Terrifying Nepal Floods: ନେପାଳର ଭୟଙ୍କର ବନ୍ୟାରେ ଭାସିଗଲା ମାଲେଖୁ ବ୍ରିଜ୍, ସାମ୍ନାକୁ ଆସିଲା ଭୟାବହ ଭିଡିଓ
ନେପାଳରେ ଭୟଙ୍କର ଆକସ୍ମିକ ବନ୍ୟା ଯୋଗୁଁ ବ୍ୟାପକ ଧ୍ୱଂସ ହୋଇଛି। ଏହାରି ମଧ୍ୟରେ ଅନେକ ଭୟାବହ ଦୃଶ୍ୟ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଏକ ବିଶାଳ ବ୍ରିଜ୍ ଭୁଶୁଡ଼ି ପଡ଼ିବା ସହ ବନ୍ୟାଜଳରେ ଭାସିଯାଉଥିବା ଦେଖାଯାଉଛି।
ନେପାଳର ଧାଦିଙ୍ଗ ଜିଲ୍ଲାର ମାଲେଖୁ ଅଞ୍ଚଳ ଦେଇ ଭୟଙ୍କର ବନ୍ୟାଜଳ ପ୍ରବାହିତ ହେବା ସମୟରେ ଏହି ଘଟଣା ଘଟିଛି। ଭୟଙ୍କର ଭିଡିଓରେ ପ୍ରଖର ସ୍ରୋତ ବ୍ରିଜ୍କୁ ଧକ୍କା ଦେଉଥିବା ଦେଖାଯାଉଛି। କିଛି ସମୟ ପରେ ବ୍ରିଜ୍ଟି ବନ୍ୟାଜଳର ଚାପ ସହିନପାରି ପ୍ରଖର ସ୍ରୋତରେ ଭାସିଯାଇଥିଲା।
ଏହି ଭିଡିଓ ଗଜୁରୀ ରୁରାଲ୍ ପୌରପାଳିକା-୨ ଅଞ୍ଚଳର ମାଲେଖୁ ବ୍ରିଜ୍ର ବୋଲି ଜଣାପଡ଼ିଛି। ନେପାଳରେ ଜାରି ରହିଥିବା ମୌସୁମୀ ବର୍ଷା ସମୟରେ ରାସ୍ତା ଓ ବ୍ରିଜ୍ଗୁଡ଼ିକ ପ୍ରତି ବଢ଼ୁଥିବା ବିପଦକୁ ଏହି ଘଟଣା ସ୍ପଷ୍ଟ କରିଛି।
ନେପାଳର ତିବ୍ବତ ସୀମାନ୍ତ ରସୁୱା ଜିଲ୍ଲାରେ ଭୟଙ୍କର ବନ୍ୟା ଯୋଗୁଁ ଗାଁଗୁଡ଼ିକ ପ୍ରଭାବିତ ହୋଇଛି। ବୁଧବାର ଆସିଥିବା ଏହି ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରାୟ ୪୦୦ ଜଣ ନିଖୋଜ ଥିବା ବେଳେ ସେମାନଙ୍କ ମଧ୍ୟରେ ୧୦୫ ଜଣ ଭାରତୀୟ ଓ ୩୭ ଜଣ ପ୍ରବାସୀ ଭାରତୀୟ ରହିଛନ୍ତି।
ଅଧିକାଂଶ ଭାରତୀୟ ତୀର୍ଥଯାତ୍ରୀ ତିବ୍ବତର କୈଳାସ ମାନସରୋବର ଯାତ୍ରା ପାଇଁ ଯାଉଥିଲେ। ତିବ୍ବତ ସୀମାନ୍ତ ନେପାଳର ଦୁଇଟି କେନ୍ଦ୍ରୀୟ ଜିଲ୍ଲାରେ ହଠାତ୍ ବଡ଼ ବନ୍ୟା ଆସିଥିଲା। ଏଥିରେ ନଦୀ କୂଳରେ ଥିବା ବସତିଗୁଡ଼ିକରେ ବ୍ୟାପକ କ୍ଷତି ହୋଇଛି। ଏହାସହ ଅତିକମରେ ୧୨ଟି ଜଳବିଦ୍ୟୁତ ପ୍ରକଳ୍ପ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ସ୍ଥାନୀୟ ସମୟ ପ୍ରାୟ ସକାଳ ୯ଟାରେ ତିବ୍ବତ ପଟୁ ଭୋଟେ କୋଶୀ ନଦୀରେ ବନ୍ୟାଜଳ ମାଡ଼ି ଆସିଥିଲା। ଏହାର ପ୍ରଭାବ ରସୁୱା ଓ ଧାଦିଙ୍ଗ ଜିଲ୍ଲା ସହ ତିବ୍ବତ ସୀମାନ୍ତ ଅଞ୍ଚଳରେ ପଡ଼ିଥିଲା। କାଠମାଣ୍ଡୁର ଦକ୍ଷିଣ-ପଶ୍ଚିମରେ ଥିବା ନୁୱାକୋଟ ଜିଲ୍ଲା ମଧ୍ୟ ପ୍ରଭାବିତ ହୋଇଛି।
