Tamil Nadu Church Collapse: ନିର୍ମାଣାଧୀନ ଚର୍ଚ୍ଚରେ ବଡ଼ ଦୁର୍ଘଟଣା: ଛାତ ଭୁଶୁଡ଼ି ୩ ଶ୍ରମିକ ମୃତ, ୧୧ ଆହତ

Sep 11, 2026 - 10:32
Tamil Nadu Church Collapse: ନିର୍ମାଣାଧୀନ ଚର୍ଚ୍ଚରେ ବଡ଼ ଦୁର୍ଘଟଣା: ଛାତ ଭୁଶୁଡ଼ି ୩ ଶ୍ରମିକ ମୃତ, ୧୧ ଆହତ

ନିର୍ମାଣାଧୀନ ଚର୍ଚ୍ଚର ଛାତ ଭୁଶୁଡ଼ି ପଡ଼ିବାରୁ ବଡ଼ ଅଘଟଣ ଘଟିଛି। ମାଟି ତଳେ ଚାପି ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ତାମିଲନାଡୁର ଭେଲ୍ଲୋର ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା।

ଗୁରୁବାର ରାତିରେ କାଟପାଡ଼ି ନିକଟ ମଣ୍ଡି କୃଷ୍ଣପୁରମରେ ନିର୍ମାଣାଧୀନ ‘ଚର୍ଚ୍ଚ ଅଫ୍ ସାଉଥ ଇଣ୍ଡିଆ’ରେ ଚାଲିଥିଲା ନିର୍ମାଣ କାମ। ଛାତରେ କଂକ୍ରିଟ୍ ଢଳାଇ କାମ ଚାଲିଥିବା ସମୟରେ ହଠାତ୍ ସ୍ଲାବ୍ ଭୁଶୁଡ଼ି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ କାମ କରୁଥିବା ଶ୍ରମିକମାନେ ଭାରୀ କଂକ୍ରିଟ୍, ଇଟା ଓ ପଥର ତଳେ ଫସି ଯାଇଥିଲେ।
୨୦ ଫୁଟ୍ ଉଚ୍ଚ ସ୍କାଫୋଲ୍ଡିଂ ଭୁଶୁଡ଼ି ପଡ଼ିଲା।

ପୁଲିସର ସୂଚନା ଅନୁସାରେ, ପ୍ରାୟ ୨୦ ଫୁଟ୍ ଉଚ୍ଚ ଷ୍ଟିଲ୍ ଓ ସପୋର୍ଟ ଫ୍ରେମୱର୍କ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଏହା ତଳେ ଅନେକ ଶ୍ରମିକ ଚାପି ହୋଇଯାଇଥିଲେ।

ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲା ଅଗ୍ନିଶମ ବାହିନୀ, ପୁଲିସ ଓ ଜିଲ୍ଲା ପ୍ରଶାସନ। ଅରକ୍କୋନମ୍‌ରୁ NDRF ଟିମ୍ ମଧ୍ୟ ପହଞ୍ଚି ମାଟି ତଳେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିଥିଲା।

୧୧ ଆହତ, ବିଭିନ୍ନ ହସ୍ପିଟାଲରେ ଚାଲିଛି ଚିକିତ୍ସା

ଦୁର୍ଘଟଣାରେ ଆହତ ୧୧ ଜଣ ଶ୍ରମିକଙ୍କୁ ଆମ୍ବୁଲାନ୍ସ ଯୋଗେ ଭେଲ୍ଲୋର ଗଭର୍ଣ୍ଣମେଣ୍ଟ ମେଡିକାଲ କଲେଜ୍ ହସ୍ପିଟାଲ, କ୍ରିଷ୍ଟିଆନ୍ ମେଡିକାଲ କଲେଜ୍ ହସ୍ପିଟାଲ ଏବଂ ଆନ୍ଧ୍ରପ୍ରଦେଶର ଚିତ୍ତୂରସ୍ଥିତ ଏକ ହସ୍ପିଟାଲକୁ ନିଆଯାଇଛି। ସେଠାରେ ଆହତଙ୍କ ମଧ୍ୟରୁ ଅତି କମ୍‌ରେ ୮ ଜଣଙ୍କ ଅବସ୍ଥା ସ୍ଥିର ରହିଛି।

ନିର୍ମାଣରେ ଥିଲା କି ସୁରକ୍ଷା ତ୍ରୁଟି?

ଏହି ଦୁର୍ଘଟଣା ପଛରେ କାରଣ କ’ଣ, ତାହା ନେଇ ଏବେ ତଦନ୍ତ ଆରମ୍ଭ ହେବ। ଚର୍ଚ୍ଚ ନିର୍ମାଣ ପାଇଁ ବିଲ୍ଡର ଆବଶ୍ୟକ ସମସ୍ତ ଅନୁମତି ଓ ବିଲ୍ଡିଂ ପରମିଟ୍ ନେଇଥିଲେ କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯିବ।

ନିର୍ମାଣାଧୀନ ଢାଞ୍ଚା କାହିଁକି ଭୁଶୁଡ଼ିଲା ଏବଂ କୌଣସି ପ୍ରକାରର ସୁରକ୍ଷା ତ୍ରୁଟି ଥିଲା କି ନାହିଁ, ସେନେଇ ପ୍ରଶାସନ ଏକ ତଦନ୍ତ କମିଟି ଗଠନ କରିବ ବୋଲି ଜିଲ୍ଲାପାଳ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।