Sweating Without Reason: ଅଧିକ ଝାଳ ବାହାରୁଛି କି? ଜାଣନ୍ତୁ କ’ଣ ରହିଛି କାରଣ, କରନ୍ତୁ ସମାଧାନ

Sep 22, 2026 - 12:21
Sweating Without Reason: ଅଧିକ ଝାଳ ବାହାରୁଛି କି? ଜାଣନ୍ତୁ କ’ଣ ରହିଛି କାରଣ, କରନ୍ତୁ ସମାଧାନ

ଗରମ ହେଲେ, ବ୍ୟାୟାମ କଲେ କିମ୍ବା ମାନସିକ ଚାପରେ ଝାଳ ବାହାରିବା ଶରୀରର ଏକ ସ୍ୱାଭାବିକ ପ୍ରକ୍ରିୟା। ଶରୀରର ତାପମାତ୍ରାକୁ ସନ୍ତୁଳିତ ରଖିବାରେ ଝାଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଏ। ହେଲେ କୌଣସି ସ୍ପଷ୍ଟ କାରଣ ନଥାଇ, ଏପରିକି ଶୀତ ଦିନରେ କିମ୍ବା ଆରାମ କରୁଥିବା ସମୟରେ ମଧ୍ୟ ଯଦି ଆବଶ୍ୟକତାଠାରୁ ଅଧିକ ଝାଳ ବାହାରେ, ଏହାକୁ ହାଇପରହାଇଡ୍ରୋସିସ୍‌ କୁହାଯାଏ।

ହାଇପରହାଇଡ୍ରୋସିସ୍‌ ଏକ ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟା। ଏଥିରେ ଶରୀରରୁ ସାଧାରଣ ତୁଳନାରେ ଅଧିକ ଝାଳ ବାହାରିଥାଏ। ଶରୀରର ସ୍ୱୟଂଚାଳିତ ସ୍ନାୟୁ ପ୍ରଣାଳୀ (Autonomic Nervous System) ଅଧିକ ସକ୍ରିୟ ହେବା ସହିତ କେତେକ ହରମୋନ୍‌ ସମ୍ବନ୍ଧୀୟ ପରିବର୍ତ୍ତନ ମଧ୍ୟ ଏହାର କାରଣ ହୋଇପାରେ।

ହାଇପରହାଇଡ୍ରୋସିସ୍‌ର ଦୁଇ ପ୍ରକାର

ପ୍ରାଇମେରୀ ଫୋକାଲ୍ ହାଇପରହାଇଡ୍ରୋସିସ୍‌:
ଏଥିରେ ଶରୀରର ନିର୍ଦ୍ଦିଷ୍ଟ କିଛି ଅଂଶରୁ ଅଧିକ ଝାଳ ବାହାରେ। ଯଥା—ହାତ ପାପୁଲି, ପାଦ ତଳ, କାଖ, ମୁହଁ କିମ୍ବା ମୁଣ୍ଡ। ଏହି ସମସ୍ୟା ସାଧାରଣତଃ ପିଲାଦିନ କିମ୍ବା କିଶୋରାବସ୍ଥାରୁ ଆରମ୍ଭ ହୋଇପାରେ। କେତେକ କ୍ଷେତ୍ରରେ ପରିବାରର ଅନ୍ୟ ସଦସ୍ୟଙ୍କଠାରେ ମଧ୍ୟ ଏହି ସମସ୍ୟା ଥିବାରୁ ବଂଶାନୁକ୍ରମିକ ଭୂମିକା ଥାଇପାରେ।

ଅଧିକ ଝାଳ ହେବା ଯୋଗୁଁ ଦୈନନ୍ଦିନ କାମ, ଲେଖାପଢ଼ା, ଜିନିଷ ଧରିବା ଭଳି କାର୍ଯ୍ୟରେ ଅସୁବିଧା ହୋଇପାରେ। ଏହା ସାମାଜିକ ଅସହଜତା ଓ ମାନସିକ ଚାପର କାରଣ ମଧ୍ୟ ହୋଇପାରେ।

ସେକେଣ୍ଡାରୀ ଜେନେରାଲାଇଜ୍ଡ୍ ହାଇପରହାଇଡ୍ରୋସିସ୍‌:
ଏହି ପ୍ରକାରରେ ଶରୀରର ବିଭିନ୍ନ ଅଂଶ କିମ୍ବା ସାରା ଶରୀରରୁ ଅଧିକ ଝାଳ ବାହାରିପାରେ। ଡାଇବେଟିସ୍‌, ଥାଇରଏଡ୍‌ ଭଳି କିଛି ଅନ୍ତର୍ନିହିତ ସ୍ୱାସ୍ଥ୍ୟ ସମସ୍ୟା, କିମ୍ବା କେତେକ ଔଷଧର ପାର୍ଶ୍ୱପ୍ରତିକ୍ରିୟା ଏହାର କାରଣ ହୋଇପାରେ।

ଏଥିରେ ହାତ ଓ ପାଦରୁ ଅଧିକ ଝାଳ ବୋହିବା, ପୋଷାକ ଓଦା ହୋଇଯିବା ଏବଂ କେତେକ କ୍ଷେତ୍ରରେ ରାତିରେ ଶୋଇଥିବା ସମୟରେ ମଧ୍ୟ ଅଧିକ ଝାଳ ହେବା ଦେଖାଯାଇପାରେ।

ଅଧିକ ଝାଳ ହେଲେ କିପରି ଯତ୍ନ ନେବେ?

