Thyroid Breakfast Guide: ଆପଣଙ୍କର ଥାଇରଏଡ ଅଛି କି: ଜାଣନ୍ତୁ ସକାଳେ କ’ଣ ଖାଇବେ ଏବଂ ଔଷଧ ପରେ କେବେ ଜଳଖିଆ କରିବେ
ଥାଇରଏଡ୍ ସମସ୍ୟା ଥିଲେ କେବଳ ଔଷଧ ନେବା ଯଥେଷ୍ଟ ନୁହେଁ, ଖାଦ୍ୟପାନୀୟ ଓ ଦୈନନ୍ଦିନ ଜୀବନଶୈଳୀ ଉପରେ ମଧ୍ୟ ଧ୍ୟାନ ଦେବା ଜରୁରୀ। ବିଶେଷକରି ସକାଳର ଜଳଖିଆ ଏମିତି ହେବା ଉଚିତ, ଯେଉଁଥିରୁ ଶରୀରକୁ ପ୍ରୋଟିନ୍, ଫାଇବର୍, ଭିଟାମିନ୍ ଓ ଆବଶ୍ୟକ ମିନେରାଲ୍ ମିଳିପାରିବ।
ତେବେ ଗୋଟିଏ କଥା ମନେ ରଖିବା ଜରୁରୀ—କୌଣସି ଗୋଟିଏ ଖାଦ୍ୟ ସିଧାସଳଖ T3 ଓ T4 ହର୍ମୋନ୍କୁ ‘ବାଲାନ୍ସ’ କରିଦେଇପାରେ ନାହିଁ। କିନ୍ତୁ ସନ୍ତୁଳିତ ଡାଏଟ୍ ଶରୀରକୁ ଆବଶ୍ୟକ ପୋଷକତତ୍ତ୍ୱ ଦେଇ ସାମଗ୍ରିକ ସ୍ୱାସ୍ଥ୍ୟକୁ ସହାୟତା କରିପାରେ।
ଜଳଖିଆରେ ପ୍ରୋଟିନ୍କୁ ଦିଅନ୍ତୁ ପ୍ରାଥମିକତା
ଥାଇରଏଡ୍ ସମସ୍ୟା ଥିବା ଲୋକଙ୍କ ପାଇଁ ପ୍ରୋଟିନ୍ ଯୁକ୍ତ ଜଳଖିଆ ଭଲ ବିକଳ୍ପ ହୋଇପାରେ। ପ୍ରୋଟିନ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟ ଭରିବାର ଅନୁଭୂତି ଦେଇପାରେ ଏବଂ ଅନାବଶ୍ୟକ ସ୍ନାକିଂ କମାଇବାରେ ସାହାଯ୍ୟ କରିପାରେ। ଏଥିପାଇଁ ଅଣ୍ଡା, ପନିର୍, ଦହି, ମୁଗଡାଲି ଚିଲା, ବେସନ୍ ଚିଲା କିମ୍ବା ଅଙ୍କୁରିତ ଡାଲି ଭଳି ଖାଦ୍ୟ ଖାଇପାରିବେ। ଶାକାହାରୀମାନଙ୍କ ପାଇଁ ଡାଲି ଓ ପନିର୍ ଉପଯୁକ୍ତ ବିକଳ୍ପ ହୋଇପାରେ।
ହୋଲ୍ ଗ୍ରେନ୍ ଓ ଫାଇବରକୁ କରନ୍ତୁ ସାମିଲ
ସକାଳେ ମଇଦା କିମ୍ବା ଅତ୍ୟଧିକ Refined Carbohydrate ନେବା ପରିବର୍ତ୍ତେ ହୋଲ୍ ଗ୍ରେନ୍ ବାଛିବା ଭଲ। ଓଟ୍ସ, ଦଲିହା, ମଲ୍ଟିଗ୍ରେନ୍ ରୁଟି କିମ୍ବା ସାବୁତ ଶସ୍ୟରୁ ପ୍ରସ୍ତୁତ ଖାଦ୍ୟ ଜଳଖିଆରେ ସାମିଲ କରିପାରିବେ। ଏହା ସହ ଫଳ କିମ୍ବା ପନିପରିବା ଯୋଡ଼ିଲେ ଫାଇବରର ପରିମାଣ ବଢ଼ିବ ଏବଂ ଜଳଖିଆ ଅଧିକ ସନ୍ତୁଳିତ ହେବ।
ଆୟୋଡିନ୍ ଓ ସୋଡିଅମ୍ କାହିଁକି ଜରୁରୀ?