ନେପାଳ ଟୁରିଜମ୍ ବୋର୍ଡ (NTB)ର ସୂଚନା ଅନୁସାରେ, ରସୁୱା ବନ୍ୟାରେ ମୋଟ ୩୮୪ ଜଣ ପର୍ଯ୍ୟଟକ ନିଖୋଜ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୯୧ ଜଣ ବିଦେଶୀ ଓ ୯୩ ଜଣ ନେପାଳୀ ନାଗରିକ ଅଛନ୍ତି।
ନିଖୋଜଙ୍କ ମଧ୍ୟରେ ୧୦୫ ଜଣ ଭାରତୀୟ ପର୍ଯ୍ୟଟକ, ୩୭ ଜଣ ଏନଆରଆଇ ଏବଂ ଆମେରିକା, ମାଲେସିଆ, ବ୍ରିଟେନ୍, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ୍ସର ପର୍ଯ୍ୟଟକ ରହିଛନ୍ତି।
ଭାରତୀୟ ଦୂତାବାସ ପକ୍ଷରୁ ଜରୁରୀ ନମ୍ବର ଜାରି
ନିଖୋଜ ଭାରତୀୟଙ୍କ ମଧ୍ୟରୁ ଅତିକମରେ ୫୯ ଜଣ କୈଳାସ ମାନସରୋବର ଯାତ୍ରାର ତୀର୍ଥଯାତ୍ରୀ ଥିବା ଜଣାପଡ଼ିଛି। ଏକ ଟୁର୍ସ ଆଣ୍ଡ ଟ୍ରାଭେଲ୍ ଏଜେନ୍ସି ଏହି ସୂଚନା ଦେଇଛି।
ବନ୍ୟା ପ୍ରଭାବିତ ଭାରତୀୟ ନାଗରିକଙ୍କ ସମ୍ପର୍କରେ ସୂଚନା ଓ ସହାୟତା ପାଇଁ କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ଜରୁରୀ ନମ୍ବର ଜାରି କରିଛି। ଏକ୍ସରେ ଏକ ପୋଷ୍ଟ କରି ଦୂତାବାସ ପକ୍ଷରୁ +୯୭୭ ୯୮୫ ୧୩୧ ୬୮୦୭ ଏବଂ +୯୭୭ ୯୭୦ ୯୧୦ ୭୫୦୦ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି।
ନେପାଳ ଟୁରିଜମ୍ ବୋର୍ଡ ମଧ୍ୟ ସହାୟତା ପାଇଁ ଜରୁରୀ ନମ୍ବର ଜାରି କରିଛି। ଏଥିରେ ଟୋଲ୍ ଫ୍ରି ନମ୍ବର ୧୨୩୪, ହେଲ୍ପଲାଇନ୍ ୧୧୪୪ ଏବଂ ଟୁରିଷ୍ଟ ପୋଲିସ ନମ୍ବର ୯୮୫୧୨୮୯୪୪୫ ରହିଛି।
ଏହି ଘଟଣା ପରେ ନେପାଳ ଟୁରିଜମ୍ ବୋର୍ଡ, ଟୁରିଷ୍ଟ ପୋଲିସ ଏବଂ ବିଭିନ୍ନ ପର୍ଯ୍ୟଟନ ସଂଗଠନ ପ୍ରଭାବିତ ଅଞ୍ଚଳରେ ଥିବା କିମ୍ବା ସେହି ଅଞ୍ଚଳ ଦେଇ ଯାତ୍ରା କରୁଥିବା ଲୋକଙ୍କ ସୁରକ୍ଷା ଓ ଅବସ୍ଥିତି ଯାଞ୍ଚ କରୁଛନ୍ତି। ନିଖୋଜ ଲୋକଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।