Tiger Shroff Firing Case: ଟାଇଗର ଶ୍ରଫ୍ ଫାୟାରିଂ ମାମଲାରେ ବଡ଼ ଖୁଲାସା, ୨୪ ଘଣ୍ଟା ଆଗରୁ ପହଞ୍ଚିଥିଲା ବନ୍ଧୁକ
ଟାଇଗର ଶ୍ରଫ୍ ଙ୍କ ଉପରେ ଫାୟାରିଂ ମାମଲାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ୨୪ ଘଣ୍ଟା ଆଗରୁ ସୁଟରଙ୍କୁ ମିଳିଥିଲା ଗନ୍ । ସିକ୍ରେଟ୍ ମିଶନରେ ଥିଲେ ଲେଡି କୋରିୟର୍। ସୁଟରଙ୍କୁ ଦୁଇ ମହିଳା ହିଁ ଯୋଗାଇଥିଲେ ବନ୍ଧୁକ। ସେମାନେ ହେଲେ ବବିତା ଓ ରାଧା । ଡେଡ୍ ଡ୍ରପ୍ ପଦ୍ଧତିରେ ଶୁଟରଙ୍କ ପାଖରେ ବନ୍ଧୁକ ପହଞ୍ଚାଇବାରେ ଏହି ଦୁଇ ମହିଳା ହିଁ ମୁଖ୍ୟ ସୂତ୍ରଧର ଥିଲେ। ୧୭ ଅକ୍ଟୋବରରେ ବବିତା ଓ ରାଧା ଟ୍ରେନ ଯୋଗେ ଆସି ମୁମ୍ବାଇର ଦାଦରରେ ଓହ୍ଲାଇଥିଲେ ଏବଂ ସେଠାରେ ଏକ ସ୍ଥାନୀୟ ହୋଟେଲରେ ରହିଥିଲେ। ପରେ ସୁଟରଙ୍କୁ ସିଧାସଳଖ ନଭେଟି ହୋଟେଲ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ବନ୍ଧୁକ ଥିବା ବ୍ୟାଗକୁ ଲୁଚାଇ ରଖିଦେଇଥିଲେ।
ଏନକ୍ରିପ୍ଟେଡ୍ ଆପ୍ ଜରିଆରେ ଲୋକେସନ ପାଇ ଜଣେ ସୁଟର ଆସି ସେହି ବ୍ୟାଗ୍ ନେଇଥିଲା । ଏହାର ଠିକ୍ ୨୪ ଘଣ୍ଟା ମଧ୍ୟରେ ଟାଇଗରଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଅନ୍ୟପଟେ ମହିଳାଙ୍କୁ ବନ୍ଧୁକ ଯୋଗାଇଥିଲା ସପ୍ଲାୟର କୁନାଲ । ସେ ଗ୍ୟାଙ୍ଗଷ୍ଟର ଅନିଲ ପଣ୍ଡିତ ଏବଂ ରଣଦୀପ ମଲିକଙ୍କ ସହିତ ଯୋଗାଯୋଗରେ ରହିଥିଲା । ଘଟଣାସ୍ଥଳର ସିସିଟିଭି ଫୁଟେଜ୍ ଓ ମୋବାଇଲ୍ ନେଟୱର୍କକୁ ଟ୍ରାକ୍ କରି ଦୁଇ ମହିଳା କୋରିଅର୍ ବବିତା ଓ ରାଧାଙ୍କ ସମେତ ଗନ୍ ସପ୍ଲାୟର କୁନାଲ୍ ଏବଂ ଅନ୍ୟଜଣେ ସହଯୋଗୀ ସୁମିତକୁ ଗିରଫ କରିଛି ପୋଲିସ ।
ତଦନ୍ତରୁ ଜଣାପଡ଼ିଛି ଯେ, ଦୁଇ ମହିଳା ହରିୟାଣାର ଏକ ଶୋ’ରୁମ୍ ରେ କାମ କରୁଥିଲେ। ସେମାନଙ୍କ ଉପରେ ସହଜରେ କେହି ସନ୍ଦେହ କରିବେ ନାହିଁ ଭାବି, ଗ୍ୟାଙ୍ଗଷ୍ଟରଙ୍କ ନିର୍ଦ୍ଦେଶରେ କୁନାଲ ସେମାନଙ୍କୁ ଟ୍ରେନ ଯୋଗେ ବନ୍ଧୁକ ଦେଇ ମୁମ୍ବାଇ ପଠାଇବା ପାଇଁ ବ୍ୟବହାର କରିଥିଲା। ଏଥିପାଇଁ ସେମାନଙ୍କୁ ୧୦ରୁ ୧୨ ହଜାର ଟଙ୍କା ଦିଆଯାଇଥିଲା । ଗତ ବର୍ଷ ହରିୟାଣାର ସୋନିପତରେ ଚାଞ୍ଚଲ୍ୟକର ଫରେକ୍ସ-ହାୱାଲା ବ୍ୟବସାୟୀଙ୍କ ହତ୍ୟାକାଣ୍ଡରେ ମଧ୍ୟ କୁନାଲ ହିଁ ଅସ୍ତ୍ର ଯୋଗାଇଥିଲା ବୋଲି ପୋଲିସ ଜାଣିବାକୁ ପାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।