Suspense Over Odisha’s Next DGP: କିଏ ହେବେ ରାଜ୍ୟ ପୋଲିସ ମୁଖିଆ? UPSC ବୈଠକରେ ବାଜିପାରେ ମୋହର

Aug 12, 2026 - 19:57
Suspense Over Odisha’s Next DGP: କିଏ ହେବେ ରାଜ୍ୟ ପୋଲିସ ମୁଖିଆ? UPSC ବୈଠକରେ ବାଜିପାରେ ମୋହର

ବଢିଚାଲିଛି ସସ୍ପେନ୍ସ.. ଗଡ଼ି ଚାଲିଛି ଦିନ। ତଥାପି ଏଯାଏଁ ସ୍ପଷ୍ଟ ହୋଇପାରୁନି କିଏ ହେବେ ରାଜ୍ୟର ପରବର୍ତ୍ତୀ ପୋଲିସ  ମୁଖିଆ। ସମସ୍ତଙ୍କ ନଜର ୟୁପିଏସସି ବୈଠକ ଉପରେ। ଆସନ୍ତାକାଲି ବସିବାକୁ ଥିବା ଏହି ମିଟିଂରେ ଚୂଡ଼ାନ୍ତ ହୋଇପାରେ ୩ ଜଣଙ୍କ ନାଁ। ଏହାରି ଭିତରେ ରାଜ୍ୟ ସରକାରଙ୍କ ପକ୍ଷରୁ ୟୁପିଏସସି ନିକଟରେ ସାନି ତାଲିକା ଦାଖଲ କରାଯାଇଥିବା ଜଣାପଡ଼ିିଛି। ଯେଉଁଥିରେ ଡିଜି ପାହ୍ୟାକୁ ପଦୋନ୍ନତି ପାଇଥିବା ୧୯୯୪ ବ୍ୟାଚ୍ ର ଆଇପିଏସ୍ ଅଧିକାରୀ ସଂଜୀବ ପଣ୍ଡା ଓ ଯଶବନ୍ତ ଜେଠଓ୍ୱାଙ୍କ ନାଁ ବି ରହିଛି। ଏହାରି ମଧ୍ୟରେ ପୂର୍ବ ତାଲିକାରେ ଥିବା ତିନି ଅଧିକାରୀ ସୁଧାଂଶୁ ଷଡଙ୍ଗୀ, ସୁଶାନ୍ତ ନାଥ ଓ ଆରପି କୋଚେଙ୍କ ସମେତ ୫ ଜଣଙ୍କୁ ନେଇ ବିଚାର କରାଯିବ।  ସେଥିମଧ୍ୟରୁ ୩ ଜଣଙ୍କ ନାମ ରାଜ୍ୟ ସରକାରଙ୍କୁ ସୁପାରିଶ କରିବେ ୟୁପିଏସସି। ଯାହା ଭିତରୁ ଜଣଙ୍କୁ ପୋଲିସ ମହାନିର୍ଦ୍ଦେଶକ ଭାବେ ଚୟନ କରିପାରିବେ। ଏହାରି ଭିତରେ ଓଡ଼ିଶା ପୋଲିସ୍ ଡିଜି ଚୟନକୁ ନେଇ ସୁପ୍ରିମକୋର୍ଟରେ ଦାୟର ଜନସ୍ୱାର୍ଥ ମାମଲା ଉପରେ ଆଜି ଶୁଣାଣି ହୋଇପାରି ନାହିଁ। ତେଣୁ ସୁପ୍ରିମକୋର୍ଟଙ୍କ କୌଣସି ହସ୍ତକ୍ଷେପ ପୂର୍ବରୁ ଆସନ୍ତାକାଲିର ୟୁପିଏସସି ବୈଠକରେ ପରବର୍ତ୍ତୀ ପୋଲିସ୍ ଡିଜି ଚୟନ ହୋଇଯିବ ବୋଲି ସମସ୍ତଙ୍କ ଆଶା।

ଏହା ମଧ୍ୟରେ ଡିଜିପି ନିଯୁକ୍ତି ପ୍ରକ୍ରିୟାକୁ ନେଇ ଯେଉଁ କେଁ ସୃଷ୍ଟି ହୋଇଛି ତାକୁ ନେଇ ମୁହାଁ ମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ବିଜେଡି ଅଭିଯୋଗ କରିଛି, ରାଜ୍ୟ ସରକାର ସଂପୂର୍ଣ୍ଣ ଅପାରଗ ଯେଉଁଥି ପାଇଁ ଡିଜିପି ଚୟନ ମାମଲା ଏବେ କାଠଗଡ଼ାରେ ପହଞ୍ଚିଛି। ଜବାବରେ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ କରି ରାଜସ୍ବ ମନ୍ତ୍ରୀ କହିଛନ୍ତି, ଏକଦା ଜଣେ ଓଡ଼ିଆ ଅଫିସର CBI ନିର୍ଦ୍ଦେଶକ ହେଇଥାନ୍ତେ। ସେ ନିର୍ଦ୍ଦେଶକ ହୋଇଥିଲେ ବିଜେଡିର କିଛି ନେତା ଅସୁବିଧାରେ ପଡିଥାନ୍ତେ। ତେଣୁ କଳବଳ ଲଗାଇ ବିଜେଡି ସେ ସମୟରେ ତାଙ୍କୁ ସିବିଆଇ ନିର୍ଦ୍ଦେଶକ କରାଇ ଦେଇନଥିଲା।  ତେବେ ଡିଜି ଚୟନ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା। ଏଥିପାଇଁ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ରହିଛି। ଗୃହ ବିଭାଗ ତାର କାର୍ଯ୍ୟ କରୁଛି।

ଆସନ୍ତା ୧୬ ତାରିଖରେ ବର୍ତ୍ତମାନ ପୋଲିସ୍ ଡିଜି ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ସରୁଛି । ତେଣୁ ତାରି ଭିତରେ ନୂଆ ଡିଜିପିଙ୍କ ନାମ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି।  

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।