The Dirty Picture 2 Update: ପୁଣି ଫେରୁଛି ‘ଦ ଡର୍ଟି ପିକ୍ଚର’ କିଏ ହେବେ ନାୟିକା? ନୂଆ ବାୟୋପିକ୍କୁ ନେଇ ବଢ଼ିଲା ଉତ୍କଣ୍ଠା
ବଲିଉଡ୍ର ବହୁଚର୍ଚ୍ଚିତ ଫିଲ୍ମ ‘ଦ ଡର୍ଟି ପିକ୍ଚର’ ପୁଣିଥରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଆସୁଛି। ଫିଲ୍ମର ନିର୍ମାତା ଏକତା କପୁର ଏହାର ସିକ୍ୱେଲ ‘ଦ ଡର୍ଟି ପିକ୍ଚର ୨’ ନିର୍ମାଣ ନେଇ ସୂଚନା ଦେଇଛନ୍ତି। ତେବେ ଏଥର ଫିଲ୍ମର କାହାଣୀ କାହା ଜୀବନକୁ ନେଇ ଗତିଶୀଳ ହେବ, ତାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଛି।
ସିକ୍ୱେଲକୁ ନେଇ କ'ଣ କହିଲେ ଏକତା?
ନିକଟରେ ରଣବୀର ଆଲ୍ଲାହବାଦିଆଙ୍କ ପଡ୍କାଷ୍ଟରେ ଯୋଗଦେଇ ଏକତା କପୁର ଏହି ଫିଲ୍ମ ସମ୍ପର୍କରେ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ଦୀର୍ଘଦିନ ଧରି ସେ ‘ଦ ଡର୍ଟି ପିକ୍ଚର’ର ସିକ୍ୱେଲ ନିର୍ମାଣ କଥା ଚିନ୍ତା କରୁଥିଲେ। ଏବେ ତାଙ୍କୁ ଏପରି ଏକ କାହାଣୀ ମିଳିଛି, ଯାହାକୁ ସେ ବଡ଼ ପରଦାରେ ଦର୍ଶକଙ୍କ ସାମ୍ନାକୁ ଆଣିବାକୁ ଚାହୁଁଛନ୍ତି।
ପ୍ରଥମ ଫିଲ୍ମ ଭଳି ଦ୍ୱିତୀୟ ଭାଗ ମଧ୍ୟ ଜଣେ ବ୍ୟକ୍ତିଙ୍କ ଜୀବନୀ ଉପରେ ଆଧାରିତ ହେବ। କିନ୍ତୁ ଏହା କାହା ଜୀବନ କାହାଣୀ ହେବ, ସେନେଇ ଏକତା କୌଣସି ସୂଚନା ଦେଇନାହାନ୍ତି।
ସିଲ୍କ ସ୍ମିତାଙ୍କ ଜୀବନୀ ଉପରେ ଆଧାରିତ ଥିଲା ପ୍ରଥମ ଫିଲ୍ମ
୨୦୧୧ ମସିହାରେ ମୁକ୍ତିଲାଭ କରିଥିବା ‘ଦ ଡର୍ଟି ପିକ୍ଚର’କୁ ମିଲନ ଲୁଥରିଆ ନିର୍ଦ୍ଦେଶନା ଦେଇଥିଲେ। ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସିଲ୍କ ସ୍ମିତାଙ୍କ ଜୀବନରୁ ପ୍ରେରିତ ଏହି ଫିଲ୍ମରେ ବିଦ୍ୟା ବାଲନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ସହ ନସିରୁଦ୍ଦିନ ଶାହ, ଇମ୍ରାନ ହାଶମୀ ଓ ତୁଷାର କପୁରଙ୍କୁ ଦେଖିବାକୁ ମିଳିଥିଲା।
ଏକତାଙ୍କ କହିବା ଅନୁସାରେ, ସିଲ୍କ ସ୍ମିତାଙ୍କୁ ସେ କେବେ ଜଣେ ପୀଡ଼ିତା ଭାବେ ଦେଖି ନଥିଲେ। ବରଂ ନିଜ ଯୌନ ସ୍ୱାଧୀନତାକୁ ଖୋଲାଖୋଲି ଗ୍ରହଣ କରିଥିବା ଜଣେ ସାହସୀ ମହିଳା ଭାବେ ଦେଖିଥିଲେ।
ସୂଚନାଯୋଗ୍ୟ, ସିଲ୍କ ସ୍ମିତା ପ୍ରାୟ ୧୮ ବର୍ଷର ଅଭିନୟ କ୍ୟାରିୟରରେ ୪୫୦ରୁ ଅଧିକ ଫିଲ୍ମରେ କାମ କରିଥିଲେ। ମାତ୍ର ୩୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପଟେ ଏହି ଫିଲ୍ମରେ ଦମଦାର ଅଭିନୟ ପାଇଁ ବିଦ୍ୟା ବାଲନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା।
ଏବେ ‘ଦ ଡର୍ଟି ପିକ୍ଚର ୨’ରେ କିଏ ମୁଖ୍ୟ ଭୂମିକାରେ ନଜର ଆସିବେ ଏବଂ କାହା ଜୀବନର ଅକୁହା କାହାଣୀ ପରଦାକୁ ଆସିବ, ତାହା ଜାଣିବାକୁ ଦର୍ଶକ ଅପେକ୍ଷା କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।