10 SEPTEMBER 2026

Welcome!

Unlock your personalized experience.
Sign Up

Trauma Care: ୧୦୧ କୋଟିର ଟ୍ରମାକେୟାର: ତଥାପି ବଞ୍ଚୁନି ଜୀବନ, ୮ ମାସରେ ୨୨ ମୃତ, ୧୨୩ ଗୁରୁତର

Sep 10, 2026 - 06:05
Trauma Care: ୧୦୧ କୋଟିର ଟ୍ରମାକେୟାର: ତଥାପି ବଞ୍ଚୁନି ଜୀବନ, ୮ ମାସରେ ୨୨ ମୃତ, ୧୨୩ ଗୁରୁତର

କୋରେଇ (ବିରଞ୍ଚି ନାରାୟଣ ଖୁଣ୍ଟିଆ): ବ୍ରଜନଗର ନିକଟ ଲିଙ୍ଗେଶ୍ବର ସରସ୍ବତୀ ଶିଶୁମନ୍ଦିରକୁ ଯାଉଥିବାବେଳେ କରଦା ଗ୍ରାମର ଅଶୋକ ସାହୁ ଓ ତାଙ୍କ ନାବାଳକ ପୁଅ ଆତିଶଙ୍କରଙ୍କ ସଡ଼କ ଦୁର୍ଘଟଣାରେ ଅକାଳ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକପ୍ରକାଶ ପାଇଛି। ଏ ପରିପ୍ରେକ୍ଷୀରେ ପାଣିକୋଇଲିରେ ନିର୍ମିତ ଟ୍ରମାକେୟାର ସେଣ୍ଟରର ଆବଶ୍ୟକତାକୁ ନେଇ ଲୋକଙ୍କ ମଧ୍ୟରେ ଆଲୋଚନା ବଢ଼ିଛି। ଟ୍ରମାକେୟାର ୟୁନିଟ୍‌ରେ ଗୋଲଡେନ୍ ଆୱାରର ଚିକିତ୍ସା ହୁଏତ ଗତକାଲି ବାପାପୁଅଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିପାରିଥାନ୍ତା, କିନ୍ତୁ ତାହା ସମ୍ଭବ ହୋଇ ପାରିଲାନାହିଁ। ପାଖରେ ଚିକିତ୍ସା ସୁବିଧା ନଥିବାରୁ ଉଭୟଙ୍କୁ ପ୍ରଥମେ ଦୁର୍ଘଟଣାସ୍ଥଳରୁ (୧୭) କିମି ଦୂର ଯାଜପୁର ଟାଉନ୍‌ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରୁ ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମାତ୍ର କେଇ ଘଣ୍ଟା ପରେ ଉଭୟଙ୍କର ମୃତ୍ୟୁ ହୋଇ ଯାଇଥିଲା। 

Bangladesh: ବାଂଲାଦେଶରେ ମିଳିମିଳା ନେଲାଣି ୧୦୦୦ରୁ ଅଧିକ ଶିଶୁଙ୍କ ଜୀବନ

ଆହତଙ୍କୁ ଆଉ କିଛି ଘଣ୍ଟା ପୂର୍ବରୁ ଜରୁରିକାଳୀନ ଚିକିତ୍ସା ଯୋଗାଇ ଦିଆଯାଇଥିଲେ ସେମାନଙ୍କ ଜୀବନ ରକ୍ଷା ହୋଇପାରିଥାନ୍ତା, ଏଭଳି ଆଲୋଚନା ଭିତରେ ଲୋକଙ୍କ ମନରେ ପାଣିକୋଇଲି ଟ୍ରମାକେୟାର ସେଣ୍ଟର କାର୍ଯ୍ୟକ୍ଷମରେ ବିଳମ୍ବକୁ ନେଇ ଆକ୍ରୋଶ ଦେଖାଦେଇଛି। ଗତ ତିନିବର୍ଷ ତଳୁ ପାଣିକୋଇଲିଠାରେ ନିର୍ମାଣ ହୋଇଥିବା ୧୦୧ କୋଟିର ଟ୍ରମାକେୟାର ସେଣ୍ଟରକୁ ନେଇ ବିଧାନସଭା, ସଂସଦରେ ଏକାଧିକଥର ଆଲୋଚନା ହୋଇଛି। ବାରମ୍ବାର ସମୀକ୍ଷା, ସଚିବଙ୍କ ଘନଘନ ଗସ୍ତ ଓ ତଦାରଖ ପରେ ବି ଏହି ଜନହିତକାରୀ ପ୍ରକଳ୍ପ ଲୋକଙ୍କ ସେବାରେ କେବେ ଆସିବ ବୋଲି ସ୍ଥାନୀୟ ଜନସାଧାରଣ ପ୍ରଶ୍ନ କରିଛନ୍ତି।  

