ, ଅର୍ଥାତ୍ ୨୦୨୬ ମସିହାରେ କେନ୍ଦ୍ର ସରକାର ଖଣି ଆଇନ (ଏମ.ଏମ.ଡି.ଆର.
ଆକ୍ଟ)ର ଧାରା ୨, ୮ ଓ ୯ରେ ସଂଶୋଧନ ଆଣି ଆଇନ କରିଦେଲେ ଯେ ଖଣିଜ ଦ୍ରବ୍ୟ ଥିବା ଜମିରେ ମଧ୍ୟ ରାଜ୍ୟ ସରକାରମାନେ ଟିକସ ବସାଇ ପାରିବେ ନାହିଁ; ଯଦିବା କୌଣସି ନ୍ୟାୟାଳୟର ରାୟ ଅନୁଯାୟୀ ରାଜ୍ୟମାନେ ଟିକସ ଆଦାୟ କରିବା ପାଇଁ ହକଦାର ହୋଇଥିବେ, ସେ ଅଧିକାର ଏତଦ୍ଦ୍ବାରା ରଦ୍ଦ କରାଗଲା।
କହିବା ବାହୁଲ୍ୟ ଯେ ୨୦୨୬ ମସିହାର ଖଣି ସଂଶୋଧନ ଆଇନ, ୨୦୨୪ରେ ସୁପ୍ରିମ କୋର୍ଟ ରାୟକୁ ନିଷ୍କ୍ରିୟ କରିବା ପାଇଁ ଉଦ୍ଦିଷ୍ଟ।
ତେଣୁ ଅନୁମାନ କରାଯାଏ ଯେ ଏଭଳି ଏକ ସଂଶୋଧନ କେନ୍ଦ୍ର ସରକାର ଆଣିବେ ବୋଲି ଜାଣି ବୋଧହୁଏ ଓଡ଼ିଶା ସରକାର ୨୦୨୪ ମସିହାର ରାୟ ଉପରେ କାର୍ଯ୍ୟାନୁଷ୍ଠାନ କରି ନ ଥିଲେ!
କିନ୍ତୁ ସୁପ୍ରିମ କୋର୍ଟଙ୍କ ରାୟ ଉପରେ ଦୁଇ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ କରା ନଯିବା ଫଳରେ ଖଣି ମାଲିକ ଓ ଶିଳ୍ପପତିମାନେ ଲାଭାନ୍ବିତ ଓ ଓଡ଼ିଶାର ଜନସାଧାରଣ କ୍ଷତିଗ୍ରସ୍ତ ହେଲେ।
ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଓଡ଼ିଶା ଭଳି ରାଜ୍ୟମାନେ ୨୦୨୬ର ସଂଶୋଧନ ପରେ ଆଉ କିଛି କରିବାର ଅବକାଶ ଅଛି କି?
