Tiger Hunts Deer Inside Nandankanan Safari: ନନ୍ଦନକାନନରେ ମହାବଳର ହରିଣ ଶିକାର, ମୋବାଇଲରେ ଭିଡ଼ିଓ ଭାଇରାଲ୍
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘର ଲାଇଭ୍ ହରିଣ ଶିକାର। ହରିଣକୁ ସଫାରୀ ଭିତରେ ଶିକାର କଲା ମହାବଳ। କୁହାଯାଉଛି, ଏହି ଘଟଣା ଗତ ୮ ତାରିଖର। ନନ୍ଦନକାନନ ଚିଡ଼ିଆଖାନାର ବାଘ ସଫାରୀରେ କିଛି ପର୍ଯ୍ୟଟକ ସଫାରୀ ବସରେ ବୁଲୁଥିବା ବେଳେ ସେମାନଙ୍କ ଆଖି ସାମ୍ନାକୁ ଆସିଥିଲା ଏଭଳି ଏକ ବିରଳ ଦୃଶ୍ୟ। ସଫାରୀ ଭିତରେ ବୁଲୁଥିବା ମହାବଳଟି ହଠାତ ଏକ ହରିଣକୁ ଶିକାର କରିଥିଲା। କୁହାଯାଉଛି ଏ ତମାମ ଦୃଶ୍ୟକୁ ମୋବାଇଲ କ୍ୟାମେରାରେ ରେକର୍ଡ କରିଥିଲେ କିଛି ପର୍ଯ୍ୟଟକ। ପରେ ଏହା ଭାଇରାଲ ହୋଇଛି।
ପ୍ରଶ୍ନ ଉଠୁଛି, ଚିଡ଼ିଆଖାନାର ସଫାରୀ ଭିତରେ ଥିବା ବାଘଙ୍କ ନିକଟକୁ ହରିଣ ଆସିଲା କେମିତି? କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ବା CZA ନିୟମ ଅନୁସାରେ ଚିଡ଼ିଆଖାନାର ଆବଦ୍ଧ ପରିସର ଭିତରେ କୌଣସି ଜୀଅନ୍ତା ପଶୁପକ୍ଷୀଙ୍କୁ ଖାଦ୍ୟ ଭାବେ ଦିଆଯାଏ ନାହିଁ। ଏ ସମ୍ପର୍କରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପନିର୍ଦ୍ଦେଶକ କହିଛନ୍ତି, ଯେ ଏଠାରେ ବି ବାଘଙ୍କୁ ଜୀଅନ୍ତା ପଶୁପକ୍ଷୀ ଦେବାର କୌଣସି ବ୍ୟବସ୍ଥା ନାହିଁ। ଭାଇରାଲ ହେଉଥିବା ଏ ଭିଡିଓରେ ବାଘ ଯେଉଁ ହରିଣ ଶିକାର କରୁଛି, ତାହା ସ୍ବତଃ ଘଟିଥାଇପାରେ। କାରଣ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଚନ୍ଦକା ଅଭୟାରଣ୍ୟ ମଧ୍ୟରେ ରହିଛି। ଆଉ ଏଠାରେ ହରିଣ ଓ କୁଟୁରା ଭଳି ଅନ୍ୟ ଜୀବଜନ୍ତୁ ବି ରହିଛନ୍ତି। ଅଭୟାରଣ୍ୟରେ ବାଘ ହରିଣ ଶିକାର କରିବା CZA ନିୟମ ଉଲ୍ଲଂଘନ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି କର୍ତ୍ତୃପକ୍ଷ। ପୂର୍ବତନ ବନ ଅଧିକାରୀ ବି ସମାନ କଥା କହିବା ସହ ଆଗରୁ ଏଭଳି ଥରେ ବାଘ, ହରିଣ ଶିକାର କରିଥିବା କହିଛନ୍ତି।
ଏସବୁ ଭିତରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବାଘ ସଫାରୀରେ ବୁଲିବା ସୁରକ୍ଷିତ କି ନୁହେଁ, ତାକୁ ନେଇ ଉଠିଛି ପ୍ରଶ୍ନ। ତେବେ ପର୍ଯ୍ୟଟକମାନେ ସଫାରୀ ବସରେ ବୁଲୁଥିବାରୁ ସେମାନଙ୍କ ସୁରକ୍ଷାରେ କୌଣସି ସମସ୍ୟା ନାହିଁ ଏବଂ ପର୍ଯ୍ୟଟକମାନେ ଏଥିପାଇଁ କୌଣସି ପ୍ରକାର ଭୟଭୀତ ହେବାର କାରଣ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।