Tata Steel Sells Jamshedpur FC: ମାତ୍ର ୧୦୦ ଟଙ୍କାରେ ଫୁଟବଲ୍ କ୍ଲବ୍ ବିକ୍ରି କରିଦେଲା ଟାଟା ଷ୍ଟିଲ୍
ଭାରତୀୟ ଫୁଟବଲ୍ରେ ବଡ଼ ଖବର। ଜାମସେଦପୁର FCକୁ ମାତ୍ର ୧୦୦ ଟଙ୍କାରେ ଚର୍ଚ୍ଚିଲ୍ ବ୍ରଦର୍ସକୁ ବିକ୍ରି କରିବ ଟାଟା ଷ୍ଟିଲ୍। କ୍ଲବ୍ର ୧୦୦ ପ୍ରତିଶତ ଅଂଶଧନ ହସ୍ତାନ୍ତର ପାଇଁ ଚୁକ୍ତି ହୋଇଛି। ଟାଟା ଷ୍ଟିଲ୍ର ନିର୍ଦ୍ଦେଶକ କମିଟି ଏହି ହସ୍ତାନ୍ତରକୁ ମଞ୍ଜୁରୀ ଦେଇଛି। ଜାମସେଦପୁର ଫୁଟବଲ୍ ଆଣ୍ଡ ସ୍ପୋର୍ଟିଂ ପ୍ରାଇଭେଟ୍ ଲିମିଟେଡ୍ର ୪.୦୮ କୋଟି ଇକ୍ୱିଟି ଶେୟାର୍ର ସମ୍ପୂର୍ଣ୍ଣ ଅଂଶଧନ ଚର୍ଚ୍ଚିଲ୍ ବ୍ରଦର୍ସକୁ ଦିଆଯିବ।
ତେବେ ଏହି ଡିଲ୍ ପାଇଁ ଏବେ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍, ଅର୍ଥାତ୍ AIFFର ଅନୁମୋଦନ ବାକି ରହିଛି। ଆର୍ଥିକ ବର୍ଷ 26ରେ ଜାମସେଦପୁର ଫୁଟବଲ୍ ଆଣ୍ଡ ସ୍ପୋର୍ଟିଂ ପ୍ରାଇଭେଟ୍ ଲିମିଟେଡ୍ ୩୨.୨୩ କୋଟି ଟଙ୍କାର ଟର୍ନଓଭର୍ ରେକର୍ଡ କରିଥିଲା। ଏହା ଟାଟା ଷ୍ଟିଲ୍ର କନସୋଲିଡେଟେଡ୍ ଟର୍ନଓଭର୍ର ମାତ୍ର ୦.୦୧ ପ୍ରତିଶତ ଥିଲା। ତେବେ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା JFSPLର ନେଟ୍ ୱର୍ଥ ୫.୮ କୋଟି ଟଙ୍କା ନେଗେଟିଭ୍ ଥିଲା।
ଟାଟା ଷ୍ଟିଲ୍ର କର୍ପୋରେଟ୍ ସର୍ଭିସେସ୍ ଉପାଧ୍ୟକ୍ଷ ଡିବି ସୁନ୍ଦର ରାମମ୍ କହିଛନ୍ତି, ଚର୍ଚ୍ଚିଲ୍ ବ୍ରଦର୍ସର ଭାରତୀୟ ଫୁଟବଲ୍ରେ ଏକ ଦୀର୍ଘ ଇତିହାସ ରହିଛି ଏବଂ ଏହି ଚୁକ୍ତି ଖେଳାଳି ଓ କୋଚ୍ମାନଙ୍କୁ କ୍ଲବ୍ ଫୁଟବଲ୍ ଜାରି ରଖିବାର ସୁଯୋଗ ଦେବ।
କ୍ଲବ୍ ବିକ୍ରି କଲେ ମଧ୍ୟ ଗ୍ରାସରୁଟ୍ ଫୁଟବଲ୍ରୁ ପଛକୁ ହଟିବ ନାହିଁ ଟାଟା ଷ୍ଟିଲ୍। ଟାଟା ଫୁଟବଲ୍ ଏକାଡେମୀ ଓ ଯୁବ ପ୍ରତିଭା ବିକାଶ ଉପରେ କମ୍ପାନୀର ଫୋକସ୍ ଜାରି ରହିବ। ଏହି ଏକାଡେମୀ ଏଯାଏଁ ୧୫୦ରୁ ଅଧିକ ଭାରତୀୟ ଖେଳାଳି ତିଆରି କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।