ଉତ୍ତର ହେଉଛି, “ହଁ, ଅଛି।
ପ୍ରଭାବିତ ରାଜ୍ୟମାନେ, ବିଶେଷ କରି ଉକ୍ତ ରାଜ୍ୟର ବିରୋଧୀ ଦଳମାନେ, ଏହି ସଂଶୋଧନ ବିରୋଧରେ ସୁପ୍ରିମ କୋର୍ଟକୁ ଯାଇପାରିବେ।"" ଭାରତର ସଂବିଧାନ ଅନୁଯାୟୀ ଆମ ରାଷ୍ଟ୍ର ଏକ ସଂଘୀୟ ରାଷ୍ଟ୍ର, ଯେଉଁଠି କେନ୍ଦ୍ର ଓ ରାଜ୍ୟମାନଙ୍କର ସ୍ବତନ୍ତ୍ର କ୍ଷମତା ରହିଛି।
କେନ୍ଦ୍ର ପାର୍ଲିଆମେଣ୍ଟ ଓ ରାଜ୍ୟ ଆସେଂବ୍ଲିମାନଙ୍କ ପାଇଁ ସ୍ବତନ୍ତ୍ର ତାଲିକା ରହିଛି- ଯାହା ଯଥାକ୍ରମେ ତାଲିକା ୧ ଓ ତାଲିକା ୨ ଭାବେ ଜଣା।
ତାଲିକା ୩ ହେଉଛି ଉଭୟ କେନ୍ଦ୍ର ଓ ରାଜ୍ୟ ପାଇଁ ଉଦ୍ଦିଷ୍ଟ।
ତାଲିକା ୧ର ବିଷୟଗୁଡ଼ିକ ଉପରେ ରାଜ୍ୟମାନେ ଓ ତାଲିକା ୨ର ବିଷୟଗୁଡ଼ିକ ଉପରେ କେନ୍ଦ୍ର କୌଣସି ନିୟମ ପ୍ରଣୟନ କରିପାରିବ ନାହିଁ।
କେବଳ ତାଲିକା ୩ର ବିଷୟଗୁଡ଼ିକ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କର ଅଧିକାର ଅଛି, ତାହା ଉପରେ ନିୟମ ପ୍ରଣୟନ କରିବା ସଂଦର୍ଭରେ କେନ୍ଦ୍ରକୁ ପ୍ରାଥମିକତା ଦିଆଯିବ: କୌଣସି ରାଜ୍ୟ ଯଦି ନିୟମ ପ୍ରଣୟନ କରେ ତେବେ କେନ୍ଦ୍ର ଉକ୍ତ ନିୟମକୁ ପାର୍ଲିଆମେଣ୍ଟରେ ଆଉ ଏକ ନିୟମ ପ୍ରଣୟନ କରି ସଙ୍କୁଚିତ କରି ଦେଇପାରିବେ।
Advertisment Horoscope 2026 September 30: ଜାଣନ୍ତୁ ଆଜିର ରାଶିଫଳ "ଖଣି" ବିଷୟକୁ ଦେଖିଲେ ଜଣାଯିବ ଯେ "ଖଣିର ନିୟନ୍ତ୍ରଣ ଓ ବିକାଶ" ତାଲିକା ୧ (କ୍ରମିକ ନମ୍ବର ୫୪)ରେ ରହିଛି; ଅର୍ଥାତ୍ ଭାରତରେ ଯେ କୌଣସି ଖଣିଜ ପଦାର୍ଥ କିଭଳି ଭାବରେ ବ୍ୟବହୃତ ହେବ, ସେ ନେଇ ନିୟମ ପ୍ରଣୟନ କେନ୍ଦ୍ର ଅଧିକାର ପରିସରଭୁକ୍ତ।
ଏଇ କ୍ଷମତା ବଳରେ କେନ୍ଦ୍ର ସରକାର ଏମ.ଏମ.ଡି.ଆର.
ଆଇନ ପ୍ରଣୟନ କରିଛନ୍ତି।
କିନ୍ତୁ, "ଖଣିର ନିୟନ୍ତ୍ରଣ ଓ ବିକାଶ" କହିଲେ କ"ଣ ବୁଝାଯାଏ?
