UPI Charge Alert: UPI ୟୁଜରଙ୍କୁ ବଡ଼ ଝଟକା! ଟଙ୍କା ଦେଣନେଣ ଉପରେ ଲାଗିପାରେ ଫି

Sep 15, 2026 - 16:27
UPI Charge Alert: UPI ୟୁଜରଙ୍କୁ ବଡ଼ ଝଟକା! ଟଙ୍କା ଦେଣନେଣ ଉପରେ ଲାଗିପାରେ ଫି

ୟୁପିଆଇ ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ବଡ଼ ଖବର। ଏଣିକି ବଡ଼ ଅଙ୍କର ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ। ୨ ହଜାରରୁ ଅଧିକ ଟଙ୍କାର ବ୍ୟବସାୟିକ ପେମେଣ୍ଟ ଉପରେ ପ୍ରାୟ ୦.୪ ପ୍ରତିଶତ ଫି ଲାଗୁ କରିବା ନେଇ ବିଚାରବିମର୍ଶ ଚାଲିଛି। ତେବେ ଏହି ହାର ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ।

ରଏଟର୍ସର ରିପୋର୍ଟ ଅନୁସାରେ, ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ(NPCI) ସମେତ ଅନ୍ୟ ପେମେଣ୍ଟ କର୍ତ୍ତୃପକ୍ଷ ବ୍ୟାଙ୍କ ଓ ପେମେଣ୍ଟ କମ୍ପାନୀଗୁଡ଼ିକ ସହ ଏନେଇ ଆଲୋଚନା କରୁଛନ୍ତି।

ଆଲୋଚନାରେ ବ୍ୟବସାୟୀଙ୍କୁ କରାଯାଉଥିବା ବଡ଼ UPI ପେମେଣ୍ଟରେ କେତେ ଫି ଲାଗିବ ଏବଂ ଏହି ଅର୍ଥକୁ ବ୍ୟାଙ୍କ, ପେମେଣ୍ଟ ଆପ୍ ଓ ମର୍ଚ୍ଚାଣ୍ଟ ପେମେଣ୍ଟ ସେବା ପ୍ରଦାନକାରୀଙ୍କ ମଧ୍ୟରେ କିପରି ବାଣ୍ଟାଯିବ।

ସମ୍ଭାବ୍ୟ ୦.୪ ପ୍ରତିଶତ ହାର ଅନୁସାରେ, ₹୫ ହଜାରର ପେମେଣ୍ଟରେ ₹୨୦, ₹୧୦ ହଜାରରେ ₹୪୦ ଏବଂ ₹୫୦ ହଜାରର ପେମେଣ୍ଟରେ ₹୨୦୦ ଚାର୍ଜ ହୋଇପାରେ। ତେବେ ଏଗୁଡ଼ିକ କେବଳ ଉଦାହରଣମାତ୍ର। ଚୂଡ଼ାନ୍ତ ଫି ଏପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇନାହିଁ।

ସମସ୍ତ UPI ୟୁଜରଙ୍କୁ ଦେବାକୁ ପଡ଼ିବନି ଚାର୍ଜ

ଏଠାରେ ଗୋଟିଏ କଥା ସ୍ପଷ୍ଟ ଯେ, UPI ଉପରେ ଚାର୍ଜ ଆସିବା ମାନେ ପ୍ରତ୍ୟେକ ଥର UPI ବ୍ୟବହାର କଲେ ଟଙ୍କା କଟିବ, ତାହା ନୁହେଁ। ପ୍ରସ୍ତାବିତ ବ୍ୟବସ୍ଥା ମୁଖ୍ୟତଃ ପର୍ସନ୍-ଟୁ-ମର୍ଚ୍ଚାଣ୍ଟ, ଅର୍ଥାତ୍ ଗ୍ରାହକଙ୍କଠାରୁ ବ୍ୟବସାୟୀଙ୍କୁ ହେଉଥିବା ବଡ଼ ପେମେଣ୍ଟ ପାଇଁ ଉଦ୍ଦିଷ୍ଟ। ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ହେଉଥିବା UPI ଟ୍ରାନ୍ସଫର୍ ମାଗଣା ରହିବାର ସମ୍ଭାବନା ରହିଛି।

