Teachers Protest on Teachers’ Day: ଗୁରୁଦିବସରେ ଗୁରୁଗର୍ଜନ; ହଜାର ହଜାର ଶିକ୍ଷକଙ୍କ ବିଶାଳ ବିକ୍ଷୋଭ, ୮ ଦଫା ଦାବିରେ ଆନ୍ଦୋଳନ

Sep 05, 2026 - 20:00
Teachers Protest on Teachers’ Day: ଗୁରୁଦିବସରେ ଗୁରୁଗର୍ଜନ; ହଜାର ହଜାର ଶିକ୍ଷକଙ୍କ ବିଶାଳ ବିକ୍ଷୋଭ, ୮ ଦଫା ଦାବିରେ ଆନ୍ଦୋଳନ

ଗୁରୁ ଦିବସରେ ଗୁରୁଗର୍ଜନ। ସ୍କୁଲ ବଦଳରେ ରାଜରାସ୍ତାରେ ଅଧିକାର ପାଇଁ ଲଢେଇ। ୮ ଦଫା ଦାବିରେ ରାଜଧାନୀରେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିକ୍ଷୋଭ। ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀ ଘଟଣାସ୍ଥଳକୁ ଯାଇ ସମାଧାନ ପ୍ରତିଶ୍ରୁତି ଦେଇଥିଲେ ବି ଜିଦରେ ଅଟଳ ଗୁରୁ। ସେପଟେ ସାରଙ୍କ ଆନ୍ଦୋଳନ ଯୋଗୁଁ ସାରା ରାଜ୍ୟରେ ଫିକା ପଡ଼ିଛି ଗୁରୁଦିବସ ପାଳନ । କେଉଁଠି ସ୍କୁଲରେ ତାଲା, ତ ଆଉ କେଉଁଠି ଜଣେ ଦୁଇ ଜଣ ଶିକ୍ଷକଙ୍କୁ ପୂଜା କରିଛନ୍ତି ପିଲା।

ସ୍କୁଲ୍ ନୁହେଁ, ଗାନ୍ଧୀ ମାର୍ଗ। ଫୁଲ ନୁହେଁ, ମୁଣ୍ଡଫଟା ଖରା। ଗୁରୁପୂଜା ନୁହେଁ, ହକ୍ ପାଇଁ ଗର୍ଜନ। ସ୍କୁଲରେ ତାଲା, ରାସ୍ତାରେ ସାର୍। ଆଜି ଗୁରୁଦିବସରେ ଏମିତି ଦୃଶ୍ୟ ଥିଲା ରାଜ୍ୟର ହଜାର ହଜାର ଶିକ୍ଷକ ଶିକ୍ଷତ୍ରୀଙ୍କର। ଟିଚର୍ସ ଡେ'ରେ ରାଜରାସ୍ତାରେ ବସିଥିଲେ ଗୁରୁ। ମୁଣ୍ଡ ଉପରେ ତତଲା ଖରା, ପାଦ ତଳେ ରାଜଧାନୀର ରାଜରାସ୍ତା। ତା ଭିତରେ ହାତରେ ଛତା, ଆଉ ମୁହଁରେ ଗୋଟିଏ ଦାବି- ଅଧିକାର ନମିଳିବା ଯାଏଁ ହଟିବୁନି। 

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ଆହ୍ୱାନରେ ୨୧ ଦିନରେ ଜୋରଦାର ହୋଇଛି ଆନ୍ଦୋଳନ। ଯେତେବେଳେ ପୂରା ଦେଶ ଗୁରୁ ଦିବସ ପାଳୁଛି, ସେତେବେଳେ ଖୋଲା ଆକାଶ ତଳେ ଅଧିକାର ପାଇଁ ଗର୍ଜିଛନ୍ତି ଓଡ଼ିଶାର ଗୁରୁ। ଲୋୟର ପିଏମଜିରେ ହଜାର ହଜାର ଶିକ୍ଷକ ଏକତ୍ରିତ ହୋଇ କରିଛନ୍ତି ବିଶାଳ ବିକ୍ଷୋଭ। ଅଭିଯୋଗ କରିଛନ୍ତି, ୨୫ରୁ ୩୦ ବର୍ଷ ଧରି ଶିକ୍ଷାଦାନ କରୁଛନ୍ତି। ପିଢିଏ ପରେ ପିଢ଼ି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିଛନ୍ତି। ହେଲେ ନିଜ ଭବିଷ୍ୟତ ପାଇଁ ଆଜି ରାଜରାସ୍ତାରେ ଲଢ଼ିବାକୁ ପଡ଼ୁଛି। 