ଖଣି ଖନନ ପୂର୍ବରୁ କେଉଁ ଜମିରେ କେତେ ପରିମାଣର ଖଣିଜ ପଦାର୍ଥ ଅଛି ତାହାର ଆକଳନ କରିବା, ତା"ର ଉତ୍ତୋଳନ କିଭଳି ଭାବରେ କରାଯିବ, ସେଥିପାଇଁ କି କି ପ୍ରକାରର ଅନୁମତି ଆବଶ୍ୟକ, କେଉଁ ସଂସ୍ଥାଗୁଡ଼ିକ ଏ ସମସ୍ତ କାମ ପାଇଁ ସୃଷ୍ଟ, ଇତ୍ୟାଦି ବିଷୟରେ ନିୟମ ପ୍ରଣୟନ କରିବାର ଅଧିକାର କେନ୍ଦ୍ର ସରକାରଙ୍କ ଅଛି।
କିନ୍ତୁ ଖଣିଜ ପଦାର୍ଥ ଉପରେ ଟିକସ ବସାଇବା କ୍ଷମତା କେନ୍ଦ୍ରର ନାହିଁ।
ତାଲିକା ୨ (କ୍ରମିକ ନମ୍ବର ୫୦)ରେ ଲିଖିତ ଅଛି ଯେ ଖଣିଜ ପଦାର୍ଥ ଉପରେ ଟିକସ ବସାଇବା ଅଧିକାର ରାଜ୍ୟମାନଙ୍କର, କିନ୍ତୁ ଏଇ ଅଧିକାରଟି "ଖଣିର ନିୟନ୍ତ୍ରଣ ଓ ବିକାଶ" ପାଇଁ ପାର୍ଲିଆମେଣ୍ଟ ଦ୍ବାରା ପ୍ରଣୀତ ଆଇନ ଦ୍ବାରା ନିୟନ୍ତ୍ରିତ କରାଯାଇପାରିବ।
ପାର୍ଲାମେଣ୍ଟର ଏଇ ଅଧିକାରକୁ ବ୍ୟବହାର କରି କେନ୍ଦ୍ର ସରକାର ଏମ.ଏମ.ଡି.ଆର.
ଆକ୍ଟରେ ସଂଶୋଧନ ଆଣିଛନ୍ତି ଯେ "ଖଣି" କହିଲେ "ଖଣିଜ ପଦାର୍ଥ ଥିବା ଜମି"କୁ ମଧ୍ୟ ବୁଝାଇବ।
ତେଣୁ ଖଣିଜ ପଦାର୍ଥ ଥିବା ଜମି ଉପରେ ମଧ୍ୟ ରାଜ୍ୟ ସରକାର ଟିକସ ବସାଇ ପାରିବେ ନାହିଁ।
ଏହା ଏକ ଭ୍ରମାତ୍ମକ ଓ ଅସାଂବିଧାନିକ ପଦକ୍ଷେପ।
ସଂବିଧାନର ତାଲିକା ୨ (କ୍ରମିକ ନମ୍ବର ୪୯) ସ୍ପଷ୍ଟ କରୁଛି ଯେ "ଜମି ଓ ଗୃହ ଉପରେ ଟିକସ" ବସାଇବା ଅଧିକାର ରାଜ୍ୟମାନଙ୍କର ଅଛି।
ସେ ଜମି ଯେ କୌଣସି ପ୍ରକାରର ଜମି ହୋଇପାରେ- ଚାଷଜମି, ଶିଳ୍ପ ପାଇଁ ଜମି, ଖଣି ପାଇଁ ଜମି, ଇତ୍ୟାଦି।
ସେ ଅଧିକାରକୁ ପାର୍ଲାମେଣ୍ଟ କୌଣସି ଉପାୟରେ ନିଜ ଅଧୀନକୁ ନେଇ ପାରିବ ନାହିଁ, କାରଣ ତାହା ତାଲିକା ୨ରେ ଅଛି।
ସୁତରାଂ, ଖଣିଜ ପଦାର୍ଥ ଉତ୍ତୋଳନ ଉପରେ ନିୟମ ପ୍ରଣୟନ କରିବା ରାଜ୍ୟର ଅଧିକାର ନଥିଲେ ହେଁ ଉକ୍ତ ଜମି ଉପରେ ଖଜଣା ଧାର୍ଯ୍ୟ କରିବା ଅଧିକାର ଅଛି।
ଏ ସମ୍ପର୍କରେ ମାନ୍ୟବର ସୁପ୍ରିମ କୋର୍ଟ ୨୦୨୪ ମସିହାରେ ଦେଇଥିବା ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ପ୍ରାଞ୍ଜଳ ଆଲୋଚନା କରିଛନ୍ତି।
ଖଣିଜ ପଦାର୍ଥକୁ ଉତ୍ତୋଳନ କରିବା ଉପରେ କେନ୍ଦ୍ର ନିୟମ କରିପାରିବ, କିନ୍ତୁ ଖଣିଜ ପଦାର୍ଥ ଥିବା ଜମି ଉପରେ ଟିକସ ବସାଇବା ଅଧିକାର ରାଜ୍ୟମାନଙ୍କର।
ଖଣିଜ ପଦାର୍ଥ ବହନକାରୀ ଜମି ଉପରେ ଟିକସ ବସାଇବାର ଅଧିକାର ତାଲିକା ୨ର କ୍ରମିକ ନମ୍ବର ୪୯ରୁ ନିର୍ଗତ।
ଏମ.ଏମ.ଡି.ଆର.