ସରକାର ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ₹୨ ହଜାର ପର୍ଯ୍ୟନ୍ତ UPI ଟ୍ରାନ୍ଜାକ୍ସନ୍ ଉପରେ ବ୍ୟାଙ୍କ କିମ୍ବା ପେମେଣ୍ଟ ସିଷ୍ଟମ୍ ପ୍ରୋଭାଇଡର୍ ଚାର୍ଜ ଲଗାଇପାରିବେ ନାହିଁ। ଏହାସହ RuPay ଡେବିଟ୍ କାର୍ଡ ମାଧ୍ୟମରେ ହେଉଥିବା ପେମେଣ୍ଟକୁ ମଧ୍ୟ ଏଭଳି ଚାର୍ଜରୁ ସୁରକ୍ଷା ଦିଆଯାଇଛି।

କାହାକୁ ମିଳିପାରେ ଲାଭ?

ପ୍ରସ୍ତାବିତ ଫି ବ୍ୟବସ୍ଥା ଲାଗୁ ହେଲେ ପେମେଣ୍ଟ ଇକୋସିଷ୍ଟମର ବିଭିନ୍ନ ଅଂଶ ପାଇଁ ଏହା ନୂଆ ଆୟର ଉତ୍ସ ହୋଇପାରେ। ରିପୋର୍ଟ ଅନୁସାରେ ଅନୁସାରେ, ଫି'ର ୪୦ ପ୍ରତିଶତ ବ୍ୟାଙ୍କକୁ ଏବଂ ବାକି ୬୦ ପ୍ରତିଶତରୁ ୩୦ ପ୍ରତିଶତ ପେମେଣ୍ଟ ଆପ୍ ଓ ୩୦ ପ୍ରତିଶତ ମର୍ଚ୍ଚାଣ୍ଟ ପେମେଣ୍ଟ ସେବା ପ୍ରଦାନକାରୀଙ୍କୁ ମିଳିପାରେ। ଅର୍ଥାତ୍ ପ୍ରସ୍ତାବିତ ଭାଗବଣ୍ଟା ୪୦:୩୦:୩୦ ହୋଇପାରେ। କିନ୍ତୁ ଏହା ଏବେ କେବଳ ଆଲୋଚନାରେ ସୀମିତ ଏବଂ ଚୂଡ଼ାନ୍ତ ହୋଇନାହିଁ।

UPIର ବିଶାଳ ବଜାର

UPIରେ ପ୍ରତିମାସ ହେଉଥିବା କାରବାରର ପରିମାଣ ଦେଖିଲେ, ଏହି ପରିବର୍ତ୍ତନର ପ୍ରଭାବ ବଡ଼ ହୋଇପାରେ। ଅଗଷ୍ଟରେ UPI ମାଧ୍ୟମରେ ପ୍ରାୟ ୨୪ ବିଲିୟନ୍ ଟ୍ରାନ୍ଜାକ୍ସନ୍ ହୋଇଥିଲା। ଏହାର ମୋଟ ମୂଲ୍ୟ ପ୍ରାୟ ୩୧୧ ବିଲିୟନ୍ ଡଲାର୍ ବୋଲି ରଏଟର୍ସ ରିପୋର୍ଟରେ କୁହାଯାଇଛି।

ଆକଳନ ଅନୁସାରେ, ବଡ଼ UPI ବ୍ୟବସାୟିକ ପେମେଣ୍ଟରେ ଫି ଲାଗୁ ହେଲେ ପେମେଣ୍ଟ ଶିଳ୍ପ ପାଇଁ ବାର୍ଷିକ ₹୫ ହଜାର କୋଟିରୁ ₹୧୦ ହଜାର କୋଟି ପର୍ଯ୍ୟନ୍ତ ଆୟ ସୃଷ୍ଟି ହୋଇପାରେ। ୨୦୨୦ରୁ ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ପାଇଁ UPI ଟ୍ରାନ୍ଜାକ୍ସନ୍‌ରେ MDR ଶୂନ୍ୟ ରହିଛି। ତେଣୁ ବଡ଼ ମର୍ଚ୍ଚାଣ୍ଟ ପେମେଣ୍ଟ ପାଇଁ ନୂଆ ଚାର୍ଜିଂ ମଡେଲ୍ ଆସିଲେ, ଏହା UPI ଇକୋସିଷ୍ଟମରେ ଏକ ବଡ଼ ପରିବର୍ତ୍ତନ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।