Tooth sensitivity treatment: ଦାନ୍ତରେ ଝିମ୍‌ଝିମ୍‌ ହେଉଛି କି? ଆପଣାନ୍ତୁ ଏହି ଘରୋଇ ଉପାୟ, ମିଳିବ ଆରାମ!

Oct 18, 2026 - 15:45
Tooth sensitivity treatment: ଦାନ୍ତରେ ଝିମ୍‌ଝିମ୍‌ ହେଉଛି କି? ଆପଣାନ୍ତୁ ଏହି ଘରୋଇ ଉପାୟ, ମିଳିବ ଆରାମ!

ଦାନ୍ତରେ ଝିମ୍‌ଝିମ୍‌ ହେଉଛି କି? ଥଣ୍ଡା କିମ୍ବା ଗରମ ପିଇଲେ ଦାନ୍ତରେ ହେଉଛି କି ଅସହ୍ୟ ଯନ୍ତ୍ରଣା? ଏପରିକି ମିଠା କିମ୍ବା ଖଟା ଖାଦ୍ୟ ଖାଇବା ସମୟରେ ଦାନ୍ତ ଝିମ୍‌ଝିମ୍‌ ହେଉଛି କି? ତେବେ ଏହାକୁ ସାଧାରଣ ସମସ୍ୟା ଭାବି ଅଣଦେଖା କରନ୍ତୁ ନାହିଁ। ଦାନ୍ତର ଏହି ସମସ୍ୟା ଆପଣଙ୍କ ଖାଇବା ଓ ପିଇବାର ମଜା ନଷ୍ଟ କରିପାରେ। ତେବେ ଘରେ କିଛି ସତର୍କତା ଅବଲମ୍ବନ କରି ଏହି ସମସ୍ୟାରୁ ଆରାମ ପାଇହେବ। ଆସନ୍ତୁ ଜାଣିବା ଦାନ୍ତର ଝିମ୍‌ଝିମ୍‌ କମାଇବା ପାଇଁ କ’ଣ କରିବେ।

କାହିଁକି ହୁଏ ଦାନ୍ତରେ ଝିମ୍‌ଝିମ୍‌?

ଦାନ୍ତରେ ଝିମ୍‌ଝିମ୍‌ ହେବାକୁ ଡାକ୍ତରୀ ଭାଷାରେ ଟୁଥ୍ ସେନ୍ସିଟିଭିଟି (Tooth Sensitivity) କୁହାଯାଏ। ଦାନ୍ତର ବାହ୍ୟ ଆବରଣ ଇନାମେଲ୍ ଦୁର୍ବଳ ହେବା କିମ୍ବା ମାଢ଼ି ପଛକୁ ଘୁଞ୍ଚିଯିବା ଯୋଗୁଁ ଦାନ୍ତର ଭିତର ଅଂଶ ଉତ୍ତେଜିତ ହୋଇ ଏପରି ଅନୁଭବ ହୋଇଥାଏ।

ଦାନ୍ତରେ ଝିମ୍‌ଝିମ୍‌ ହେବାର ପ୍ରମୁଖ କାରଣଗୁଡ଼ିକ ହେଲା:
•    ଅତ୍ୟଧିକ ଜୋରରେ ବ୍ରଶ୍ କରିବା।
•    କଠିନ ବ୍ରଶ୍ ବ୍ୟବହାର କରିବା।
•    ଦାନ୍ତରେ ଗାତ ବା କ୍ୟାଭିଟି ହେବା।
•    ଦାନ୍ତ ଫାଟିଯିବା କିମ୍ବା ମାଢ଼ିରେ ରୋଗ ହେବା।
•    ବାରମ୍ବାର ଖଟା ଖାଦ୍ୟ ଓ ଅମ୍ଳୀୟ ପାନୀୟ ସେବନ କରିବା।

ଦାନ୍ତର ଝିମ୍‌ଝିମ୍‌ କମାଇବା ପାଇଁ ଆପଣାନ୍ତୁ ଏହି ଉପାୟ

୧. ନରମ ବ୍ରଶ୍‌ରେ ଦାନ୍ତ ସଫା କରନ୍ତୁ

ଦାନ୍ତ ସଫା କରିବା ସମୟରେ ଅଧିକ ଜୋର ଦିଅନ୍ତୁ ନାହିଁ। ନରମ ବ୍ରିସଲ୍‌ ଥିବା ବ୍ରଶ୍‌ ବ୍ୟବହାର କରନ୍ତୁ ଏବଂ ଦିନକୁ ଦୁଇଥର ହାଲୁକା ଭାବେ ବ୍ରଶ୍ କରନ୍ତୁ। ଏହା ଦାନ୍ତ ଓ ମାଢ଼ିର କ୍ଷତି ହେବାର ଆଶଙ୍କା କମାଇପାରେ।

୨. ସେନ୍ସିଟିଭ୍ ଦାନ୍ତ ପାଇଁ ଟୁଥପେଷ୍ଟ ବାଛନ୍ତୁ

ଦାନ୍ତରେ ଝିମ୍‌ଝିମ୍‌ ହେଉଥିଲେ ପୋଟାସିୟମ୍ ନାଇଟ୍ରେଟ୍ କିମ୍ବା ଷ୍ଟାନସ୍ ଫ୍ଲୋରାଇଡ୍‌ଯୁକ୍ତ ଟୁଥପେଷ୍ଟ ବ୍ୟବହାର କରିପାରିବେ। ଏହାର ନିୟମିତ ବ୍ୟବହାର ଦାନ୍ତର ସମ୍ବେଦନଶୀଳତା କମାଇବାରେ ସହାୟକ ହୋଇପାରେ।

