31 OCTOBER 2026

Welcome!

Unlock your personalized experience.
Sign Up

Vigilance Awareness Week: ଭିଜିଲାନ୍ସ ସଚେତନତା ଜନଜାଗରଣ; ଏମ୍ସ ଭୁବନେଶ୍ବର ପକ୍ଷରୁ ୱାକାଥନ୍ ଆୟୋଜିତ

Oct 31, 2026 - 17:49
Vigilance Awareness Week: ଭିଜିଲାନ୍ସ ସଚେତନତା ଜନଜାଗରଣ; ଏମ୍ସ ଭୁବନେଶ୍ବର ପକ୍ଷରୁ ୱାକାଥନ୍ ଆୟୋଜିତ

ଭୁବନେଶ୍ୱର: 'ଭିଜିଲାନ୍ସ ସଚେତନତା ସପ୍ତାହ ୨୦୨୬' ପାଳନ ଅବସରରେ ଏମ୍ସ ଭୁବନେଶ୍ୱର ପକ୍ଷରୁ ଏକ 'ୱାକାଥନ୍' (ପଦଯାତ୍ରା) ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡାକ୍ତର, ଅଧ୍ୟାପକ, ଅଧ୍ୟାପିକା, ଅଧିକାରୀ, କର୍ମଚାରୀ ତଥା ମେଡିକାଲ୍, ନର୍ସିଂ ଏବଂ ପାରାମେଡିକାଲ୍ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଗତକାଲି ଅନୁଷ୍ଠିତ ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦୈନନ୍ଦିନ ଜୀବନରେ ସତର୍କତା (ଭିଜିଲାନ୍ସ) ଏବଂ ସଚ୍ଚୋଟତାର ଗୁରୁତ୍ୱ ସମ୍ପର୍କରେ ଅଂଶଗ୍ରହଣକାରୀ ତଥା ଜନସାଧାରଣଙ୍କୁ ସଚେତନ କରାଇବା। ଏହି ଅବସରରେ ଏକ 'ସଚ୍ଚୋଟତା ଶପଥ' ପାଠ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଥିରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଏହି ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ, ଏମ୍ସ ଭୁବନେଶ୍ବରରେ ସ୍ୱଚ୍ଛତା ଏବଂ ନୈତିକ ଆଚରଣର ସଂସ୍କୃତି ଗଢ଼ି ତୋଳିବାରେ ସାମୂହିକ ଦାୟିତ୍ୱବୋଧର ଗୁରୁତ୍ୱକୁ ପ୍ରତିପାଦିତ କରିଥିଲା।

ଏହି କାର୍ଯ୍ୟକ୍ରମରେ ଡିନ୍ (ଏକାଡେମିକ୍) ଡ. ଦିଲ୍ଲୀପ କୁମାର ପରିଡ଼ା, ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ଡ. ପ୍ରଭାସ ରଞ୍ଜନ ତ୍ରିପାଠୀ, ମୁଖ୍ୟ ଭିଜିଲାନ୍ସ ଅଧିକାରୀ ଡ. ମନୋଜ କୁମାର ମହାନ୍ତି ଏବଂ ଡିଡିଏ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ୍ ସରକାର ପ୍ରମୁଖ ଉପସ୍ଥିତ ଥିଲେ। ସପ୍ତାହବ୍ୟାପୀ ଏହି କାର୍ଯ୍ୟକ୍ରମ ଅଧୀନରେ, ଏମ୍ସ ଭୁବନେଶ୍ୱରରେ ଏକାଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିମଧ୍ୟରେ ସିଜୁଆ ଗ୍ରାମରେ ଏକ ଗ୍ରାମସଭା ଆୟୋଜିତ ହୋଇଥିଲା। ଏହି ଗ୍ରାମସଭା ମାଧ୍ୟମରେ ସ୍ଥାନୀୟ ଅଧିବାସୀଙ୍କୁ ସଚ୍ଚୋଟତା, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଦାୟିତ୍ୱପୂର୍ଣ୍ଣ ନାଗରିକତାର ଗୁରୁତ୍ୱ ସମ୍ପର୍କରେ ସଚେତନ କରାଯାଇଥିଲା। ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଏପରି କାର୍ଯ୍ୟକ୍ରମ ବେଶ ଆଦୃତ ହୋଇଥିଲା। ସେହିପରି ଭିଜିଲାନ୍ସ ସଚେତନତା ବିଷୟବସ୍ତୁକୁ ନେଇ କୁଇଜ୍ ଏବଂ ପୋଷ୍ଟର ଡିଜାଇନ୍ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା।

Bank: ୟୁନିଅନ୍ ବ୍ୟାଙ୍କ ପକ୍ଷରୁ ୱାକାଥନ୍‌

ଏମ୍ସ ଭୁବନେଶ୍ବରର ଚିକିତ୍ସକ ଏବଂ କର୍ମଚାରୀଙ୍କ ମଧ୍ୟରେ ଏସମ୍ପର୍କରେ ଆବଶ୍ୟକୀୟ ଜ୍ଞାନ ଆହୋରଣ ଏବଂ ସୂଚନା ପ୍ରାପ୍ତି ନିମନ୍ତେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ସରକାରଙ୍କ ଅବସରପ୍ରାପ୍ତ ବରିଷ୍ଠ ଆଇପିଏସ୍ ଅଧିକାରୀ ଏମ୍. ଅକ୍ଷୟ ଯୋଗଦେଇଥିଲେ। ଏହି ଅଧିବେଶନରେ ବୃତ୍ତିଗତ ଏବଂ ସାର୍ବଜନୀନ ଜୀବନରେ ସତର୍କତା, ସଚ୍ଚୋଟତା, ନୈତିକ ଆଚରଣ, ସ୍ୱଚ୍ଛତା ଏବଂ ଦାୟିତ୍ୱବୋଧତା ପ୍ରତି ସଚେତନତାକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦିଆଯାଇଥିଲା। ସତର୍କତା ସଚେତନତା ସପ୍ତାହ ୨୦୨୬ ପାଳନ ଆରମ୍ଭରେ, ଏମ୍ସ ଭୁବନେଶ୍ୱର ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜେ. ପି. ନଡ୍ଡାଙ୍କ ଦ୍ୱାରା ପରିଚାଳିତ ସଚ୍ଚୋଟତା ପ୍ରତିଜ୍ଞା ସମାରୋହରେ ଅଂଶଗ୍ରହଣ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।