ଗୋଲଡେନ୍‌ ଆୱାରରେ ଯାଉଛି ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ
୮ ମାସରେ ୨୨ ମୃତ, ୧୨୩ ଗୁରୁତର

ତଥ୍ୟ ମୁତାବକ ଟ୍ରମାକେୟାର ସେଣ୍ଟର କାର୍ଯ୍ୟକ୍ଷମ ହୋଇନଥିବା କାରଣରୁ ଚଳିତବର୍ଷ ଆରମ୍ଭରୁ ଆଜି ପର୍ଯ୍ୟନ୍ତ (ଗତ ୮ ମାସ ମଧ୍ୟରେ) ଜାତୀୟ ରାଜପଥ ୧୬ ଓ ୨୦ରେ ଦୁର୍ଘଟଣା ଘଟି ମୋଟ ୨୨ ଜଣଙ୍କ ଜୀବନ ଯାଇଥିବାବେଳେ ୧୨୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି କୁଆଖିଆ ଥାନା ନରସିଂହପୁର ଗ୍ରାମର ସନ୍ତୋଷ ଦାସ ପୁରୁଣା ଟୋଲଗେଟ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ସେ ମଧ୍ୟ ଦୁର୍ଘଟଣାର ୩ ଘଣ୍ଟା ପରେ କଟକରେ ପହଞ୍ଚିବାରୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। କିଛିଦିନ ତଳେ ବ୍ରଜନଗର ଗ୍ରାମର ଦାମୋଦର ଧଳ ଦୁର୍ଘଟଣାରେ ଆହତ ହୋଇ ବିଳମ୍ବରେ ଡାକ୍ତରଖାନାରେ ପହଞ୍ଚିବାରୁ ମୃତ୍ୟୁ ହୋଇଥିଲା। ବିଶେଷ କରି ଦୁର୍ଘଟଣା ଘଟିବାର ପ୍ରଥମ ୧ ଘଣ୍ଟା (ଗୋଲ୍‌ଡେନ୍ ଆୱାର)ରେ ଆହତଙ୍କୁ ଜରୁରିକାଳୀନ ଚିକିତ୍ସା ମିଳୁନାହିଁ। କଟକ ବଡ଼ ଡାକ୍ତରଖାନା କିମ୍ବା ଅନ୍ୟତ୍ର ଯିବାବେଳେ ବିଳମ୍ବ ହୋଇଯାଉଛି। ବିଳମ୍ବ ହେତୁ ଆହତଙ୍କ ଜୀବନ ଯାଉଛି। ଯେଉଁ ଆଭିମୁଖ୍ୟରେ ଟ୍ରମାକେୟାର ସେଣ୍ଟର ନିର୍ମାଣ ହୋଇଥିଲା ତାହା ଫଳପ୍ରଦ ହୋଇପାରୁନି। 

Horoscope 2026 September 10: ଜାଣନ୍ତୁ ଆଜିର ରାଶିଫଳ...

ସୂଚନାଯୋଗ୍ୟ, ୭ ଏକର ଜମିରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପରେ ୧୦୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଛି। ୫୦ ଲକ୍ଷ ଟଙ୍କାର ବିଭିନ୍ନ ଅତ୍ୟାଧୁନିକ ଚିକିତ୍ସା ଉପକରଣ ମଧ୍ୟ କିଣାଯାଇଛି। ଟ୍ରମାକେୟାର ସେଣ୍ଟର ୨ ଶହ ଶଯ୍ୟା ବିଶିଷ୍ଟ ହୋଇଥିବାବେଳେ ଯାଜପୁର ଜିଲ୍ଲା ସମେତ ନିକଟସ୍ଥ ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଜିଲ୍ଲାର ଲୋକମାନେ ମଧ୍ୟ ଏହା ଉପରେ ନିର୍ଭରଶୀଳ। କେବଳ ଆବଶ୍ୟକ ଡାକ୍ତର ଏବଂ କର୍ମଚାରୀ ଅଭାବରୁ ତାହା କାର୍ଯ୍ୟକ୍ଷମ ହେଉନଥିବା ପ୍ରଶାସନ ସଫେଇ ଦେଉଛି। ମାସ ପରେ ମାସ ଗଡ଼ି ଚାଲିଛି। ଗତମାସରେ ଏହି ଟ୍ରମାକେୟାରକୁ ନେଇ ଲୋକସଭାରେ ପ୍ରଶ୍ନ ଉଠିଥିବାବେଳେ ଏହାର ଉଦ୍‌ଘାଟନ ସରିଛି। ଖୁବ୍‌ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ ନ କଲେ ଜନଆନ୍ଦୋଳନ ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।