UAE Seeks Death Penalty for Flydubai Co-Pilot: ପାଇଲଟଙ୍କୁ ଆକ୍ରମଣ ଓ ପ୍ଲେନ ହାଇଜାକ ଉଦ୍ୟମ: ଆତଙ୍କୀ କୋ-ପାଇଲଟକୁ ମିଳିପାରେ ମୃତ୍ୟୁଦଣ୍ଡ

Oct 05, 2026 - 11:22
UAE Seeks Death Penalty for Flydubai Co-Pilot: ପାଇଲଟଙ୍କୁ ଆକ୍ରମଣ ଓ ପ୍ଲେନ ହାଇଜାକ ଉଦ୍ୟମ: ଆତଙ୍କୀ କୋ-ପାଇଲଟକୁ ମିଳିପାରେ ମୃତ୍ୟୁଦଣ୍ଡ

ଫ୍ଲାଏଦୁବାଇ ବିମାନର କକପିଟ୍‌ ଭିତରେ ପାଇଲଟ୍‌ଙ୍କୁ ଆକ୍ରମଣ ଓ ହତ୍ୟା ଉଦ୍ୟମ ସହ ପ୍ଲେନ୍‌କୁ ହାଇଜାକ ଉଦ୍ୟମ ଘଟଣାକୁ ନେଇ ସଂଯୁକ୍ତ ଆରବ ଏମିରେଟ୍ସ କୋ-ପାଇଲଟକୁ ମୃତ୍ୟୁ ଦଣ୍ଡ ଦେବାକୁ ଯୋଜନା କରିଛି। 

ସୂଚନାଯୋଗ୍ୟ, ଦୁବାଇରୁ ଇସ୍ରାଏଲର ତେଲ୍ ଅଭିଭ୍ ଯାଉଥିବା ଏକ ଫ୍ଲାଏଦୁବାଇ ବିମାନର ଉଡାଣ ସମୟରେ ୨୯ ବର୍ଷୀୟ ଓମାନୀ ନାଗରିକ ତଥା କୋ-ପାଇଲଟ୍ ହମାମ୍ ଅଲ୍-ହମ୍ମାମୀ ହଠାତ୍ ମୁଖ୍ୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାରଙ୍କୁ କକପିଟ୍ ଭିତରେ ଛୁରୀରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ମୁଖ୍ୟ ପାଇଲଟ୍ ଗୁରୁତର ଭାବେ ଆହତ ହୋଇଥିଲେ।

ଆକ୍ରମଣ ପରେ ପରେ ବିମାନଟି ନିୟନ୍ତ୍ରଣଚ୍ୟୁତ ହୋଇ ମାତ୍ର ଦୁଇ ମିନିଟ୍ ମଧ୍ୟରେ ପ୍ରାୟ ୧୬,୦୦୦ ଫୁଟ୍ ତଳକୁ ଖସିଯାଇଥିଲା। ତଦନ୍ତରୁ ଜଣାପଡିଛି ଯେ, କୋ-ପାଇଲଟ୍ ଜଣକ ବିମାନଟିକୁ କୌଣସି ପ୍ରକାରେ କ୍ରାସ୍ କରି ଏକ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ କରିବାକୁ ଚାହୁଁଥିଲେ। ତେବେ ଗୁରୁତର ଅବସ୍ଥାରେ ମଧ୍ୟ ସାହସୀ ମୁଖ୍ୟ ପାଇଲଟ୍ ଏବଂ କିଛି ସତର୍କ ଯାତ୍ରୀ କକପିଟ୍ ମଧ୍ୟରେ କରି ଆକ୍ରମଣକାରୀ କୋ-ପାଇଲଟ୍‌କୁ କାବୁ କରିବାରେ ସଫଳ ହୋଇଥିଲେ। ପରେ ବିମାନଟି ସାଉଦି ଆରବର ତବୁକ୍ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା।

ଅଭିଯୁକ୍ତ ହମାମ୍ ଅଲ୍-ହମ୍ମାମୀ ପୂର୍ବରୁ 'ଓମାନ ଏୟାର'ରେ କାମ କରୁଥିଲା। କିନ୍ତୁ ତାର ଆଚରଣ ଏବଂ କିଛି ଆତଙ୍କବାଦୀ ଓ ଚରମପନ୍ଥୀ ୱେବସାଇଟ୍ ପ୍ରତି ଆସକ୍ତି ଜାଣିବା ପରେ ଓମାନ ଏୟାର ତାକୁ ବ୍ୟାନ୍ କରିଥିଲେ। ବର୍ତ୍ତମାନ ସଂଯୁକ୍ତ ଆରବ ଏମିରେଟ୍ସ ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛି। ସାଉଦି ଆରବରେ ଧରାପଡ଼ିବା ପରେ ଅଭିଯୁକ୍ତକୁ ୟୁଏଇକୁ ଅଣାଯାଇଥିଲା। ୟୁଏଇର ଆଇନ ଅନୁଯାୟୀ, ରାଷ୍ଟ୍ରୀୟ ନିରାପତ୍ତା ବିରୋଧୀ ଏବଂ ଏଭଳି ଜଘନ୍ୟ ଆତଙ୍କବାଦୀ କାର୍ଯ୍ୟକାଳ ପାଇଁ 'ଫାୟାରିଂ ସ୍କ୍ୱାଡ୍' ଜରିଆରେ ମୃତ୍ୟୁଦଣ୍ଡ ଭଳି କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ଏହି ମାମଲାରେ ସରକାରୀ ଓକିଲ୍ କୋ-ପାଇଲଟ୍ ପାଇଁ ସର୍ବୋଚ୍ଚ ଦଣ୍ଡ ଅର୍ଥାତ୍ ମୃତ୍ୟୁଦଣ୍ଡ ଦାବି କରିଛନ୍ତି। କିନ୍ତୁ ତଦନ୍ତ ଜାରି ରହିଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।