Udit Narayan Gets Emotional Over Nepal Disaster: ନେପାଳରେ ଭୟଙ୍କର ସ୍ଥିତି: ଉଦିତ କହିଲେ; “ଏହା ଭଗବାନଙ୍କ ଇଛା, ଆମେ କିଛି କରିପାରିବା ନାହିଁ।”
ନେପାଳରେ ଘଟିଥିବା ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବଲିଉଡ୍ର ଲୋକପ୍ରିୟ ଗାୟକ ଉଦିତ ନାରାୟଣ। ନେପାଳରୁ ଆସୁଥିବା ଧ୍ୱଂସର ଚିତ୍ର ଓ ଭିଡିଓ ତାଙ୍କୁ ଗଭୀର ଭାବେ ବିଚଳିତ କରିଥିବା ସେ କହିଛନ୍ତି। ଏହି ବିପର୍ଯ୍ୟୟରେ ପାଖାପାଖି ୫୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିବା ବେଳେ ଅନେକ ଲୋକ ନିଖୋଜ ଥିବା ଆଶଙ୍କା କରାଯାଉଛି। ବହୁ ସଂଖ୍ୟାରେ ଘର ଓ ଜୀବିକାର ସାଧନ ମଧ୍ୟ ନଷ୍ଟ ହୋଇଛି।
ନେପାଳ ସହ ଉଦିତ ନାରାୟଣଙ୍କର ପାରିବାରିକ ସମ୍ପର୍କ ରହିଛି। ତାଙ୍କ ବାପା ଜଣେ ନେପାଳୀ ନାଗରିକ ଥିଲେ। ତେଣୁ ନେପାଳର ଏଭଳି ପରିସ୍ଥିତି ତାଙ୍କୁ ଅଧିକ ଚିନ୍ତିତ କରିଛି।
ବିପଦରେ ଉଦିତଙ୍କ ନିକଟ ସମ୍ପର୍କୀୟ
ନେପାଳ-ବିହାର ସୀମା ନିକଟ ମିଥିଲା ଅଞ୍ଚଳରେ ଉଦିତ ନାରାୟଣଙ୍କ ପରିବାର ଓ ବନ୍ଧୁମାନେ ରହୁଥିବା ସେ କହିଛନ୍ତି। ଯଦିଓ ସେମାନେ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳଠାରୁ ଦୂରରେ ଅଛନ୍ତି, ତଥାପି ବନ୍ୟା ଯୋଗୁଁ ସେଠାରେ ମଧ୍ୟ ବିପଦ ରହିଛି। ଉଦିତ କହିଛନ୍ତି ଯେ ସେମାନଙ୍କ ବିଷୟରେ ଏବେ ଅଧିକ ସୂଚନା ମିଳିନାହିଁ। ସେହି ଅଞ୍ଚଳରେ ମଧ୍ୟ ବନ୍ୟା ପରିସ୍ଥିତି ରହିଛି ଏବଂ ଡେଞ୍ଜର ଆଲର୍ଟ ଜାରି ହୋଇଛି। ସେ କହିଛନ୍ତି, “ଏହା ନିଶ୍ଚିତ ଦୁଃଖର କଥା, ହେଲେ ଏହା ଭଗବାନଙ୍କ ଇଛା, ଆମେ କିଛି ବି କରିପାରିବା ନାହିଁ।”
‘ଏତେ ଧ୍ୱଂସ ଦେଖି ମୋ ମନ କାନ୍ଦିବାକୁ ଚାହୁଁଛି’
ନେପାଳର ବିପର୍ଯ୍ୟୟ ପୀଡ଼ିତଙ୍କ ପାଇଁ ସହାୟତା କରିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି ଉଦିତ ନାରାୟଣ। ସେ କହିଛନ୍ତି ଯେ ଦାନ କରିବା ପୂର୍ବରୁ ଏହା ଠିକ୍ ସ୍ଥାନରେ କିପରି ପହଞ୍ଚିବ, ସେ ନେଇ ସଠିକ୍ ମାଧ୍ୟମ ଜାଣିବାକୁ ଚାହୁଁଛନ୍ତି। ସେ କହିଛନ୍ତି, ଏଭଳି ସମୟରେ ସାରା ବିଶ୍ୱର ଲୋକ ଦୁଃଖିତ ଓ ଚିନ୍ତିତ। ଏହି ଯନ୍ତ୍ରଣା ସେ ମଧ୍ୟ ଗଭୀର ଭାବେ ଅନୁଭବ କରୁଛନ୍ତି। ନେପାଳରେ ହୋଇଥିବା ଏତେ ବଡ଼ ଧ୍ୱଂସ ଦେଖି ତାଙ୍କ ମନ କାନ୍ଦିବାକୁ ଚାହୁଁଛି ବୋଲି ଉଦିତ କହିଛନ୍ତି। ସବୁକିଛି ଶୀଘ୍ର ଠିକ୍ ହୋଇଯାଉ ବୋଲି ସେ ପ୍ରାର୍ଥନା କରୁଛନ୍ତି।
ନେପାଳ ପାଇଁ ପ୍ରାର୍ଥନା କଲେ ମନୀଷା, ଅନୁପମ ଖେର
ନେପାଳର ଏହି ଦୁର୍ଦ୍ଦିନରେ ଅନେକ ବଲିଉଡ୍ କଳାକାର ମଧ୍ୟ ପୀଡ଼ିତଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି। ନେପାଳରେ ଜନ୍ମିତ ଅଭିନେତ୍ରୀ ମନୀଷା କୋଇରାଲା ଇନ୍ଷ୍ଟାଗ୍ରାମ୍ ଷ୍ଟୋରୀରେ ପୋଷ୍ଟ କରି ନେପାଳ ପାଇଁ ପ୍ରାର୍ଥନା କରିବାକୁ ଲୋକଙ୍କୁ ଅପିଲ୍ କରିଛନ୍ତି। ସେହିପରି ଅନୁପମ ଖେର ମଧ୍ୟ ସୋସିଆଲ ମିଡିଆ ଜରିଆରେ ପ୍ରଭାବିତ ଲୋକଙ୍କ ପାଇଁ ପ୍ରାର୍ଥନା କରିବା ସହ ଏହି କଷ୍ଟକର ସମୟରେ ନେପାଳବାସୀଙ୍କ ସହାୟତା ପାଇଁ ଆଗେଇ ଆସିବାକୁ ଅପିଲ୍ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।