Amit Shah Challenges Opposition: ବିରୋଧୀଙ୍କୁ ଚ୍ୟାଲେଞ୍ଜ ଦେଲେ ଗୃହମନ୍ତ୍ରୀ ଶାହ, ପଛଘୁଞ୍ଚା ଦେଲେ ରାହୁଲ

Aug 12, 2026 - 20:39
Amit Shah Challenges Opposition: ବିରୋଧୀଙ୍କୁ ଚ୍ୟାଲେଞ୍ଜ ଦେଲେ ଗୃହମନ୍ତ୍ରୀ ଶାହ, ପଛଘୁଞ୍ଚା ଦେଲେ ରାହୁଲ

ସଂସଦରେ ଦୁଧ୍ କା ଦୁଧ୍ ପାଣି କା ପାଣି କରିଦେଲେ ଶାହ। ଖୋଲିଦେଲେ ବିରୋଧୀଙ୍କ ପୋଲ। ବାରମ୍ବାର ଉତ୍ତର ମାଗି ସଂସଦ ଚଲାଇ ଦେଉନଥିବା ବିରୋଧୀଙ୍କୁ ସେମାନଙ୍କ ଭାଷାରେ ଦେଇଛନ୍ତି ଜବାବ। ଶାହ ସ୍ପଷ୍ଟ କରିଛନ୍ତି, ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ପ୍ରଥମେ ବିରୋଧୀ ଦଳ ବାଚସ୍ପତିଙ୍କୁ ଆଲୋଚନା ପ୍ରସ୍ତାବ ଦିଅନ୍ତୁ। ବିତର୍କ ପାଇଁ ମୁଁ ତୟାର ଅଛି। ମୁଁ ନିଜେ ୨୪ ଘଣ୍ଟା ସଂସଦରେ ବସିବି, ବିରୋଧୀଙ୍କ ପ୍ରତ୍ୟେକ ପ୍ରଶ୍ନକୁ ଲେଖି ରଖିବି ଏବଂ ସବୁ ପ୍ରଶ୍ନର ସଠିକ୍ ଉତ୍ତର ଦେବି। ସରକାର କୌଣସି ଆଲୋଚନାରୁ ପଛଘୁଞ୍ଚା ଦେଉନାହାନ୍ତି। ବିରୋଧୀ କେବଳ ହଙ୍ଗାମା କରି ଗୃହକୁ ଅଚଳ କରୁଛନ୍ତି, ଯାହା ଗଣତାନ୍ତ୍ରିକ ପଦ୍ଧତି ନୁହେଁ। ଏପରିକି ଯଦି ବାଚସ୍ପତି ଅନୁମତି ଦିଅନ୍ତି, ତେବେ ସରକାର ଗୃହର 'ପ୍ରଶ୍ନକାଳ' କୁ ମଧ୍ୟ ବାତିଲ କରି ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ତେଣୁ ବିରୋଧୀ ସ୍ଥିର କରନ୍ତୁ ହଟ୍ଟଗୋଳ କରିବେ ନା ଆଲୋଚନାକୁ ଆସିବେ ବୋଲି କହିଛନ୍ତି ଗୃହମନ୍ତ୍ରୀ। ଶାହଙ୍କ ଚ୍ୟାଲେଞ୍ଜ ପରେ କଂଗ୍ରେସର ମୁଣ୍ଡ ଗୋଲ। ଗୃହମନ୍ତ୍ରୀଙ୍କ ଉତ୍ତର ଦାବି କରୁଥିବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି କହିଛନ୍ତି. ସେମାନେ ଶାହଙ୍କଠାରୁ କୌଣସି "ଭାଷଣ" ଶୁଣିବାକୁ ଚାହାନ୍ତି ନାହିଁ। ଜନ୍ତର ମନ୍ତରରେ ପ୍ରଦର୍ଶନକାରୀ ଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହମନ୍ତ୍ରୀ ଇସ୍ତଫା ଦିଅନ୍ତୁ।

କେତେବେଳେ ଭଗୋଡା ତ କେତେବେଳ ଲାପତା, ନିଟ୍ ପ୍ରଶ୍ନପତ୍ର ଲିକ୍ ଓ ଛାତ୍ରୀଛାତ୍ରୀଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଗୃହମନ୍ତ୍ରୀଙ୍କ ବିରୋଧରେ ଏଭଳି ଅପଶବ୍ଦ ଶୁଣାଇ ଚାଲିଥିଲେ ବିରୋଧୀ। ମାଗୁଥିଲେ ସରକାରଙ୍କ ଜବାବ। ହେଲେ ଖୋଦ୍ ଗୃହମନ୍ତ୍ରୀ ଯେତେବେଳେ ଆଲୋଚନା ପାଇଁ ଅଣ୍ଟା ଭିଡିଲେ, ନିଜେ ଦେଇଦେଲେ ପଛଘୁଂଚା। ବିରୋଧୀଙ୍କ ଏଭଳି ଆଚରଣ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିପକ୍ଷ ଦଳ ଆପତ୍ତିଜନକ ଭାଷା ପ୍ରୟୋଗ କଲେ। ସେମାନଙ୍କ ଦାୟିତ୍ବ ଖାଲି ସ୍ଲୋଗାନ ଦେବା। ସଂସଦ କାର୍ଯ୍ୟ ଚଳାଇଦେବାକୁ ଚାହୁଁନି କଂଗ୍ରେସ। ମୁଁ କେବେ ଏଭଳି ବିରୋଧୀ ଦେଖିନି ବୋଲି କହିଛନ୍ତି ମନ୍ତ୍ରୀ କିରଣ ରିଜିଜୁ। 

ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଏବଂ ବିରୋଧ ମଧ୍ୟରେ କେନ୍ଦ୍ର ସରକାର ବିଦେଶୀ ଅନୁଦାନ ସଂଶୋଧନ ବିଲ୍, ୨୦୨୬କୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଇଛନ୍ତି। ଏହି କମିଟି ବିଲ୍ ର ପ୍ରତ୍ୟେକ ଧାରା ଉପରେ ବିସ୍ତୃତ ଭାବେ ଆଲୋଚନା କରି ଆସନ୍ତା ଶୀତକାଳୀନ ଅଧିବେଶନର ପ୍ରଥମ ସପ୍ତାହ ସୁଦ୍ଧା ନିଜର ରିପୋର୍ଟ ସଂସଦରେ ଦାଖଲ କରିବ। ଏହି ବିଲ୍ ମାଧ୍ୟମରେ ସରକାର ସ୍ୱେଚ୍ଛାସେବୀ ସଂଗଠନ ଗୁଡ଼ିକୁ ମିଳୁଥିବା ବିଦେଶୀ ପାଣ୍ଠି ଉପରେ ନିୟନ୍ତ୍ରଣ ଅଧିକ କଡ଼ାକଡ଼ି କରିବାକୁ ଚାହୁଁଛନ୍ତି। ତେବେ ବିରୋଧୀ ଏହି ବିଲ୍ କୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ ଅଡ଼ି ବସିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।