12 OCTOBER 2026

Welcome!

Unlock your personalized experience.
Sign Up

Turmeric Cultivation: ହଳଦୀ ଚାଷର ଗାଁ ଶୁକଡୋଳା: ମହକୁଛି ସ୍ୱାବଲମ୍ବନର ବାସନା

Oct 12, 2026 - 03:06
Turmeric Cultivation: ହଳଦୀ ଚାଷର ଗାଁ ଶୁକଡୋଳା: ମହକୁଛି ସ୍ୱାବଲମ୍ବନର ବାସନା

କେନ୍ଦୁଝର(ସୁବ୍ରତ ସ୍ବାଇଁ): ‘ପ୍ରଥମେ ମାତ୍ର ଅଧା ଏକର ଜମିରେ ହଳଦୀ ଚାଷ କରିଥିଲି। ଜମି ପ୍ରସ୍ତୁତିଠାରୁ ଆରମ୍ଭ କରି ଗଛର ଯତ୍ନ ଓ ରକ୍ଷଣାବେକ୍ଷଣ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତା ମିଳିଲା। ପ୍ରଥମ ବର୍ଷର ଭଲ ଫଳାଫଳ ମନରେ ଆତ୍ମବିଶ୍ୱାସ ଭରିଦେଲା। ଦ୍ବିତୀୟ ବର୍ଷ ଅର୍ଥାତ ୨୦୨୩ରେ ଏକ ଏକର ଜମିରେ ହଳଦୀ ଚାଷ କଲି। ଗତବର୍ଷ ଏହି ଚାଷରୁ ପ୍ରାୟ ଦେଢ଼ଲକ୍ଷ ଟଙ୍କା ଆୟ ହୋଇଛି’ ବୋଲି କହିଛନ୍ତି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଶୁକଡୋଳା ଗାଁର ମହିଳା ଚାଷୀ ଦାସରୀ ସାନ୍ତା। କେବଳ ଦାସରୀ ନୁହନ୍ତି, ଗାଁର ଅନ୍ୟ ମହିଳାମାନେ ମଧ୍ୟ ଏହି ଚାଷକୁ ଆପଣାଇ ଶୁକଡୋଳାକୁ ହଳଦୀ ଚାଷର ଗାଁ ଭାବେ ନୂତନ ପରିଚୟ ଦେଇଛନ୍ତି।

Drinking water: ୪ ଦିଗରୁ ପାଣି ଯୋଗାଣ ଠପ୍‌; ପିଇବାପାଣି ଲାଗି ଡହଳବିକଳ ୫୦ ପରିବାର

ଦାସରୀଙ୍କ ପରିବାରର ମୁଖ୍ୟ ଜୀବିକା ହେଉଛି କୃଷି। ସ୍ୱାମୀ, ଶ୍ୱଶୁର ଓ ମା’ଙ୍କ ସହ ସେ ରହୁଛନ୍ତି। ତିନି ପୁଅଝିଅଙ୍କ ପାଠପଢ଼ା ଓ ପରିବାରର ଖର୍ଚ୍ଚ ତୁଲାଇବା ଥିଲା ବଡ଼ ଦାୟିତ୍ୱ। ଝିଅ ଦଶମ, ପୁଅ ନବମ ଓ ସାନପୁଅ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଛନ୍ତି। ପିଲାଙ୍କ ଭବିଷ୍ୟତ ଗଢ଼ିବା ସହ ପରିବାରକୁ ଆର୍ଥିକ ଭାବେ ସୁଦୃଢ଼ କରିବା ତାଙ୍କ ପାଇଁ ବଡ଼ ଆହ୍ୱାନ ଥିଲା। ଏବେ ହଳଦୀ ଚାଷରୁ ଲକ୍ଷାଧିକ ଟଙ୍କା ଆୟ କରି ଦାସରୀ ନିଜ ସଫଳତାକୁ ପ୍ରମାଣିତ କରିଛନ୍ତି। ଏହାଦ୍ବାରା ତାଙ୍କ ପରିବାରର ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଛି। ଦାସରୀଙ୍କ ସଫଳତା କେବଳ ତାଙ୍କ ପରିବାର ମଧ୍ୟରେ ସୀମିତ ରହିନାହିଁ। ଗାଁର ଅନ୍ୟ ମହିଳାଙ୍କ ପାଇଁ ମଧ୍ୟ ଏହା ଉଦାହରଣ ପାଲଟିଛି। ନିଜ ଜମିରେ ହଳଦୀ ଚାଷ କରି ଭଲ ଆୟ କରିହେବ ବୋଲି ତାଙ୍କ ଅଭିଜ୍ଞତା ଅନ୍ୟ ଚାଷୀଙ୍କୁ ଉତ୍ସାହିତ କରିଛି। ଯେଉଁମାନେ ଦିନେ ନୂଆ ଚାଷ ପଦ୍ଧତି ଆପଣାଇବାକୁ ଦ୍ୱିଧା କରୁଥିଲେ, ସେମାନଙ୍କ ପାଇଁ ଏବେ ହଳଦୀ ଚାଷ ଏକ ଲାଭଜନକ ଜୀବିକା ହୋଇପାରିଛି। ଶୁକଡୋଳା, ନାଡ଼ପାଣି ଓ ବଡ଼କୁଳ ଗ୍ରାମର ୨୭୮ ଜଣ ମହିଳା ହଳଦୀ ଚାଷ କରୁଛନ୍ତି। ୨୦୨୬-୨୭ରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଆଳୁ, ପରିବା ଓ ମସଲା ଫସଲର ବିକାଶ ଯୋଜନା ଅଧୀନରେ ୮୦ ଜଣଙ୍କୁ ‘ସୁରୋମା’ କିସମର ୧୬୦ କ୍ୱିଣ୍ଟାଲ ହଳଦୀ ବିହନ ଯୋଗାଇ ଦିଆଯାଇଛି।