ଆକ୍ଟର ସଂଶୋଧନଟି ତାଲିକା ୨ର କ୍ରମିକ ନମ୍ବର ୫୦ରୁ ନିର୍ଗତ।
କ୍ରମିକ ନମ୍ବର ୫୦ରେ ପାର୍ଲାମେଣ୍ଟର ଅଧିକାର ଅଛି, କିନ୍ତୁ କ୍ରମିକ ନମ୍ବର ୪୯ ଉପରେ ନାହିଁ।
ତେଣୁ ସଂସଦ ଦ୍ବାରା ଏମ.ଏମ.ଡି.ଆର.
ଆକ୍ଟର ସଂଶୋଧନ କରାଯାଇ ରାଜ୍ୟ ବିଧାନସଭାର ଅଧିକାରକୁ ଛଡ଼ାଇ ନିଆଯାଇପାରିବ ନାହିଁ।
ସେଥି ଲାଗି ସଂବିଧାନ ସଂଶୋଧନ କରି ତାଲିକା ୨ର ବିଷୟକୁ ତାଲିକା ୧କୁ ନେବାକୁ ହେବ, ଯାହା ହୋଇ ନାହିଁ।
Missing: କୈବଲ୍ୟ ହାଟରେ ସ୍ୱାମୀଙ୍କୁ ବସାଇ ପାଣି ଆଣିବାକୁ ଯାଇଥିଲେ ପ୍ରମିଳା, ଫେରି ଦେଖିଲା ବେଳକୁ ନଥିଲେ ରମାକାନ୍ତ ଯଦି ପାର୍ଲିଆମେଣ୍ଟର ଏକ ସାଧାରଣ ଆଇନ ବଳରେ ରାଜ୍ୟର ନିଜସ୍ବ ଅଧିକାର ଛଡ଼ାଇ ନିଆଯାଏ, ତେବେ ଆଗାମୀ ଦିନମାନଙ୍କରେ ତାଲିକା ୨ରୁ ଯେ କୌଣସି ବିଷୟ ତାଲିକା ୧କୁ ନେଇଯିବା ପାଇଁ ପାର୍ଲିଆମେଣ୍ଟ ସଂବିଧାନ ସଂଶୋଧନ ନ କରି ଏକ ସାମାନ୍ୟ ନିୟମ ପ୍ରଣୟନ କରିଦେଇପାରେ।
ତାହା ହେଲେ ଆଉ ରାଜ୍ୟମାନଙ୍କର କୌଣସି ଅଧିକାର ସୁରକ୍ଷିତ ରହିବ ନାହିଁ।
ଏହା ସମ୍ପୂର୍ଣ୍ଣ ଭାବରେ ସଂବିଧାନ ବିରୋଧୀ।
ତେଣୁ ଏମ.ଏମ.ଡି.ଆର.
ଆକ୍ଟର ସଂଶୋଧନ ବିରୋଧରେ ରାଜ୍ୟମାନେ ତୁରନ୍ତ ସୁପ୍ରିମ କୋର୍ଟକୁ ଯିବା ଉଚିତ।(ମତାମତ ଲେଖକଙ୍କ ନିଜସ୍ବ)ପୂର୍ବତନ ମୁଖ୍ୟ ଶାସନ ସଚିବ, ଓଡ଼ିଶା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।