Teacher Shortage Crisis Deepens Across Odisha: ରାଜ୍ୟରେ ଦୂର ହେବ ସିଙ୍ଗଲ ଟିଚର ସ୍କୁଲ ସମସ୍ୟା, ଖୁବଶୀଘ୍ର ପୂରଣ ହେବ ଖାଲିଥିବା ପଦବୀ

Aug 08, 2026 - 20:01
Teacher Shortage Crisis Deepens Across Odisha: ରାଜ୍ୟରେ ଦୂର ହେବ ସିଙ୍ଗଲ ଟିଚର ସ୍କୁଲ ସମସ୍ୟା, ଖୁବଶୀଘ୍ର ପୂରଣ ହେବ ଖାଲିଥିବା ପଦବୀ

ଗୋଟିଏ ସ୍କୁଲ, ଜଣେ ଶିକ୍ଷକ। ଏକାଧିକ କ୍ଲାସର ପିଲାଙ୍କୁ ସିଏ ପଢ଼ାଉଛନ୍ତି ସାହିତ୍ୟ, ଗଣିତ ପୁଣି ଇଂରାଜୀ ପାଠ। ସମ୍ଭାଳୁଛନ୍ତି ଅଫିସ କାମ। ରାଜ୍ୟର ଅନେକ ସ୍କୁଲର ଏମିତି ବାସ୍ତବ ଚିତ୍ର। ମାତ୍ର ଜଣେ ଜଣେ ଶିକ୍ଷକରେ କେମିତି ସ୍କୁଲ ଚାଲୁଛି, ନିକଟରେ ଗ୍ରାଉଣ୍ଡ ରିଆଲିଟି ଦେଖାଇଥିଲା ଓଟିଭି। ଏହାପରେ ସିଙ୍ଗଲ ଟିଚର ସ୍କୁଲରେ ଶିକ୍ଷକ ନିଯୁକ୍ତି ନେଇ ବଡ଼ ପଦକ୍ଷେପ ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏକକ ଶିକ୍ଷକ ଥିବା ସ୍କୁଲଗୁଡ଼ିକୁ ଚିହ୍ନଟ କରିବେ ଜିଲ୍ଲାପାଳ। କେଉଁ ଜିଲ୍ଲାରେ କେତେ ସ୍କୁଲରେ ଶିକ୍ଷକ ଅଭାବ ରହିଛି, ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବେ। ନିର୍ଦ୍ଧାରିତ ଶିକ୍ଷକ-ଛାତ୍ର ଅନୁପାତ ବା PTRକୁ ସୁନିଶ୍ଚିତ କରିବେ ଜିଲ୍ଲାପାଳ। ୧୫ ଦିନ ଭିତରେ ଦେବେ ଆକ୍ସନ୍ ଟେକେନ୍ ରିପୋର୍ଟ। 

ଜିଲ୍ଲାପାଳଙ୍କ ରିପୋର୍ଟ ପରେ ରାସନାଲାଇଜେସନ୍ ପ୍ରକ୍ରିୟା ମାଧ୍ୟମରେ ବଦଳି, ସମନ୍ୱୟ କିମ୍ବା ନିୟୋଜନ କରି ପ୍ରତ୍ୟେକ ସ୍କୁଲରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଦିଆଯିବ। ଶିକ୍ଷା ଅଧିକାର ଆଇନର ନିୟମ ଅନୁସାରେ ପିଲାଙ୍କ ସଂଖ୍ୟା ଅନୁପାତରେ ଆବଶ୍ୟକ ଶିକ୍ଷକ ରହିବା ବାଧ୍ୟତାମୂଳକ। ତଥ୍ୟ କହୁଛି, ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ଏବେ ବି ଶିକ୍ଷକ ଅଭାବ ଏକ ବଡ଼ ସମସ୍ୟା। ଯାହାର ସିଧା ପ୍ରଭାବ ପଡୁଛି ପିଲାଙ୍କ ପାଠପଢ଼ା ଉପରେ।

