Teachers' Day: ଗୁରୁ ଦିବସରେ ସମ୍ମାନ ପାଇବେନି ଗୁରୁ: ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବ ବାତିଲ
ଭୁବନେଶ୍ବର: ଗୁରୁ ଦିବସରେ ଗୁରୁଙ୍କୁ ସମ୍ମାନ ମିଳିବ ନାହିଁ। ବିଦ୍ୟାଳୟ ଯିବେନି କି ଛାତ୍ରଛାତ୍ରୀଙ୍କ ଦ୍ବାରା ପୂଜା ପାଇବେନି। ବରଂ, ଖରାବର୍ଷାରେ ୨୦ ଦିନ ଧରି ବିଧାନସଭା ସମ୍ମୁଖରେ ଯେଉଁଭଳି ପଡ଼ି ରହିଛନ୍ତି ଗୁରୁ ଦିବସରେ ହିଁ ସେମିତି ହକ୍ ପାଇଁ ଲଢ଼ିବେ। କେବଳ ସେତିକି ନୁହେଁ, ବିଦ୍ୟାଳୟରେ ଗୁରୁ ଦିବସ ପାଳନ ହେବ ସତ। ମାତ୍ର କ୍ଲାସରୁମ୍ରେ ଶିକ୍ଷକ, ଶିକ୍ଷୟିତ୍ରୀ ରହିବେ ନାହିଁ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାଡ଼ି ସେମାନେ ରାଜଧାନୀ ରାଜରାସ୍ତାରେ ଦାବି ପୂରଣ ପାଇଁ ଧାରଣାରେ ବସିବେ। ଏ ତ ଗଲା ବିଦ୍ୟାଳୟସ୍ତରୀୟ ଗୁରୁ ଦିବସ କଥା। ରାଜ୍ୟ ସ୍ତରରେ ମଧ୍ୟ ଗୁରୁମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ନାହିଁ। ୨୦୨୬ ସେପ୍ଟେମ୍ବର ୫ ତଥା ଗୁରୁ ଦିବସ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୪ ଓ ୨୦୨୫ ମସିହା ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା ହୋଇଥିଲା। ଏପରିକି ସ୍ଥାନ ଓ ସମୟ ସ୍ଥିର ହୋଇ ପୁରସ୍କାର ପାଇବାକୁ ଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିମନ୍ତ୍ରଣପତ୍ର ପଠାଯାଇଥିଲା। ହେଲେ ଗୁରୁ ଦିବସର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ସେପ୍ଟେମ୍ବର ୩ରେ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି।
Flood in Bihar: ବିହାରରେ ବନ୍ୟା; ୮ ଜିଲ୍ଲାରେ ହାଇଆଲର୍ଟ, ଗଙ୍ଗା-କୋଶୀ ନଦୀ ବିପଦ ସଙ୍କେତ ଟପିଲା
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବ ବାତିଲ
ରାସ୍ତାକୁ ଓହ୍ଲାଇବେ ୨୦ ହଜାର ଶିକ୍ଷକ, ଶିକ୍ଷୟିତ୍ରୀ
ଏ ନେଇ ପଞ୍ଚସଖା ଶିକ୍ଷା ସେତୁ ସଙ୍ଗଠନର ସିଇଓ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖି ପୁରସ୍କାର କାର୍ଯ୍ୟକ୍ରମ ବାତିଲ ସମ୍ପର୍କରେ ଅବଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜରୁରୀ କାର୍ଯ୍ୟକ୍ରମ ରହିଥିବାରୁ ଏଭଳି ନିଷ୍ପତ୍ତି ହୋଇଥିବା ପତ୍ରରେ ଉଲ୍ଲେଖ ରହିଛି। ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ ଉତ୍ସବ ପରବର୍ତ୍ତୀ ସମୟରେ ଆୟୋଜନ କରାଯିବ। ସମୟ ଓ ତାରିଖ ସମ୍ପର୍କରେ ପରେ ସୂଚନା ଦିଆଯିବ ବୋଲି କୁହାଯାଇଛି। ଏ ସମ୍ପର୍କରେ ସମସ୍ତ ସମ୍ବର୍ଦ୍ଧିତ ବ୍ୟକ୍ତିବିଶେଷଙ୍କୁ ଅବଗତ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ସମ୍ବର୍ଦ୍ଧିତ ହେବାକୁ ଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଦୁଇ ବର୍ଷ ହେଲା ଗୁରୁମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ନ ଥିଲା। ଏଥର ରାଜ୍ୟ ସରକାର ଯେଉଁ ଆଶା ଦେଖାଇଥିଲେ ତାହା ମଧ୍ୟ ପୂରଣ କଲେ ନାହିଁ। ଆଗକୁ ପୁରସ୍କାର ପ୍ରଦାନ କରିବେ ନା ଏମିତି ଦିନ ଗଡ଼ାଇ ଚାଲିବା ଦ୍ବାରା ଜଣଙ୍କ ପରେ ଜଣେ ଯୋଗ୍ୟ ଗୁରୁଙ୍କ ଜୀବନ ଚାଲିଯିବ ବୋଲି ପ୍ରଶ୍ନ ଉଠାଇଛନ୍ତି।
MoU: ଏମବିଆର୍ ଓ ଏମଏସସିବି ବିଶ୍ୱବିଦ୍ୟାଳୟ ମଧ୍ୟରେ ଐତିହାସିକ ବୁଝାମଣା ପତ୍ର ସ୍ୱାକ୍ଷରିତ
ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ଆବାହକ ରଞ୍ଜନ କୁମାର ଦାଶ କହିଛନ୍ତି ଯେ ଅଗଷ୍ଟ ୧୬ ତଥା ଶିକ୍ଷକ ଦାବି ଦିବସଠାରୁ ୪ ଦଫା ଦାବିରେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ଅହୋରାତ୍ର ଗଣଧାରଣାରେ ବସିଛନ୍ତି। ରାତି ପରେ ରାତି ବିତିଯାଉଥିଲେ ମଧ୍ୟ ଦାବିଗୁଡ଼ିକ ପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି। ବରଂ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପାଠପଢ଼ା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ୨୦ ଦିନ ପରେ ମଧ୍ୟ ଅନୁଦାନ, ପେନ୍ସନ୍, ନିଯୁକ୍ତି ଓ ସରକାରୀକରଣ ଦାବି ପୂରଣ ହେଉ ନଥିବାରୁ ଗୁରୁ ଦିବସରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ପ୍ରାୟ ୨୦ ହଜାର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀଙ୍କୁ ନେଇ ବିଶାଳ ସମାବେଶ କରାଯିବ। ସ୍କୁଲ ବଞ୍ଚିଲେ ଶିକ୍ଷା ବଞ୍ଚିବ ଏବଂ ଶିକ୍ଷା ବଞ୍ଚିଲେ ଗାଁର ବିକାଶ ହେବ। ଆଗକୁ ପିଲାଙ୍କ ଅର୍ଦ୍ଧବାର୍ଷିକ ପରୀକ୍ଷା ହେବାକୁ ଥିବାରୁ ଏଥିପାଇଁ ଯାହା କ୍ଷତି ହେବ ସରକାରୀ ଦାୟୀ ରହିବେ ବୋଲି ଶ୍ରୀ ଦାଶ କହିଛନ୍ତି। ଅନ୍ୟପକ୍ଷରେ ଗୁରୁ ଦିବସ ଅବସରରେ ରାଜ୍ୟର ପ୍ରତ୍ୟେକ ବିଦ୍ୟାଳୟରେ ଗୁରୁ ଦିବସ ପାଳନ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପାଳନ ଅବସରରେ ଶିକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ଓ ଉତ୍ସର୍ଗୀକୃତ ଶିକ୍ଷାଦାନ ପାଇଁ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ସମ୍ମାନିତ କରାଯିବ। ବିଦ୍ୟାଳୟ ନିକଟସ୍ଥ ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିମନ୍ତ୍ରଣ କରି ସମ୍ମାନିତ କରିବାକୁ ପ୍ରଧାନଶିକ୍ଷକମାନଙ୍କୁ କୁହାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।