୩. ଅତ୍ୟଧିକ ଗରମ ଓ ଥଣ୍ଡା ଖାଦ୍ୟରୁ ଦୂରେଇ ରୁହନ୍ତୁ

ଦାନ୍ତରେ ଝିମ୍‌ଝିମ୍‌ ହେଉଥିଲେ ବରଫ ପାଣି, ଅତ୍ୟଧିକ ଗରମ ଚା’ କିମ୍ବା କଫି ପିଇବାରୁ ଦୂରେଇ ରୁହନ୍ତୁ। ସେହିପରି ଅତ୍ୟଧିକ ମିଠା ଓ ଖଟା ଖାଦ୍ୟ ଖାଇବା ମଧ୍ୟ କମାନ୍ତୁ।

୪. ଖଟା ଖାଦ୍ୟ ଖାଇବା ପରେ କୁଳି କରନ୍ତୁ

ଲେମ୍ବୁ, କମଳା କିମ୍ବା ଅନ୍ୟ ଅମ୍ଳୀୟ ଖାଦ୍ୟ ଖାଇବା ପରେ ସାଧା ପାଣିରେ କୁଳି କରନ୍ତୁ। କିନ୍ତୁ ଖଟା ଖାଦ୍ୟ ଖାଇବାର ତୁରନ୍ତ ପରେ ବ୍ରଶ୍ କରନ୍ତୁ ନାହିଁ। ପ୍ରାୟ ୩୦ରୁ ୬୦ ମିନିଟ୍ ଅପେକ୍ଷା କରି ବ୍ରଶ୍ କରନ୍ତୁ।

୫. ଫ୍ଲୋରାଇଡ୍‌ଯୁକ୍ତ ଟୁଥପେଷ୍ଟ ବ୍ୟବହାର କରନ୍ତୁ

ଫ୍ଲୋରାଇଡ୍ ଦାନ୍ତର ଇନାମେଲ୍‌କୁ ମଜଭୁତ କରିବା ଏବଂ ଦାନ୍ତ କ୍ଷୟ ହେବାର ଆଶଙ୍କା କମାଇବାରେ ସହାୟକ ହୋଇଥାଏ। ତେଣୁ ଦାନ୍ତ ସଫା କରିବା ପାଇଁ ଫ୍ଲୋରାଇଡ୍‌ଯୁକ୍ତ ଟୁଥପେଷ୍ଟ ବାଛନ୍ତୁ।

ଦାନ୍ତରେ ଏହି ଜିନିଷ ଘଷନ୍ତୁ ନାହିଁ

ଦାନ୍ତ ଝିମ୍‌ଝିମ୍‌ ହେଉଥିଲେ ଲୁଣ, ଲେମ୍ବୁ, କୋଇଲା କିମ୍ବା ବେକିଂ ସୋଡ଼ା ଘଷି ଏହାକୁ ଠିକ୍ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଏହି ଉପାଦାନଗୁଡ଼ିକ ଦାନ୍ତର ଇନାମେଲ୍‌କୁ କ୍ଷତି ପହଞ୍ଚାଇପାରେ। ଘରୋଇ ଉପାୟ ଦ୍ୱାରା କେତେକ ଲକ୍ଷଣ କମିପାରେ, କିନ୍ତୁ ଦାନ୍ତର ସବୁ ସମସ୍ୟା ଏହାଦ୍ୱାରା ଠିକ୍ ହୁଏ ନାହିଁ।

କେବେ ଡାକ୍ତରଙ୍କ ପାଖକୁ ଯିବେ?

ଦାନ୍ତରେ ଲଗାତାର ଝିମ୍‌ଝିମ୍‌ ହେଉଥିଲେ, ପ୍ରବଳ ଯନ୍ତ୍ରଣା ହେଲେ, କେବଳ ଗୋଟିଏ ଦାନ୍ତରେ ସମସ୍ୟା ଦେଖାଦେଲେ କିମ୍ବା ମାଢ଼ି ଫୁଲିବା ସହ ଜ୍ୱର ହେଲେ ଦନ୍ତ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ। ଦାନ୍ତରେ ଗାତ କିମ୍ବା ଫାଟ ଥିଲେ ଫିଲିଂ ବା ଅନ୍ୟ ଚିକିତ୍ସାର ଆବଶ୍ୟକତା ପଡ଼ିପାରେ।

ମନେ ରଖନ୍ତୁ: ଦାନ୍ତର ଝିମ୍‌ଝିମ୍‌କୁ ଅଣଦେଖା କରନ୍ତୁ ନାହିଁ। ନିୟମିତ ଦାନ୍ତ ସଫା କରିବା, ସଠିକ୍ ଟୁଥପେଷ୍ଟ ବ୍ୟବହାର କରିବା ଏବଂ ଆବଶ୍ୟକ ସମୟରେ ଦନ୍ତ ଚିକିତ୍ସକଙ୍କ ପରାମର୍ଶ ନେବା ହିଁ ଦାନ୍ତକୁ ସୁସ୍ଥ ରଖିବାର ଉପାୟ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।