Two Athletes Killed in Odisha: ଫୁଲନଖରାରେ ଦୁର୍ଘଟଣା, ନିରବିଗଲା ୨ କ୍ରୀଡ଼ା ପ୍ରତିଭାଙ୍କ ଜୀବନ !
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅକାଳରେ ଝଡ଼ିପଡ଼ିଛନ୍ତି ଓଡ଼ିଶାର ଦୁଇ ଉଦୀୟମାନ ଆଥଲେଟ୍ ଜୟରାମ ଦଣ୍ଡପତି ଓ ମଳୟ ବାରିକ।
ଅକ୍ଟୋବର ୨୧ ରାତି ପ୍ରାୟ ସାଢ଼େ ୧୦ଟା।
କଟକରୁ ଦଶହରା ବୁଲି ଜାତୀୟ ରାଜପଥରେ ବାଇକ ଯୋଗେ ଫେରୁଥିବା ବେଳେ ଫୁଲନଖରା ନିକଟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା।
ଉଭୟଙ୍କୁ ଉଦ୍ଧାର କରି କଟକ ଏସ୍ସିବି ନିଆଯାଇଥିଲା, ହେଲେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ।
ପରେ ସକାଳୁ ଘର ଲୋକଙ୍କୁ ଖବର ଦିଆଯିବା ପରେ ମେଡିକାଲ ପରିସରରେ ସୃଷ୍ଟି ହୋଇଥିଲା ଲୁହଭିଜା ପରିବେଶ।
ଆନ୍ଧ୍ରପ୍ରଦେଶ ବାସିନ୍ଦା ଜୟରାମ ୧୦୦ ଓ ୨୦୦ ମିଟର ଦୌଡ଼ରେ ଥିଲେ ଜଣେ ପ୍ରତିଭାବାନ ଧାବକ।
ସେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ସ୍ଥିତ ହାଇ ପରଫରମାନ୍ସ ସେଣ୍ଟରରେ ଅଭ୍ୟାସ କରୁଥିଲେ।
ଏସିଆନ୍ ଅଣ୍ଡର-୨୦ ଓ ଓଡ଼ିଶାର ଜାତୀୟ ସ୍ତରର ରିଲେରେ ପଦକ ଜିତିଥିଲେ।
ଅନ୍ୟପଟେ, ବରଗଡ଼ ଅତାବିରାର ମଳୟ ବାରିକ ୪୦୦ ମିଟର ଦୌଡ଼ରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଥିଲେ।
ଇଷ୍ଟ ଜୋନ୍ ଜୁନିୟର ଚାମ୍ପିୟନସିପ୍ରେ ଓଡ଼ିଶାର ସ୍ୱର୍ଣ୍ଣ ବିଜୟୀ ଅଣ୍ଡର-୨୦ ରିଲେ ଟିମ୍ର ସଦସ୍ୟ ଥିଲେ।
ରାଜ୍ୟ ଓ ଜାତୀୟ ସ୍ତରରେ ମଧ୍ୟ ପଦକ ଜିତିଥିଲେ।
ତେଣୁ ୨ ପ୍ରତିଭାଙ୍କ ଏପରି ଅକାଳ ବିୟୋଗ କ୍ରିଡ଼ା ଜଗତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି।
ତେବେ ପ୍ରଶ୍ନ ଉଠୁଛି, ଏତେ ରାତିରେ ଦୁହେଁ କଳିଙ୍ଗ ଷ୍ଟାଡ଼ିୟମ ହଷ୍ଟେଲରୁ କିପରି ବାହାରିଲେ?
ଏଥିପାଇଁ କିଏ ଦେଇଥିଲା ଅନୁମତି?
ଏନେଇ ଅଲିମ୍ପିଆନ ଦୂତି ଚାନ୍ଦ ପ୍ରଶ୍ନ ଉଠାଇ ଥିବା ବେଳେ ତଦନ୍ତ ଦାବି କରିଛନ୍ତି ପରିବାର ଲୋକ ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।