Tina Ahuja Reaction: ଗୋବିନ୍ଦା-କୋମଲ ଚର୍ଚ୍ଚାରେ ମୁହଁ ଖୋଲିଲେ ଝିଅ, ପ୍ରଶ୍ନ ଅଧାରୁ ଅଟକାଇ କହିଲେ…
ବଲିଉଡ୍ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ଏବେ ଥମିବାର ନାଁ ନେଉନି। ଗୋବିନ୍ଦା ଏବଂ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ନିକଟତାକୁ ନେଇ ଚର୍ଚ୍ଚା ମଧ୍ୟରେ ଏବେ ମୁହଁ ଖୋଲିଛନ୍ତି ଗୋବିନ୍ଦାଙ୍କ ଝିଅ ଟିନା ଆହୁଜା। ତେବେ ତାଙ୍କ ପ୍ରତିକ୍ରିୟା ଦେଖି ଲାଗୁଛି, ପରିବାରକୁ ନେଇ ପ୍ରଶ୍ନ ଶୁଣି ସେ ବେଶ୍ ବିରକ୍ତ ହୋଇଛନ୍ତି।
ନିକଟରେ ଟିନା ଏକ ଇଭେଣ୍ଟରେ ଯୋଗ ଦେଇଥିଲେ। ସେଠାରେ ଜଣେ ସାମ୍ବାଦିକ ଗୋବିନ୍ଦାଙ୍କ ପରିବାରକୁ ନେଇ ଚାଲିଥିବା ବିବାଦ ସମ୍ପର୍କରେ ପ୍ରଶ୍ନ କରିଥିଲେ। ସାମ୍ବାଦିକ କହୁଥିଲେ, “ଆପଣଙ୍କ ପରିବାରରେ ଅନେକ କିଛି ଚାଲିଛି। କୋମଲ ରାଣୀ ଇନ୍ଷ୍ଟାଗ୍ରାମରେ ଆପଣଙ୍କ ମା’ଙ୍କ ବିଷୟରେ…”
ପ୍ରଶ୍ନଟି ପୂରା ହେବା ପୂର୍ବରୁ ଟିନା ତାଙ୍କୁ ଅଟକାଇ ଦେଇଥିଲେ। ସେ କହିଥିଲେ, “ଆମେ ଏଠାରେ ଏସବୁ ବିଷୟରେ କଥା ହେବାକୁ ଆସିନାହୁଁ। ଥ୍ୟାଙ୍କ୍ ୟୁ।” ଏତିକି କହି ସେ ସେଠାରୁ ଚାଲିଯାଇଥିଲେ।
କ’ଣ ପାଇଁ ଚର୍ଚ୍ଚାରେ ଗୋବିନ୍ଦା-କୋମଲ?
ଗୋବିନ୍ଦାଙ୍କ ଆଗାମୀ ଫିଲ୍ମ ‘ରୂପା’ରେ କୋମଲ ରାଣୀ ସ୍ୱର୍ଣ୍ଣକାର ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମ ରିଲିଜ୍ ପୂର୍ବରୁ ଗୋବିନ୍ଦା ଏବଂ କୋମଲଙ୍କ ନିକଟତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ମଧ୍ୟ ଉଭୟଙ୍କ ସମ୍ପର୍କକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ଓ ଟ୍ରୋଲିଂ ଦେଖିବାକୁ ମିଳୁଛି।
ଲାଲବାଗଚା ରାଜାଙ୍କ ଦର୍ଶନ ସମୟରେ ଗୋବିନ୍ଦା ଓ କୋମଲଙ୍କୁ ଏକାଠି ଦେଖାଯିବା ପରେ ଏହି ଚର୍ଚ୍ଚା ଆହୁରି ବଢ଼ିଥିଲା। ତେବେ କୋମଲ ଏହି ସମସ୍ତ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି। ଗୋବିନ୍ଦାଙ୍କ ସହ ତାଙ୍କ ସମ୍ପର୍କ କେବଳ ପେସାଦାର ବୋଲି ସେ ସ୍ପଷ୍ଟ କରିଛନ୍ତି। ଉଭୟଙ୍କ ସାର୍ବଜନୀନ ଉପସ୍ଥିତି ଫିଲ୍ମ ‘ରୂପା’ର ପ୍ରମୋସନ୍ ସହ ଜଡ଼ିତ ବୋଲି କୋମଲ କହିଛନ୍ତି।
ଗୋବିନ୍ଦା ଏବଂ ସୁନୀତା ଆହୁଜାଙ୍କ ପ୍ରାୟ ୪୦ ବର୍ଷର ବୈବାହିକ ଜୀବନକୁ ନେଇ ଏବେ ଚର୍ଚ୍ଚା ଚାଲିଥିବା ବେଳେ ଟିନାଙ୍କ ନିରବତା ଓ ରାଗୀ ପ୍ରତିକ୍ରିୟା ଏହି ମାମଲାକୁ ପୁଣି ଚର୍ଚ୍ଚାକୁ ଆଣିଛି। ତେବେ ପରିବାରକୁ ନେଇ ଚାଲିଥିବା ଏହି ବିବାଦ ଉପରେ ଟିନା ଆଗକୁ କିଛି ସ୍ପଷ୍ଟ କରିବେ କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।