VIP security: ନକ୍ସଲବାଦ ହ୍ରାସ ପରେ ଛତିଶଗଡ଼ରେ ୧୦୦ରୁ ଅଧିକ ନେତାଙ୍କ ସୁରକ୍ଷା କମିବ
ରାୟପୁର: ଛତିଶଗଡ଼ରେ ସଶସ୍ତ୍ର ନକ୍ସଲବାଦର ପ୍ରଭାବ ହ୍ରାସ ପାଇବା ପରେ ରାଜନେତା ଓ ଜନପ୍ରତିନିଧିଙ୍କୁ ଦିଆଯାଉଥିବା ସୁରକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ୧୧୬ ଜଣ ଜନପ୍ରତିନିଧି ଓ ବିଶିଷ୍ଟ ବ୍ୟକ୍ତିଙ୍କ ସୁରକ୍ଷା ସ୍ତର ଗୋଟିଏ ପାହ୍ୟା ହ୍ରାସ କରାଯିବା ସହ ୪୦ ଜଣଙ୍କ ସୁରକ୍ଷା ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯିବ।
ଅନ୍ୟ ୫୦ରୁ ଅଧିକ ବ୍ୟକ୍ତିଙ୍କ ସୁରକ୍ଷା ବ୍ୟବସ୍ଥାରେ ମଧ୍ୟ କାଣ୍ଟଛାଣ୍ଟ କରାଯିବ। ଏହାଦ୍ୱାରା ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାୟ ୨୦୦ ପୁଲିସ କର୍ମଚାରୀ ଭିଆଇପି ସୁରକ୍ଷା ଦାୟିତ୍ୱରୁ ମୁକ୍ତ ହୋଇ ସାଧାରଣ ଆଇନଶୃଙ୍ଖଳା ରକ୍ଷା କାର୍ଯ୍ୟରେ ନିୟୋଜିତ ହୋଇପାରିବେ। ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଏବଂ ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ବିଜୟ ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ଏହି ପଦକ୍ଷେପ ନିଆଯାଇଛି।
ରାୟପୁରରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ ଛଅ ମାସ ଧରି ବିଭିନ୍ନ ଗୁଇନ୍ଦା ଓ ସୁରକ୍ଷା କମିଟି ବ୍ୟକ୍ତିବିଶେଷଙ୍କ ପ୍ରତି ବିପଦର ଆକଳନ କରିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଗୃହମନ୍ତ୍ରୀ ବିଜୟ ଶର୍ମା ମଧ୍ୟ ନିଜ ସୁରକ୍ଷା ବ୍ୟବସ୍ଥା ହ୍ରାସ କରିଛନ୍ତି। ତେବେ ସମସ୍ତଙ୍କ ସୁରକ୍ଷା ଏକାଥରକେ ହଟାଇ ଦିଆଯିବ ନାହିଁ। ପରିସ୍ଥିତି ଓ ବିପଦର ସ୍ତରକୁ ବିଚାରକୁ ନେଇ ପର୍ଯ୍ୟାୟକ୍ରମେ ଏହି ପରିବର୍ତ୍ତନ କରାଯିବ ବୋଲି ସରକାର କହିଛନ୍ତି।ନୂଆ ବ୍ୟବସ୍ଥା ଅନୁଯାୟୀ, ଜେଡ୍-ପ୍ଲସ୍ ସୁରକ୍ଷା ପାଉଥିବା ୯ ଜଣ ପ୍ରମୁଖ ରାଜନେତାଙ୍କ ସୁରକ୍ଷାକୁ ଜେଡ୍ ପାହ୍ୟାକୁ ହ୍ରାସ କରାଯାଇଛି।
ସେହିପରି ଜେଡ୍ ସୁରକ୍ଷା ପାଉଥିବା ବ୍ୟକ୍ତିଙ୍କୁ ୱାଇ-ପ୍ଲସ୍ ଏବଂ ୱାଇ-ପ୍ଲସ୍ ସୁରକ୍ଷା ପାଉଥିବା ବ୍ୟକ୍ତିଙ୍କୁ ୱାଇ ପାହ୍ୟାର ସୁରକ୍ଷା ଦିଆଯିବ। ଏହି ନିଷ୍ପତ୍ତିରେ ଶାସକ ବିଜେପି ଓ ବିରୋଧୀ କଂଗ୍ରେସର ନେତାମାନେ ମଧ୍ୟ ସାମିଲ ଅଛନ୍ତି। ଗୃହମନ୍ତ୍ରୀଙ୍କ କହିବା ଅନୁଯାୟୀ, ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ବସ୍ତର ଅଞ୍ଚଳରେ ସଶସ୍ତ୍ର ମାଓବାଦୀ ଉଗ୍ରବାଦର ଅନ୍ତ ଘଟାଇବାକୁ ଲକ୍ଷ୍ୟ ରଖାଯାଇଥିଲା। ଏହା ପରେ ତୁରନ୍ତ ସମସ୍ତଙ୍କ ସୁରକ୍ଷା ହଟାଇବା ଉଚିତ ହୋଇନଥାନ୍ତା। ତେଣୁ ଛଅ ମାସ ଧରି ପରିସ୍ଥିତିର ଅନୁଧ୍ୟାନ କରାଯାଇଛି। ଆସନ୍ତା ଛଅ ମାସ ପରେ ପୁଣି ଥରେ ସୁରକ୍ଷା ସ୍ଥିତିର ସମୀକ୍ଷା ହେବ। ଆବଶ୍ୟକ ମନେହେଲେ ଆଉ ଏକ ପାହ୍ୟା ସୁରକ୍ଷା ହ୍ରାସ କରାଯିବ।
ବର୍ତ୍ତମାନ ଛତିଶଗଡ଼ରେ ପ୍ରାୟ ୩୫୦ ଜଣ ରାଜନେତାଙ୍କ ସୁରକ୍ଷାରେ ୧,୫୫୦ ପୁଲିସ କର୍ମଚାରୀ ଓ ୫୦୦ରୁ ଅଧିକ ଗାଡ଼ି ନିୟୋଜିତ ଅଛନ୍ତି। ଏଥିପାଇଁ ବାର୍ଷିକ ପ୍ରାୟ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ନକ୍ସଲବାଦ ପ୍ରଭାବିତ ବସ୍ତର ଅଞ୍ଚଳରେ ସୁରକ୍ଷା ସ୍ଥିତିରେ ଉନ୍ନତି ଆସିବା ପରେ ପୁଲିସ ବାହିନୀକୁ ଅନ୍ୟ ଜନସୁରକ୍ଷା କାର୍ଯ୍ୟରେ ଅଧିକ ନିୟୋଜିତ କରିବା ସରକାରଙ୍କ ଲକ୍ଷ୍ୟ। ଏହାଦ୍ୱାରା ଅଞ୍ଚଳରେ ବିକାଶ ଓ ପର୍ଯ୍ୟଟନକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଇପାରିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।