Tit-for-tat Bulldozer Action : ପାକିସ୍ତାନ ଦୂତାବାସ ବାହାରେ ବୁଲିଲା ବୁଲଡୋଜର, ଇସଲାମାବାଦକୁ କଡ଼ା ଜବାବ
ନୂଆଦିଲ୍ଲୀରେ ଅବସ୍ଥିତ ପାକିସ୍ତାନ ହାଇକମିଶନ ବାହାରେ ଥିବା ବେଆଇନ ନିର୍ମାଣ ଓ ସୁରକ୍ଷା ବାରିକେଡ୍ଗୁଡ଼ିକୁ କର୍ତ୍ତୃପକ୍ଷ ବୁଲ୍ଡୋଜର୍ (ଜେସିବି) ସାହାଯ୍ୟରେ ଭାଙ୍ଗି ଦେଇଛନ୍ତି। ଏହାକୁ ଏକ 'ଜବାବୀ କାର୍ଯ୍ୟାନୁଷ୍ଠାନ' ବୋଲି କୁହାଯାଉଛି।
ନୂଆଦିଲ୍ଲୀର ଚାଣକ୍ୟପୁରୀସ୍ଥିତ ପାକିସ୍ତାନ ହାଇକମିଶନର ଅନୁମୋଦିତ ସୀମା ବାହାରେ (ସାଧାରଣ ରାସ୍ତା ଉପରେ) କିଛି ଅସ୍ଥାୟୀ ନିର୍ମାଣ, ବାରିକେଡ୍, ପାକିସ୍ତାନୀ ଭିସା ସେକ୍ସନ ପାଖରେ କ୍ୟୁ-ମ୍ୟାନେଜମେଣ୍ଟ ବ୍ୟବସ୍ଥା ଏବଂ ଲୁହା ବାଡ଼ ଆଦି ନିର୍ମାଣ କରାଯାଇଥିଲା। କର୍ତ୍ତୃପକ୍ଷ ଏହାକୁ ଅନଧିକୃତ କବଜା କହି ବୁଲ୍ଡୋଜର୍ ଲଗାଇ ହଟାଇ ଦେଇଛନ୍ତି।
ଏହାର କିଛି ଦିନ ପୂର୍ବେ ଇସଲାମାବାଦସ୍ଥିତ ଭାରତୀୟ ହାଇକମିଶନ ବାହାରେ ପାକିସ୍ତାନୀ କର୍ତ୍ତୃପକ୍ଷ ସୁରକ୍ଷା ବାରିକେଡ୍ ଏବଂ ପାର୍କିଂ ପୋଲ୍ ଆଦି ହଟାଇ ଦେଇଥିଲେ। ତାହାର ଜବାବରେ ଭାରତ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ବୋଲି କୁହାଯାଉଛି।
ବୁଲ୍ଡୋଜର୍ କାର୍ଯ୍ୟାନୁଷ୍ଠାନ ପରେ ସେଠାରେ ଭଙ୍ଗା ଲୁହା ରେଲିଂ, ଗେଟ୍, ଟିଣ ଛାତ, ଇଟା ଏବଂ ସିମେଣ୍ଟ ଖଣ୍ଡଗୁଡ଼ିକ ଚାରିଆଡେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ପାକିସ୍ତାନ ହାଇକମିଶନର ମୁଖ୍ୟ ପ୍ରବେଶଦ୍ୱାର ଏବଂ ଭିତରର ସୁରକ୍ଷା ବ୍ୟବସ୍ଥା ଅକ୍ଷୁର୍ଣ୍ଣ ରହିଛି।
ଗତ କିଛି ବର୍ଷ ହେବ ଭାରତ ଓ ପାକିସ୍ତାନ ମଧ୍ୟରେ କୂଟନୈତିକ ସମ୍ପର୍କ ଅତ୍ୟନ୍ତ ତିକ୍ତ ରହିଛି। ବିଭିନ୍ନ ସମୟରେ ଉଭୟ ଦେଶ ପକ୍ଷରୁ ଏଭଳି ପ୍ରତିଶୋଧାତ୍ମକ ପଦକ୍ଷେପ ନିଆଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।