Tiger Shroff Firing Case: ଟାଇଗର ଶ୍ରଫଙ୍କୁ ଗୁଳିମାଡ଼ ଘଟଣାରେ ୩ ସୁଟର୍ସ ଗିରଫ, CCTV ଫୁଟେଜ୍‌ରୁ ବଡ଼ ସୁରାକ୍

Oct 19, 2026 - 12:17
Tiger Shroff Firing Case: ଟାଇଗର ଶ୍ରଫଙ୍କୁ ଗୁଳିମାଡ଼ ଘଟଣାରେ ୩ ସୁଟର୍ସ ଗିରଫ, CCTV ଫୁଟେଜ୍‌ରୁ ବଡ଼ ସୁରାକ୍

ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କୁ ଗୁଳିମାଡ଼ ଘଟଣାରେ ତିନି ଜଣ ସୁଟରଙ୍କୁ ଗିରଫ କରିଛି କରିଛି ପୋଲିସ। ସୁଟରମାନେ ମୁମ୍ବାଇରୁ ଟ୍ରେନ୍ ଯୋଗେ ଫେରାର ହେଉଥିବା ସମୟରେ ରାଜସ୍ଥାନର କୋଟା ରେଳ ଷ୍ଟେସନରେ ଧରାପଡ଼ିଛନ୍ତି। ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇ ଜଣ ହରିୟାଣାର ଏବଂ ଜଣେ ମହାରାଷ୍ଟ୍ରର। ଏହି ତିନି ଜଣ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ସହିତ ଜଡିତ ବୋଲି କୁହାଯାଉଛି।

ରବିବାର ସନ୍ଧ୍ୟାରେ ମୁମ୍ବାଇର ଜୁହୁ ଅଞ୍ଚଳରେ ଟାଇଗର ଶ୍ରଫ୍‌ଙ୍କ କାର୍‌କୁ ଲକ୍ଷ୍ୟ କରି ଗୁଳିମାଡ଼ ହୋଇଥିଲା। ଏହି ଆକ୍ରମଣରେ ଅଭିନେତା ଟାଇଗର ଶ୍ରଫ୍‌ ଅଳ୍ପକେ ରକ୍ଷା ପାଇଯାଇଥିବା ବେଳେ ତାଙ୍କ ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଥିଲେ। ଘଟଣା ପରେ ମୁମ୍ବାଇ ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍‌ରୁ ସୁରାକ୍ ପାଇ ୧୬ ଘଣ୍ଟା ଭିତରେ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ହରିୟାଣାର ଫୁଲ୍ ସିଂହ ଓ ରେହାନ୍‌ ଏବଂ ବିହାରର ହ୍ରିତିକ କୁମାର।

ତଦନ୍ତକାରୀ ସଂସ୍ଥାର ପ୍ରାଥମିକ ସୂଚନା ଅନୁସାରେ, ଆକ୍ରମଣକାରୀମାନେ ଟାଇଗର ଶ୍ରଫ୍‌ଙ୍କ ଗତିବିଧି ଉପରେ ଦୀର୍ଘ ସମୟ ଧରି ନଜର ରଖିଥିବା ସନ୍ଦେହ କରାଯାଉଛି। ଅଭିନେତା ଜଣକ ପ୍ରତି ରବିବାର ଜୁହୁ ଫୁଟବଲ୍‌ ଗ୍ରାଉଣ୍ଡକୁ ଯାଉଥିବା ନେଇ ଅଭିଯୁକ୍ତମାନେ ଜାଣିଥିଲେ। ତାଙ୍କର ସାପ୍ତାହିକ କାର୍ଯ୍ୟସୂଚୀ ଉପରେ ନଜର ରଖି ଆକ୍ରମଣ ପାଇଁ ଯୋଜନା କରିଥିବା ତଦନ୍ତକାରୀମାନେ ସନ୍ଦେହ କରୁଛନ୍ତି।

ଆକ୍ରମଣ ପରେ ଅଭିଯୁକ୍ତମାନେ ଏକ ପୂର୍ବ ଯୋଜନା ଅନୁସାରେ ଫେରାର ହୋଇଥିବା କୁହାଯାଉଛି। ସେମାନେ ଏସ୍‌ଭି ରୋଡ୍‌ ଦେଇ ଭିଲେ ପାର୍ଲେ ଓ ଅନ୍ଧେରୀ ଅଞ୍ଚଳ ଆଡ଼କୁ ଯାଇଥିଲେ। ପରେ ଅନ୍ଧେରୀ ୱେଷ୍ଟ ରେଳ ଷ୍ଟେସନ ନିକଟରେ ମୋଟରସାଇକେଲ୍‌ ଛାଡ଼ି ବୋରିଭଲି ଅଭିମୁଖେ ଯାଉଥିବା ଟ୍ରେନ୍‌ରେ ଚଢ଼ିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ପ୍ରାଥମିକ ଗୁଇନ୍ଦା ସୂଚନା ଅନୁସାରେ, ସେମାନେ ମହାରାଷ୍ଟ୍ର ସୀମା ପାର୍‌ କରି ଗୁଜରାଟରେ ପ୍ରବେଶ କରି ପୋଲିସକୁ ଚକ୍‌ମା ଦେବାକୁ ଉଦ୍ୟମ କରିଥିବା ମଧ୍ୟ ସନ୍ଦେହ କରାଯାଉଛି।

ଘଟଣା ପରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରବିବାର ବିଳମ୍ବିତ ରାତିରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ଟାଇଗର ଶ୍ରଫ୍‌ଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିଥିଲେ। ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା ସହ ତାଙ୍କ ପରିବାରକୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ଆଶ୍ୱାସନା ଦେଇଥିଲେ।

ମୁମ୍ବାଇରେ ଗ୍ୟାଙ୍ଗ୍‌ ହିଂସାକୁ କୌଣସି ପରିସ୍ଥିତିରେ ସହ୍ୟ କରାଯିବ ନାହିଁ ବୋଲି ସିନ୍ଦେ କଡ଼ା ଚେତାବନୀ ଦେଇଛନ୍ତି। ଅପରାଧୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ଏବେ ଗିରଫ ୩ ଅଭିଯୁକ୍ତଙ୍କୁ ପଚରାଉଚରା କରି ଗୁଳିମାଡ଼ ପଛର ପ୍ରକୃତ କାରଣ, ଷଡ଼ଯନ୍ତ୍ରରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ ଏବଂ ଗ୍ୟାଙ୍ଗ୍‌ ସହ ସେମାନଙ୍କର କ’ଣ ସମ୍ପର୍କ, ସେନେଇ ତଦନ୍ତ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।