DMF: ଡିଏମଏଫରେ ଖର୍ଚ୍ଚ ୪୦ଲକ୍ଷ, ଦାଖଲ  ହୋଇଛି ୨୫ ଲକ୍ଷର ବିନିଯୋଗ ପ୍ରମାଣପତ୍ର

ଅଧିକ ଉତ୍ପାଦନ ପାଇଁ କେବଳ ରାସାୟନିକ ସାର ଓ କୀଟନାଶକ ଉପରେ ନିର୍ଭର ନକରି ମାଟିର ଉର୍ବରତା ରକ୍ଷା, ଜୈବ ଉପାଦାନର ବ୍ୟବହାର ଓ ପରିବେଶ ଅନୁକୂଳ ଚାଷ ପଦ୍ଧତି ଉପରେ ଗାଁର ମହିଳା ଚାଷୀମାନେ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଗାଁରେ ଖତ ପ୍ରସ୍ତୁତି କେନ୍ଦ୍ର ସ୍ଥାପନ କରାଯାଇଛି। ଏଠାରେ ଚାଷୀମାନେ ବିଭିନ୍ନ ପ୍ରକାର ଜୈବିକ ଖତ ପ୍ରସ୍ତୁତ କରୁଛନ୍ତି। ଫସଲରେ ରୋଗପୋକ ନିୟନ୍ତ୍ରଣ, ବିହନ ବିଶୋଧନ ଓ ମାଟିର ପୋଷକତତ୍ତ୍ୱ ବଢ଼ାଇବାରେ ଏହାକୁ ବ୍ୟବହାର କରାଯାଉଛି। ମହିଳାଙ୍କ ଏହି ଉଦ୍ୟମ ଯୋଗୁଁ ବଣପାହାଡ଼ଘେରା ଶୁକଡୋଳା ଗାଁର ଘର ଅଗଣାଠାରୁ ଆରମ୍ଭ କରି ବାଡ଼ି ଓ ଚାଷଜମି ହଳଦୀଗଛର ବାସ୍ନାରେ ମହକୁଛି। ମାଟି ତଳେ ବଢ଼ୁଛି ସୁନେଲି ଫସଲ। ମାଟି ଉପରେ ଲେଖା ହେଉଛି ମହିଳାଙ୍କ ସ୍ୱାବଲମ୍ବନର ନୂଆ କାହାଣୀ। ଏହାକୁ ଦେଖିଲେ ମନେହେଉଛି, ହଳଦୀ କେବଳ ଏକ ମସଲା ନୁହେଁ, ଏହି ଗାଁର ପରିଚୟ। ଶୁକଡୋଳାର ଏହି ପରିବର୍ତ୍ତନ ଆଜି ଗାଁର ମହିଳାଙ୍କ ଶ୍ରମ ଓ ସାମୂହିକ ଶକ୍ତିର ନିଆରା ଉଦାହରଣ ପାଲଟିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।