UPI MDR rollout deferred beyond Diwali: ଦୀପାବଳୀ ପରେ ୟୁପିଆଇ ପେମେଣ୍ଟ ଉପରେ ଲାଗିବ ଶୁଳ୍କ, NPCI ର ବଡ଼ ନିଷ୍ପତ୍ତି
ୟୁପିଆଇ (UPI) କାରବାର ଉପରେ ଲାଗୁ ହେବାକୁ ଥିବା ନୂଆ ଶୁଳ୍କ ଦୀପାବଳୀ ଯାଏଁ ଘୁଞ୍ଚାଇ ଦିଆଯାଇଛି। ଅକ୍ଟୋବର ୧୫ରୁ ଏହି ନିୟମ ଲାଗୁ ହେବାକୁ ଥିବାବେଳେ, ଜାତୀୟ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏହାକୁ ଘୁଞ୍ଚାଇବା ନେଇ ଘୋଷଣା କରିଛି। ତେବେ ଦୀପାବଳି ପରେ କେଉଁ ତାରିଖରୁ ନୂଆ ନିୟମ ଲାଗୁ ହେବ, ତାହା ପରେ ଘୋଷଣା କରାଯିବ। ପାର୍ବଣ ସମୟକୁ ଦୃଷ୍ଟିରେ ରଖି ଏନପିସିଆଇ ଏହି ନିଷ୍ପତ୍ତି ନେଇଛି।
କାହିଁକି ଘୁଞ୍ଚାଗଲା ନିଷ୍ପତ୍ତି?
ଦୀପାବଳି ଓ ଅନ୍ୟ ପାର୍ବଣକୁ ଦୃଷ୍ଟିରେ ରଖି ଏହି ଶୁଳ୍କ ଲାଗୁ କରିବାକୁ ଘୁଞ୍ଚାଇ ଦିଆଯାଇଛି। ପାର୍ବଣ ସମୟରେ ଦୋକାନ, ଅନଲାଇନ୍ ଷ୍ଟୋର ଓ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଡିଜିଟାଲ୍ ପେମେଣ୍ଟ୍ ବୃଦ୍ଧି ପାଏ। ଏହି ସମୟରେ ନୂଆ ଶୁଳ୍କ ବ୍ୟବସ୍ଥା ଲାଗୁ ହେଲେ ବ୍ୟବସାୟୀ ମାନେ ପ୍ରଭାବିତ ହୋଇପାରନ୍ତି। ତେଣୁ ଦୀପାବଳୀ ପରେ NPCI ନିୟମ ଲାଗୁ କରିବା ନେଇ ଘୋଷଣା କରିଛି।
ସୂଚନାଯୋଗ୍ୟ, ନୂଆ ବ୍ୟବସ୍ଥା ଅନୁସାରେ, ଦୋକାନୀ, ବ୍ୟବସାୟୀ କିମ୍ବା ଅନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନକୁ UPI ମାଧ୍ୟମରେ ୨,୦୦୦ ଟଙ୍କାରୁ ଅଧିକ ଅର୍ଥ ପୈଠ କରାଯାଉଥିବା କେତେକ କାରବାର ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଲାଗୁ ହେବ। ଏହି ଶୁଳ୍କ ଗ୍ରାହକଙ୍କଠାରୁ ନୁହେଁ, ବରଂ ନିର୍ଦ୍ଦିଷ୍ଟ ନିୟମ ଅନୁସାରେ ବ୍ୟବସାୟୀଙ୍କଠାରୁ ଆଦାୟ କରାଯିବ।
ଉଦାହରଣ ସ୍ୱରୂପ, କୌଣସି ଗ୍ରାହକ ଦୋକାନରେ ୟୁପିଆଇ ମାଧ୍ୟମରେ ୧୦,୦୦୦ ଟଙ୍କା ପୈଠ କଲେ, ୦.୪ ପ୍ରତିଶତ ହିସାବରେ ବ୍ୟବସାୟୀଙ୍କ ଉପରେ ୪୦ ଟଙ୍କା ଏମଡିଆର ଶୁଳ୍କ ଲାଗିପାରେ। ତେବେ ୭୫,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ କାରବାରରେ ଏହି ଶୁଳ୍କ ସର୍ବାଧିକ ୩୦୦ ଟଙ୍କା ମଧ୍ୟରେ ସୀମିତ ରହିବ।
ନୂଆ ନିୟମ ଯୋଗୁଁ ସାଧାରଣ ଗ୍ରାହକଙ୍କୁ UPI ପେମେଣ୍ଟ୍ ପାଇଁ ଅତିରିକ୍ତ ଟଙ୍କା ଦେବାକୁ ପଡ଼ିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଟଙ୍କା ପଠାଇଲେ, ରାଶି ଯେତେ ହେଲେ ମଧ୍ୟ ସେହି କାରବାର ମାଗଣା ରହିବ। ସେହିପରି, ୨,୦୦୦ ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟୀଙ୍କୁ କରାଯାଉଥିବା ପେମେଣ୍ଟ୍ ଏବଂ ନିୟମ ଅନୁସାରେ ଶୁଳ୍କମୁକ୍ତ ଥିବା ଛୋଟ ବ୍ୟବସାୟୀଙ୍କ କାରବାର ମଧ୍ୟ ମାଗଣା ରହିବ। ଏହି ନୂଆ ବ୍ୟବସ୍ଥାରେ ପ୍ରାୟ ୯୬ ପ୍ରତିଶତ ବ୍ୟବସାୟୀଙ୍କୁ କରାଯାଉଥିବା UPI କାରବାର ପ୍ରଭାବିତ ହେବ ନାହିଁ।
MDR କ’ଣ?
MDR ହେଉଛି ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍। ଡିଜିଟାଲ୍ ପେମେଣ୍ଟ୍ ଗ୍ରହଣ କରିବା ଓ ସେହି କାରବାରକୁ ପ୍ରକ୍ରିୟାକରଣ କରିବା ପାଇଁ ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କଠାରୁ ଆଦାୟ ହେଉଥିବା ଶୁଳ୍କକୁ MDR କୁହାଯାଏ। ଏହା ସରକାରଙ୍କ ଦ୍ୱାରା ଆଦାୟ ହେଉଥିବା ଟିକସ ନୁହେଁ। ଏହି ଅର୍ଥ ବ୍ୟାଙ୍କ, ପେମେଣ୍ଟ୍ ଆପ୍ ଓ ଅନ୍ୟ ସେବା ପ୍ରଦାନକାରୀଙ୍କ ମଧ୍ୟରେ ବଣ୍ଟନ କରାଯାଏ। ଡିଜିଟାଲ୍ ପେମେଣ୍ଟ୍ ବ୍ୟବସ୍ଥାର ପରିଚାଳନା ଓ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଏହାର ଉଦ୍ଦେଶ୍ୟ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।