Uber Driver Allegedly Abuses Passenger: Uber ଡ୍ରାଇଭରଙ୍କ ଅଭଦ୍ରାମୀ: ଏକ୍ସଟ୍ରା ଟୋଲ୍ ଟଙ୍କା ନଦେବାରୁ ଗାଳିକଲେ, ରାସ୍ତାରେ ଓହ୍ଲାଇଦେଲେ
ବେଙ୍ଗାଲୁରୁରେ ରହୁଥିବା ଜଣେ ଆମେରିକୀୟ ମହିଳା ଉବର୍ ଡ୍ରାଇଭରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଡାନା ମେରୀ ନାମକ ଏହି ମହିଳା ଅକ୍ଟୋବର ୫ରେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ, ଟୋଲ୍ ବାବଦରେ ଅତିରିକ୍ତ ଟଙ୍କା ଦେବାକୁ ମନା କରିବା ପରେ ଡ୍ରାଇଭର ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ ଏବଂ ରାସ୍ତା ମଝିରେ ଗାଡ଼ିରୁ ଓହ୍ଲାଇବାକୁ କହିଥିଲେ।
ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ବହୁ ଲୋକ Uber Indiaକୁ ଟ୍ୟାଗ୍ କରି ପ୍ରଶ୍ନ ଉଠାଇଛନ୍ତି। କେହି କେହି ଏହାକୁ ‘ଇଣ୍ଟରନ୍ୟାସନାଲ୍ ବେଇଜ୍ଜତି’ ବୋଲି ବର୍ଣ୍ଣନା କରିଥିବା ବେଳେ, ଅନ୍ୟମାନେ ନିଜର ସମାନ ଅନୁଭବ ମଧ୍ୟ ସେୟାର କରିଛନ୍ତି।
ଟୋଲ୍ ନାଁରେ ଅତିରିକ୍ତ ଟଙ୍କା ମାଗିଥିବା ଅଭିଯୋଗ
ଡାନା ନିଜ ପୋଷ୍ଟରେ ଲେଖିଛନ୍ତି ଯେ ସେ ଏକ ଏମିତି ସ୍ଥାନକୁ ଯାଉଥିଲେ, ଯେଉଁଠାରେ ପାର୍କିଂ ସମସ୍ୟା ଥିଲା। ସେଥିପାଇଁ ସେ Uber ବୁକ୍ କରିଥିଲେ। ଯିବା ସମୟର ରାଇଡ୍ରେ କୌଣସି ସମସ୍ୟା ହୋଇନଥିଲା। କିନ୍ତୁ ଫେରିବା ସମୟରେ ଆଉ ଏକ Uber ବୁକ୍ କରିବା ପରେ ରାଇଡ୍ ଆରମ୍ଭର ୩ରୁ ୫ ମିନିଟ୍ ମଧ୍ୟରେ ଡ୍ରାଇଭର କହିଥିଲେ ଯେ ଭଡ଼ା କମ୍ ଅଛି, ତେଣୁ ଟୋଲ୍ ପାଇଁ ଅତିରିକ୍ତ ଟଙ୍କା ଦେବାକୁ ପଡ଼ିବ।
ଡାନା ଡ୍ରାଇଭରଙ୍କୁ କହିଥିଲେ ଯେ ଟୋଲ୍ ଚାର୍ଜ୍ ଭଡ଼ା ମଧ୍ୟରେ ସାମିଲ ଥାଏ ଏବଂ ସେ ପୂର୍ବରୁ ମଧ୍ୟ ଏହି ରାସ୍ତାରେ ଯାତାୟାତ କରିଛନ୍ତି। ପୂର୍ବରୁ କୌଣସି ଡ୍ରାଇଭର ତାଙ୍କୁ ଅଲଗାରେ ଟୋଲ୍ ଟଙ୍କା ମାଗିନଥିଲେ। ଏପରିକି ସେ Uber ସପୋର୍ଟକୁ ଫୋନ୍ କରି ଏହା ସ୍ପଷ୍ଟ କରିବାକୁ ମଧ୍ୟ କହିଥିଲେ।
ରାସ୍ତାରେ ଓହ୍ଲାଇବାକୁ କହିଥିଲେ
ଡାନାଙ୍କ ଅଭିଯୋଗ ଅନୁସାରେ, ଏହା ପରେ ଡ୍ରାଇଭର ହଠାତ୍ ତାଙ୍କୁ ଗାଡ଼ିରୁ ଓହ୍ଲାଇବାକୁ କହିଥିଲେ। ସେତେବେଳେ ଗାଡ଼ି ଏକ ବ୍ୟସ୍ତ ତିନିଛକ ନିକଟରେ ଥିଲା। ଡାନା ସେଠାରେ ଓହ୍ଲାଇବାକୁ ମନା କରିବା ପରେ ଡ୍ରାଇଭର ଗାଡ଼ିକୁ ରାସ୍ତା ପାର୍ଶ୍ୱରେ ରଖିଥିଲେ।
ସେ ଆହୁରି ଦାବି କରିଛନ୍ତି ଯେ ଗାଡ଼ିରୁ ଓହ୍ଲାଇବା ପର୍ଯ୍ୟନ୍ତ ଡ୍ରାଇଭର ତାଙ୍କୁ ଗାଳିଗୁଲଜ କରୁଥିଲେ। ପରେ ସେଠାରେ ତାଙ୍କୁ ପ୍ରାୟ ୧୦ ମିନିଟ୍ ଅନ୍ୟ ଏକ Uber ପାଇଁ ଅପେକ୍ଷା କରିବାକୁ ପଡ଼ିଥିଲା। ଯେଉଁ ଅଞ୍ଚଳରେ ସେ ଥିଲେ, ସେଠାରେ ନିଜକୁ ସୁରକ୍ଷିତ ମନେ କରୁନଥିବା ମଧ୍ୟ ସେ କହିଛନ୍ତି।
Uberକୁ କଲ୍ କରିବା ପରେ କ’ଣ ହେଲା?