ରାଜଧାନୀରେ ଶିକ୍ଷକ ଆନ୍ଦୋଳନର ସିଧା ପ୍ରଭାବ ପଡ଼ିଛି ଗାଁ ଗାଁରେ। କଟକରୁ କଣ୍ଟାବାଞ୍ଜି, ବାଲେଶ୍ବରରୁ ରାୟଗଡ଼ା। ରାଜ୍ୟବ୍ୟାପୀ ଫିକା ପଡ଼ିଛି ଗୁରୁଦିବସ ପାଳନ। ଏ ଚିତ୍ର ଭୋଗରାଇ ବ୍ଲକ ଆରୁହାବୃତ୍ତି ଗାଁର। ସ୍କୁଲ ଖାଁ ଖାଁ, ଗେଟରେ ତାଲା। ସତେ ଯେମିତି ଆଜି କେଉଁ ଛୁଟିଦିନ। ଗୁରୁ ଦିବସରେ ଶିକ୍ଷକଙ୍କୁ ନପାଇ ନିରାଶ ହୋଇ ଘରକୁ ଫେରିଛନ୍ତି ଛାତ୍ରୀ। ସାରମାନଙ୍କୁ ପୂଜା କରି ନପାରି ଯେତିକି ଦୁଃଖପ୍ରକାଶ କରିଛନ୍ତି ସେତିକି ଅସନ୍ତୋଷ ଝାଡ଼ିଛନ୍ତି। 

ସେହିପରି ରାୟଗଡ଼ା ଜିଲ୍ଲା ଗୁଣୁପୁର ଚିନ୍ନାସାରୀ ନେତାଜୀ ଉଚ୍ଚ ବିଦ୍ୟାଳୟରେ ଯଦିଓ ଗୁରୁଦିବସ ପାଳନ ହେଉଥିବା ବେଳେ ଅଧାରୁ ଅଧିକ ଶିକ୍ଷକ ଅନୁପସ୍ଥିତ। ମୋଟ ୮ ଜଣ ଶିକ୍ଷକଙ୍କୁ ୬ ଜଣ ରାଜଧାନୀ ଆନ୍ଦୋଳନରେ। ସମାନ ଚିତ୍ର ଦେଖିବାକୁ ମିଳିଛି କଟକ ଜିଲ୍ଲାର ଚୌଦ୍ବାର ଓ ଆଠଗଡ଼ ଅଞ୍ଚଳରେ। ଚୌଦ୍ୱାର ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀମାନେ ଗୁରୁଦିବସକୁ କଳାଦିବସ ଭାବେ ପାଳନ କରିଛନ୍ତି। 

୮ ଦଫା ଦାବିରେ ଆନ୍ଦୋଳନକୁ ଚଳାଇଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ। ଅନୁଦାନରୁ ବଞ୍ଚିତ ୧୯୪ ଓ ଅନ୍ୟ ବିଦ୍ୟାଳୟକୁ ତୁରନ୍ତ ଅନୁଦାନ, ନୂତନ ଅନୁଦାନପ୍ରାପ୍ତ ସ୍କୁଲର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କୁ ପେନସନ୍ ଓ ଅବସରକାଳୀନ ସୁବିଧା, ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ, ସମସ୍ତ ବିଦ୍ୟାଳୟକୁ ସରକାରୀ ଘୋଷଣା ଓ ଅବସର ବୟସ ୬୦ରୁ ୬୨ ବର୍ଷକୁ ବୃଦ୍ଧି। ତାଛଡ଼ା ଗ୍ରେଡ୍ ପେ'ର ଅସଙ୍ଗତି ଦୂର କରିବା ସହ ସପ୍ତମ ବେତନରୁ ବାଦ୍ ପଡ଼ିଥିବା ଶିକ୍ଷକଙ୍କୁ ସପ୍ତମ ବେତନ ପ୍ରଦାନ କରିବାକୁ ଦାବି କରୁଛନ୍ତି ଶିକ୍ଷକ ଶକ୍ଷୟିତ୍ରୀ। 

ଏପଟେ ଲୋୟର ପିଏମଜି ଆନ୍ଦୋଳନସ୍ଥଳକୁ ଯାଇ ଆଶ୍ୱାସନା ଦେଇଛନ୍ତି ଦୁଇ ମନ୍ତ୍ରୀ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶିକ୍ଷକଙ୍କୁ ବୁଝାସୁଝା କରିବା ସହିତ ଖୁବ କମ୍ ସମୟରେ ସମସ୍ୟା ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଶିକ୍ଷକଙ୍କ ସମସ୍ୟା ନେଇ ଏ.କେ. ତ୍ରିପାଠୀ କମିଟିର ୮ ଶହ ପୃଷ୍ଠାର ୭୯ଟି ରିପୋର୍ଟ ସରକାରଙ୍କ ହସ୍ତଗତ ହୋଇଛି। 

ପ୍ରତିନିଧି ମଣ୍ଡଳୀ ସହ ସରକାର ବିସ୍ତୃତ ଭାବେ ଆଲୋଚନା କରିବେ। କମିଟିର ରିପୋର୍ଟର ତର୍ଜମା କରି ନିଷ୍ପତ୍ତି ନିଆଯିବ। ସେପଟେ ଏବେ ବି ଜିଦରେ ଅଟଳ ରହିଛି ଶିକ୍ଷକ ସଂଗଠନ। ଲିଖିତ ପ୍ରତିଶ୍ରୁତି ନମିଳିବା ଯାଏଁ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।