ଅଧିକ ଝାଳ ହେଉଥିବା ବ୍ୟକ୍ତିମାନେ ଅତ୍ୟଧିକ ଗରମ ପରିବେଶରୁ ଦୂରେଇ ରହିବା ସହ ଶରୀରକୁ ଯଥାସମ୍ଭବ ଥଣ୍ଡା ରଖିବା ଉଚିତ। ବାୟୁ ଚଳାଚଳ କରୁଥିବା ଢିଲା ଓ ହାଲୁକା ପୋଷାକ ପିନ୍ଧିବା ଭଲ।

ଚର୍ମକୁ ସଫା ଓ ଶୁଖିଲା ରଖିବା ଦ୍ୱାରା ଚର୍ମ ସମ୍ବନ୍ଧୀୟ ସମସ୍ୟାର ଆଶଙ୍କା କମାଇପାରିବେ। ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ, ଚା ଓ କଫି ଭଳି ଜିନିଷ କମାଇବା ସହ ଧୂମପାନରୁ ଦୂରେଇ ରହିବା ଉପକାରୀ ହୋଇପାରେ।

ଫଳ ଓ ପନିପରିବା ଭଳି ପୌଷ୍ଟିକ ଖାଦ୍ୟ ଖାଇବା ସହ ପର୍ଯ୍ୟାପ୍ତ ପାଣି ପିଇବା ଜରୁରୀ। ମାନସିକ ଚାପ ଝାଳ ବଢ଼ାଇପାରେ। ତେଣୁ ଯୋଗ, ଧ୍ୟାନ ଓ ଅନ୍ୟ ଆରାମଦାୟକ ଅଭ୍ୟାସ ମାଧ୍ୟମରେ ଷ୍ଟ୍ରେସ୍‌ କମାଇବାକୁ ଚେଷ୍ଟା କରିପାରିବେ। ପର୍ଯ୍ୟାପ୍ତ ଓ ନିୟମିତ ନିଦ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

କେମିତି ହୁଏ ଚିକିତ୍ସା?

ହାଇପରହାଇଡ୍ରୋସିସ୍‌ର ଚିକିତ୍ସା ଏହାର କାରଣ ଓ ଝାଳ ହେଉଥିବା ସ୍ଥାନ ଉପରେ ନିର୍ଭର କରେ।

ଆଣ୍ଟିପର୍ସପିରାଣ୍ଟ: ଅଧିକ ଝାଳ ହେଉଥିବା ସ୍ଥାନରେ ଡାକ୍ତରଙ୍କ ପରାମର୍ଶରେ ଆଣ୍ଟିପର୍ସପିରାଣ୍ଟ ଲୋସନ୍‌ ବ୍ୟବହାର କରାଯାଇପାରେ।

ଆଇଅଣ୍ଟୋଫୋରେସିସ୍‌: ବିଶେଷକରି ହାତ ଓ ପାଦରେ ଅଧିକ ଝାଳ ହେଉଥିଲେ, ହାଲୁକା ବିଦ୍ୟୁତ୍ ପ୍ରବାହ ଦେଇ ଝାଳର ପରିମାଣ କମାଇବାକୁ ଚେଷ୍ଟା କରାଯାଏ।

ବୋଟକ୍ସ ଇଞ୍ଜେକ୍ସନ୍‌: ଅଧିକ ଝାଳ ହେଉଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ବୋଟକ୍ସ ଇଞ୍ଜେକ୍ସନ୍‌ ଦେଇ କିଛି ସମୟ ପାଇଁ ଝାଳ କମାଇପାରିବେ।

ସର୍ଜିକାଲ୍ ଚିକିତ୍ସା: କେତେକ ଗୁରୁତର ମାମଲାରେ ଅନ୍ୟ ଚିକିତ୍ସା ପଦ୍ଧତିରେ ଲାଭ ନମିଳିଲେ, ଡାକ୍ତର ସର୍ଜରୀ ବିଷୟରେ ବିଚାର କରିପାରନ୍ତି।

ଅଧିକ ଝାଳକୁ ଅଣଦେଖା କରନ୍ତୁ ନାହିଁ

ଅତ୍ୟଧିକ ଝାଳ ଯୋଗୁଁ ହାତ-ପାଦ ସବୁବେଳେ ଭିଜା ରହିବା, ପୋଷାକ ଓଦା ହୋଇଯିବା କିମ୍ବା ଜିନିଷ ଧରିବାରେ ଅସୁବିଧା ଭଳି ସମସ୍ୟା ହୋଇପାରେ। ଏହା ଦୈନନ୍ଦିନ ଜୀବନ ସହ ସାମାଜିକ ଓ ମାନସିକ ସୁସ୍ଥତାକୁ ମଧ୍ୟ ପ୍ରଭାବିତ କରିପାରେ।

ତେଣୁ ଅସ୍ୱାଭାବିକ ଭାବେ ଅଧିକ ଝାଳ ହେଉଥିଲେ କିମ୍ବା ହଠାତ୍ ଝାଳ ବଢ଼ିଯାଇଥିଲେ ଏହାକୁ ଅଣଦେଖା ନକରି ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ବିଶେଷକରି ରାତିରେ ଅସ୍ୱାଭାବିକ ଭାବେ ଅଧିକ ଝାଳ ହେବା କିମ୍ବା ଅନ୍ୟ କୌଣସି ଲକ୍ଷଣ ସହ ଝାଳ ବଢ଼ିଲେ, ଏହାର ମୂଳ କାରଣ ଜାଣିବା ପାଇଁ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।