ଡାନାଙ୍କ କହିବା ଅନୁସାରେ, ପରେ ଆସିଥିବା ନୂଆ ଡ୍ରାଇଭର କୌଣସି ଅତିରିକ୍ତ ଟୋଲ୍ ଟଙ୍କା ନ ମାଗି ତାଙ୍କୁ ଘରେ ପହଞ୍ଚାଇଥିଲେ। ଘଟଣା ପରେ ସେ Uber କଷ୍ଟମର୍ ସପୋର୍ଟକୁ କଲ୍ କରିଥିଲେ। ସେଠାରୁ ତାଙ୍କୁ ଟୋଲ୍ ଚାର୍ଜ୍ ଭଡ଼ା ମଧ୍ୟରେ ସାମିଲ ଥିବା କୁହାଯାଇଥିବା ଡାନା ଦାବି କରିଛନ୍ତି। ସେ ଘଟଣା ସମ୍ପର୍କରେ ଅଭିଯୋଗ ମଧ୍ୟ କରିଛନ୍ତି।
बेंगलुरु में रह रहीं अमेरिकी नागरिक डाना मैरी ने सोशल मीडिया पर एक वीडियो पोस्ट कर बताया कि कैसे एक उबर (Uber) कैब ड्राइवर ने बीच रोड पर उनके साथ बदसलूकी की. महिला डाना मैरी ने 5 अक्टूबर को सोशल मीडिया पर वीडियो पोस्ट करके दावा किया है कि एक उबर ड्राइवर ने उन्हें एक्स्ट्रा पैसे… pic.twitter.com/LRjpMC2IA9
— Lallu Ram (@lalluram_news) October 6, 2026
ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା
ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଅନେକ ୟୁଜର୍ ନିଜର ପ୍ରତିକ୍ରିୟା ଦେଇଛନ୍ତି। କେହି କହିଛନ୍ତି ଯେ ଏପରି ସମସ୍ୟା କେବଳ Uber ନୁହେଁ, ଅନ୍ୟ ଆପ୍ ଭିତ୍ତିକ ଟ୍ୟାକ୍ସି ସେବାରେ ମଧ୍ୟ ଦେଖାଯାଏ। ଆଉ କେହି ବେଙ୍ଗାଲୁରୁରେ ଟ୍ୟାକ୍ସି ଓ ଅଟୋ ଡ୍ରାଇଭରଙ୍କ ବ୍ୟବହାରକୁ ନେଇ ପୂର୍ବରୁ ମଧ୍ୟ ଅଭିଯୋଗ ରହିଥିବା କହିଛନ୍ତି।
କିଛି ୟୁଜର୍ କମ୍ପାନୀକୁ କଠୋର ପଦକ୍ଷେପ ନେବାକୁ କହିଥିବା ବେଳେ, ଯାତ୍ରୀଙ୍କ ସୁରକ୍ଷା ଓ ଡ୍ରାଇଭରଙ୍କ ଜବାବଦେହିତା ନିଶ୍ଚିତ କରିବାକୁ ମଧ୍ୟ ଦାବି କରିଛନ୍ତି। ଏହି ଘଟଣା ପରେ ଆପ୍-ଭିତ୍ତିକ କ୍ୟାବ୍ ସେବାରେ ଭଡ଼ା, ଟୋଲ୍ ଚାର୍ଜ୍ ଓ ଯାତ୍ରୀ ସୁରକ୍ଷାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।