Three Family Members Die: ମୋବାଇଲକୁ ନେଇ ଝଗଡ଼ା, ପାହାଡ଼ ଚଢ଼ିଗଲା ପୁଅ; ତା’ପରେ ଚାଲିଗଲା ପୂରା ପରିବାରର ୩ ଜୀବନ

Aug 22, 2026 - 10:30
Three Family Members Die: ମୋବାଇଲକୁ ନେଇ ଝଗଡ଼ା, ପାହାଡ଼ ଚଢ଼ିଗଲା ପୁଅ; ତା’ପରେ ଚାଲିଗଲା ପୂରା ପରିବାରର ୩ ଜୀବନ

ନୂଆ ମୋବାଇଲ ଫୋନ୍‌କୁ ନେଇ ବିବାଦ। ଏହାପରେ ପାହାଡ଼ ଉପରକୁ ଚଢ଼ିଗଲେ ୧୮ ବର୍ଷୀୟ ଯୁବକ। ପ୍ରାୟ ୩ ଘଣ୍ଟା ଧରି ପାହାଡ଼ କଡ଼ରେ ଠିଆ ହୋଇ ରହିଥିବା ପୁଅକୁ ଘରକୁ ଫେରାଇ ଆଣିବାକୁ ବାପା ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କୁ ବଞ୍ଚାଇବାକୁ ଯାଇ ଘଟିଗଲା ଅଘଟଣ। ପୁଅର ହାତ ଧରିବା ସମୟରେ ଉଭୟ ଖାଇକୁ ଖସିପଡ଼ିଥିଲେ। ଏହାର କିଛି ସମୟ ପରେ ମା’ ମଧ୍ୟ ଖାଇକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଘଟଣାରେ ପରିବାରର ତିନିଜଣଙ୍କ ମୃତ୍ୟୁ ହୋଇଛି।

ଏହି ହୃଦୟବିଦାରକ ଘଟଣା ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଜିଲ୍ଲାର ସୋଲାପୁର-ଧୁଲେ ରାଜପଥରେ ତିସଗାଁ ନିକଟ ଖବଡ୍ୟା ଡୋଙ୍ଗର ଅଞ୍ଚଳରେ ଘଟିଛି। ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

୩ ଘଣ୍ଟା ଧରି ପାହାଡ଼ କଡ଼ରେ ଠିଆ ଥିଲେ କୁନାଲ

ସୂଚନା ଅନୁଯାୟୀ, ସକାଳ ପ୍ରାୟ ୧୧ଟା ୩୩ ମିନିଟ୍‌ରେ ଦମକଳ ବାହିନୀକୁ ଖବର ମିଳିଥିଲା ଯେ, ଜଣେ ଯୁବକ ପାହାଡ଼ରୁ ଖାଇକୁ ଡେଇଁ ପଡ଼ିବାକୁ ଚେଷ୍ଟା କରୁଛନ୍ତି। ଖବର ପାଇବା ପରେ ପଦମପୁରା ଅଗ୍ନିଶମନ କେନ୍ଦ୍ରର ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା।

୧୮ ବର୍ଷୀୟ କୁନାଲ ପ୍ରାୟ ୩ ଘଣ୍ଟା ଧରି ପାହାଡ଼ର ଏକଦମ୍‌ କଡ଼ରେ ଠିଆ ହୋଇ ରହିଥିଲେ। ସ୍ଥାନୀୟ ଲୋକ, ପୁଲିସ ଓ ଅଗ୍ନିଶମନ କର୍ମଚାରୀମାନେ ତାଙ୍କୁ ବୁଝାଇ ତଳକୁ ଆଣିବାକୁ ଚେଷ୍ଟା କରିଥିଲେ। ହେଲେ କୁଣାଲ ନିଜ ସ୍ଥାନ ବଦଳାଇବା ସହ ବାରମ୍ବାର ଖାଇକୁ ଡେଇଁ ପଡ଼ିବାକୁ ଧମକ ଦେଉଥିଲେ।

ପୁଅର ହାତ ଧରିଲେ ବାପା

ପୁଅକୁ ବଞ୍ଚାଇବା ପାଇଁ ବାପା ମୁରଲୀଧର ଧୀରେ ଧୀରେ ତାଙ୍କ ନିକଟକୁ ଯାଇଥିଲେ। ଶେଷରେ ସେ କୁନାଲଙ୍କ ହାତ ଧରିବାରେ ସଫଳ ହୋଇଥିଲେ। କିନ୍ତୁ ଠିକ୍‌ ସେହି ସମୟରେ କୁନାଲ ତଳକୁ ଖସିପଡ଼ିଥିଲେ। ପୁଅର ହାତ ଧରିଥିବାରୁ ମୁରଲୀଧର ମଧ୍ୟ ତାଙ୍କ ସହ ଖାଇକୁ ଖସିଯାଇଥିଲେ।

ସ୍ୱାମୀ ଓ ପୁଅଙ୍କ ପରେ ଡେଇଁ ପଡ଼ିଲେ ମା

ପୁଅ ଓ ସ୍ୱାମୀ ଖାଇକୁ ଖସିପଡ଼ିବା ପରେ ମା’ ସଙ୍ଗୀତା ମଧ୍ୟ ଗଭୀର ଭାବେ ଭାଙ୍ଗି ପଡ଼ିଥିବା କୁହାଯାଉଛି। କିଛି ସମୟ ପରେ ସେ ମଧ୍ୟ ଖାଇକୁ ଡେଇଁ ପଡ଼ିଥିଲେ। ଫଳରେ ଏହି ଦୁଃଖଦ ଘଟଣାରେ ମୁରଲୀଧର, ସଙ୍ଗୀତା ଓ ତାଙ୍କ ପୁଅ କୁନାଲଙ୍କ ମୃତ୍ୟୁ ହୋଇଛି।

ଉଦ୍ଧାର ପାଇଁ ବିଛାଯାଇଥିଲା ସୁରକ୍ଷା ଜାଲ

ଯୁବକଙ୍କୁ ବଞ୍ଚାଇବା ପାଇଁ ଅଗ୍ନିଶମନ କର୍ମଚାରୀମାନେ ପାହାଡ଼ ତଳେ ସୁରକ୍ଷା ଜାଲ ବିଛାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ କୁନାଲ ବାରମ୍ବାର ପାହାଡ଼ କଡ଼ରେ ନିଜ ସ୍ଥାନ ବଦଳାଉଥିବାରୁ ଉଦ୍ଧାରକାରୀଙ୍କ ଚେଷ୍ଟା ସଫଳ ହୋଇନଥିଲା।

ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ତିନିଜଣଙ୍କ ମୃତ୍ୟୁର ପ୍ରକୃତ ପରିସ୍ଥିତି ଓ ଘଟଣାର ଅନ୍ୟାନ୍ୟ ଦିଗ ତଦନ୍ତ ପରେ ସ୍ପଷ୍ଟ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।