Vijay Announces 3 Free LPG Cylinders: ବିଜୟଙ୍କ ବଡ଼ ଘୋଷଣା, ଗରିବ ପରିବାରକୁ ବର୍ଷକୁ ୩ଟି LPG ସିଲିଣ୍ଡର ମାଗଣା
ତାମିଲନାଡୁରେ ସାଧାରଣ ଲୋକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟ। ଏଣିକି ବର୍ଷକୁ ୩ଟି ମାଗଣା LPG ସିଲିଣ୍ଡର ସହ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ମାଗଣା ବସ୍ ଯାତ୍ରାର ସୁବିଧା ମିଳିବ।
ବିଧାନସଭାରେ ‘ଅନ୍ନପୂର୍ଣ୍ଣି ସୁପର ସିକ୍ସ’ ଯୋଜନା ଘୋଷଣା କରିଛନ୍ତି ବିଜୟ। ବାର୍ଷିକ ଆୟ ୨.୫ ଲକ୍ଷ ଟଙ୍କାରୁ କମ୍ ଥିବା ପରିବାରଙ୍କୁ ବର୍ଷକୁ ୩ଟି LPG ସିଲିଣ୍ଡର ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା ସିଧାସଳଖ ବ୍ୟାଙ୍କ ଖାତାକୁ ଦିଆଯିବ। ୨୦୨୭ ପୋଙ୍ଗଲଠାରୁ ଏହି ଯୋଜନା ଲାଗୁ ହେବା ସହ ପ୍ରାୟ ୧.୩ କୋଟି ପରିବାର ଉପକୃତ ହେବେ।
ଏଥିପାଇଁ ସରକାରଙ୍କ ଉପରେ ବର୍ଷକୁ ପ୍ରାୟ ୪ ହଜାର କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ। ଗ୍ୟାସ୍ ଦର ବୃଦ୍ଧି ଓ ଯୋଗାଣ ସମସ୍ୟା ଯୋଗୁଁ ପରିବାର ଉପରେ ବଢ଼ୁଥିବା ଆର୍ଥିକ ଚାପକୁ କମାଇବା ପାଇଁ ଏହି ପଦକ୍ଷେପ ବୋଲି ବିଜୟ କହିଛନ୍ତି।
ଅନ୍ୟ ଏକ ବଡ଼ ଘୋଷଣା ହେଉଛି ଟ୍ରାନ୍ସଜେଣ୍ଡରଙ୍କ ପାଇଁ ମାଗଣା ବସ୍ ଯାତ୍ରା। ଏହା ସହ ମହିଳାଙ୍କ ‘ଭେଟ୍ରି ପୟନମ୍’ ମାଗଣା ବସ୍ ଯାତ୍ରା ଯୋଜନାକୁ ମଧ୍ୟ ବ୍ୟାପକ କରାଯିବ। ଏଣିକି ମହିଳାମାନେ Express, LSS ଓ Deluxe ସରକାରୀ ବସ୍ରେ ମଧ୍ୟ ମାଗଣା ଯାତ୍ରା କରିପାରିବେ। ଏହି ବର୍ଦ୍ଧିତ ସୁବିଧା ଅକ୍ଟୋବର ୨ରୁ ଲାଗୁ ହେବ ଏବଂ ଏଥିପାଇଁ ବର୍ଷକୁ ପ୍ରାୟ ୬ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।
ସେପଟେ ଚେନ୍ନାଇ ନିକଟ ପରନ୍ଦୁର ବିମାନବନ୍ଦର ପ୍ରକଳ୍ପ ନେଇ ମଧ୍ୟ ବିଜୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଚାଷୀ ଓ ସ୍ଥାନୀୟ ଲୋକଙ୍କ ବିସ୍ଥାପନ ହେବା ଭଳି ସ୍ଥାନରେ ନୂଆ ବିମାନବନ୍ଦର ନକରି ବିକଳ୍ପ ସ୍ଥାନ ଖୋଜାଯାଉଛି ବୋଲି ସେ କହିଛନ୍ତି। ଏହା ସହ ମୀନାମ୍ବାକ୍କମ୍ସ୍ଥିତ ବର୍ତ୍ତମାନର ଚେନ୍ନାଇ ବିମାନବନ୍ଦରରେ ନୂଆ ଟର୍ମିନାଲ୍-୫ ନିର୍ମାଣ କରାଯିବ ବୋଲି ଘୋଷଣା ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।