ଥାଇରଏଡ୍ ହର୍ମୋନ୍ ତିଆରି ପାଇଁ ଶରୀରକୁ ଆୟୋଡିନ୍ ଆବଶ୍ୟକ। ସେହିପରି ସୋଡିଅମ୍ ମଧ୍ୟ ଥାଇରଏଡ୍ ଗ୍ଲାଣ୍ଡର ସାଧାରଣ କାର୍ଯ୍ୟ ଓ ଥାଇରଏଡ୍ ହର୍ମୋନ୍ର ମେଟାବୋଲିଜିମ୍ ସହ ଜଡ଼ିତ। ସାଧାରଣ ପରିମାଣରେ ଆୟୋଡାଇଜ୍ଡ ଲୁଣ ବ୍ୟବହାର କରିପାରିବେ। କିନ୍ତୁ ଡାକ୍ତରଙ୍କ ପରାମର୍ଶ ବିନା ଅତିରିକ୍ତ ଆୟୋଡିନ୍ ସପ୍ଲିମେଣ୍ଟ୍ ନେବା ଉଚିତ ନୁହେଁ।
Selenium ଓ ଅନ୍ୟ ପୋଷକତତ୍ତ୍ୱ ପାଇଁ ଅଣ୍ଡା, ମାଛ, ଡାଲି, ଦୁଗ୍ଧଜାତ ଖାଦ୍ୟ ଓ କିଛି ପ୍ରକାରର nuts ଡାଏଟ୍ରେ ସାମିଲ କରାଯାଇପାରେ। Supplement ନେବା ପୂର୍ବରୁ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ।
ଥାଇରଏଡ୍ ଔଷଧ ନେଲେ Breakfast କେବେ କରିବେ?
ଥାଇରଏଡ୍ ପାଇଁ ବ୍ୟବହୃତ Levothyroxine ଭଳି ଔଷଧ କେମିତି ଓ କେବେ ନେବେ, ତାହା ବହୁତ ଗୁରୁତ୍ୱପୂର୍ଣ୍ଣ। ଅନେକ ରୋଗୀଙ୍କୁ ଏହି ଔଷଧ ଖାଲି ପେଟରେ ନେବାକୁ ପରାମର୍ଶ ଦିଆଯାଏ ଏବଂ ଖାଦ୍ୟ ଖାଇବା ପୂର୍ବରୁ କିଛି ସମୟର ବ୍ୟବଧାନ ରଖିବାକୁ କୁହାଯାଏ। ତେବେ ଏହି ବ୍ୟବଧାନ ନିଜ ଚିକିତ୍ସକ କିମ୍ବା ଔଷଧର ନିର୍ଦ୍ଦେଶ ଅନୁଯାୟୀ ରଖନ୍ତୁ।
Calcium ଓ Iron Supplement ଭଳି କିଛି ଜିନିଷ ଔଷଧର absorptionକୁ ପ୍ରଭାବିତ କରିପାରେ। ତେଣୁ ସେଗୁଡ଼ିକୁ ଥାଇରଏଡ୍ ଔଷଧ ସହ ଏକାସାଙ୍ଗରେ ନେବା ପୂର୍ବରୁ ଡାକ୍ତରଙ୍କୁ ପଚାରନ୍ତୁ।
କେବଳ ଚା କିମ୍ବା କଫିରେ କାମ ଚାଲିବ?
ସକାଳେ ଉଠି କେବଳ ଚା କିମ୍ବା କଫି ପିଇ ଘରୁ ବାହାରିଯିବା ଏକ ସନ୍ତୁଳିତ ଜଳଖିଆ ନୁହେଁ। ଏଥିରୁ ଶରୀରକୁ ଆବଶ୍ୟକ ପ୍ରୋଟିନ୍, ଫାଇବର୍ ଓ ଅନ୍ୟ ପୋଷକତତ୍ତ୍ୱ ମିଳିନଥାଏ। ତେଣୁ ଚା କିମ୍ବା କଫି ସହିତ ବା ତାହାର ପରେ ପୌଷ୍ଟିକ ବ୍ରେକଫାଷ୍ଟ ନେବାକୁ ଚେଷ୍ଟା କରନ୍ତୁ।
ମନେ ରଖନ୍ତୁ
ଥାଇରଏଡ୍ ପାଇଁ କୌଣସି ‘Magic Breakfast’ ନାହିଁ। ପ୍ରୋଟିନ୍, Fiber ଓ ଆବଶ୍ୟକ micronutrients ଥିବା ସନ୍ତୁଳିତ ଜଳଖିଆ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇପାରେ। ଥାଇରଏଡ୍ ଔଷଧର dose, timing କିମ୍ବା ଡାଏଟ୍ରେ ବଡ଼ ପରିବର୍ତ୍ତନ ନିଜେ କରନ୍ତୁ ନାହିଁ। ଏଥିପାଇଁ ଡାକ୍ତର କିମ୍ବା ଯୋଗ୍ୟ Dietitianଙ୍କ ପରାମର୍ଶ ନିଅନ୍ତୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।