ସରକାରଙ୍କ ଏହି ନିର୍ଦ୍ଦେଶ ଭିତରେ ରାଜ୍ୟର ଅନେକ ସ୍କୁଲରେ ଶିକ୍ଷକଙ୍କ ଭୟଙ୍କର ଅଭାବ ରହିଛ। ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଗୌଡିରଣପଡା ପ୍ରାଥମିକ ବିଦ୍ୟାଳୟ। ଏଠି କାର୍ଯ୍ୟରତ ଦୁଇ ଜଣ ଶିକ୍ଷକ ୫ମାସ ତଳେ ଅବସର ନେବା ପରେ ବିନା ଶିକ୍ଷକରେ ଚାଲିଛି ସ୍କୁଲ। ଛାତ୍ରଛାତ୍ରୀ ଆସୁଛନ୍ତି, ମଧ୍ୟାହ୍ନ ଭୋଜନ ଖାଉଛନ୍ତି। ପିଲାଙ୍କୁ ପାଚିକା ଜଗୁଥିବା ବେଳେ ପାଠପଢ଼ା ଏକଦମ୍ ଠପ୍ କହିଲେ ଚଳେ। ମଝିରେ ମଝିରେ ପାଖ ସ୍କୁଲର ଜଣେ ଶିକ୍ଷକ ଆସି ଦେଖାଶୁଣା କରି ଯାଉଛନ୍ତି। ସେଭଳି ଓଡ଼ିଶାର ବଡ଼ ଜିଲ୍ଲା ମୟୁରଭଞ୍ଜର ଏକାଧିକ ସ୍କୁଲରେ ବି ସମାନ ଅବସ୍ଥା। କିଛି ସ୍କୁଲରେ ଡେପୁଟେସନରେ ଶିକ୍ଷକ ଦିଆଯାଇଛି। ଖୁବଶୀଘ୍ର ନିଯୁକ୍ତି ଦିଆଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି। ସେମିତି ଜଗସିଂପୁର ଜିଲ୍ଲାରେ ୮ଟି ସ୍କୁଲରେ ମାତ୍ର ଜଣେ ଶିକ୍ଷକରେ ଚାଲିଛି ସ୍କୁଲ। ଏକାଧିକ କ୍ଲାସର ପିଲାଙ୍କୁ ସମ୍ଭାଳିବାରେ ନାକେଦମ୍ ହେଉଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ।

ପ୍ରାଥମିକ ଶିକ୍ଷକ ସଂଘର ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ବି ପ୍ରାୟ ୪୫ ହଜାର ଶିକ୍ଷକ ପଦବୀ ଖାଲି ପଡ଼ିଛି। ବାରମ୍ବାର ଆନ୍ଦୋଳନ ଓ ଦାବି ପରେ ସରକାରଙ୍କ ପଦକ୍ଷେପକୁ ସଂଘ ସ୍ବାଗତଯୋଗ୍ୟ କହିଛି। କିନ୍ତୁ ନିଷ୍ପତ୍ତି କାଗଜକଲମରେ ସୀମିତ ନରହି ବାସ୍ତବରେ କାର୍ଯ୍ୟକାରୀ ହେଉ ବୋଲି ଦାବି କରିଛନ୍ତି ଉଭୟ ଶିକ୍ଷକ ସଂଘ ଓ ଶିକ୍ଷାବିତ୍।

ଜାତୀୟ ଶିକ୍ଷାନୀତି ଆଧାରରେ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ଏହି ନିର୍ଦ୍ଦେଶନାମା କେତେ ଶୀଘ୍ର ଗ୍ରାଉଣ୍ଡରେ କାର୍ଯ୍ୟକାରୀ ହେଉଛି। କେବେ ଦୂର ହେବ ସିଙ୍ଗଲ ଟିଚର ସମସ୍ୟା, ତାଉପରେ ନଜର। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।