Three Siblings Find New Shelter: ଘର ଭାଙ୍ଗିଦେଲା ଅର୍ଣ୍ଣବ, ଛଟପଟ ହେଉଥିଲା ୩ ଜୀବନ; ସାହାରା ହୋଇ ଠିଆହେଲା ପ୍ରଶାସନ
କୁନି କୁନି ଆଖିରେ ଥିଲା ଅନେକ ସ୍ୱପ୍ନ।
ଖେଳିବା, ପାଠ ପଢ଼ିବା ଓ ବାପାମାଆଙ୍କ ସ୍ନେହରେ ବଢ଼ିବା ଥିଲା ବୟସ।
ହେଲେ ଜୀବନର ଆରମ୍ଭରୁ ଏହି ତିନି ଭାଇଭଉଣୀଙ୍କୁ ଦେଖିବାକୁ ପଡ଼ିଛି ଅସହାୟତାର କଠୋର ଚିତ୍ର।
ମାଆର ପଣତକାନି ଧରି ଖେଳିବା ବୟସରେ ମାଆ ସବୁଦିନ ପାଇଁ ଆଖି ବୁଜିଦେଲେ।
Advertisment ମାଆଙ୍କ ମୃତ୍ୟୁ ପରେ ବାପା ମଧ୍ୟ ତିନି ଶିଶୁଙ୍କୁ ଛାଡ଼ି କେଉଁଆଡ଼େ ଚାଲିଗଲେ।
ଫଳରେ ଦୁନିଆକୁ ଭଲଭାବେ ବୁଝିବା ପୂର୍ବରୁ ସେମାନଙ୍କ ମୁଣ୍ଡ ଉପରୁ ଉଠିଗଲା ବାପାମାଆଙ୍କ ସାହାରା।
ଏହି ହୃଦୟବିଦାରକ କାହାଣୀ ହେଉଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଗୋଠେଇ ଗାଁର ତିନି ଭାଇଭଉଣୀଙ୍କର।
ଦୁଇ ଭଉଣୀଙ୍କ ମଧ୍ୟରୁ ଜଣଙ୍କ ବୟସ ୧୨ ବର୍ଷ ଓ ଅନ୍ୟଜଣଙ୍କ ବୟସ ମାତ୍ର ୬ ବର୍ଷ।
ସେମାନଙ୍କ ସହ ରହୁଥିଲା ୧୦ ବର୍ଷର ଭାଇ।
ବାପାମାଆଙ୍କ ଅନୁପସ୍ଥିତିରେ ଝାଟିମାଟିର ଏକ ଭଙ୍ଗା ଦଦରା ଘରେ ଏକାକୀ ଦିନ କାଟୁଥିଲେ ଏହି ତିନି ଶିଶୁ।
Advertisment ସ୍ଥିତି ଯେତେବେଳେ ଆଗରୁ ଦୁର୍ବିସହ ଥିଲା, ସେତେବେଳେ ବାତ୍ୟା 'ଅର୍ଣ୍ଣବ' ସେମାନଙ୍କ ଜୀବନରେ ଆଉ ଏକ ବଡ଼ ଆଘାତ ନେଇଆସିଲା।
ବାତ୍ୟା ପ୍ରଭାବରେ ସେମାନେ ରହୁଥିବା ଝାଟିମାଟି ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା।
ମୁଣ୍ଡ ଗୁଞ୍ଜିବାକୁ ଜାଗାଟିଏ ମଧ୍ୟ ନଥିବାରୁ ତିନି ଭାଇଭଉଣୀ ଆହୁରି ଅସହାୟ ହୋଇପଡ଼ିଥିଲେ।
ତିନି ଶିଶୁଙ୍କ ଏଭଳି ଦୟନୀୟ ଅବସ୍ଥା ସମ୍ପର୍କରେ ରାୟଗଡ଼ ବ୍ଲକ୍ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଜିଲ୍ଲା ପ୍ରଶାସନକୁ ଅବଗତ କରିଥିଲେ।
ସୂଚନା ପାଇବା ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଚାଇଲ୍ଡ ହେଲ୍ପଲାଇନ୍ କର୍ମଚାରୀ ଗାଁରେ ପହଞ୍ଚିଥିଲେ।
ପରେ ତିନି ଶିଶୁଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡିସ୍ଥିତ ଉତ୍କଳ ବାଳାଶ୍ରମରେ ଥଇଥାନ କରାଯାଇଛି।
ଏନେଇ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ ତ୍ରିପାଠୀ ସୂଚନା ଦେଇଛନ୍ତି।
ଶିଶୁମାନଙ୍କ ସୁରକ୍ଷା, ଖାଦ୍ୟ, ରହିବା ବ୍ୟବସ୍ଥା ସହ ସେମାନଙ୍କ ପାଠପଢ଼ା ଦିଗରେ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯାଇଛି।
ଏବେ ତିନି ଭାଇଭଉଣୀଙ୍କୁ ମିଳିଛି ସୁରକ୍ଷିତ ଆଶ୍ରୟ, ନିୟମିତ ଖାଦ୍ୟ ଓ ଶିକ୍ଷାର ସୁଯୋଗ।
ଯେଉଁ ବୟସରେ ବାପାମାଆଙ୍କ କୋଳରେ ହସିଖେଳି ବଡ଼ ହେବା କଥା, ସେହି ବୟସରେ ସେମାନେ ଜୀବନର କଠିନ ସତ୍ୟ ସହ ଲଢ଼ୁଛନ୍ତି।
ତେବେ ଦୁଃଖ ଓ ଅସହାୟତା ମଧ୍ୟରେ ଏବେ ସେମାନଙ୍କ ପାଇଁ ନୂଆ ଆଶାର ଆଲୋକ ପାଲଟିଛି ଗଜପତି ଜିଲ୍ଲା ପ୍ରଶାସନ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।