Viral Video: ରିଲ୍ସ ନିଶାରେ ଛୁଆକୁ ଭୁଲିଗଲେ ବାପାମାଆ… ସମୁଦ୍ର ଲହଡ଼ିରେ ଫସିଗଲା କୁନି ଝିଅ!
ଆଜିକାଲି ସୋସିଆଲ ମିଡିଆରେ ରିଲ୍ସ ବନାଇବା ଏକ ଟ୍ରେଣ୍ଡ ପାଲଟିଛି। କିଏ ପାହାଡ଼ ଉପରେ ତ ଆଉ କିଏ ସମୁଦ୍ର କୂଳରେ ରିଲ୍ସ ବନାଇବାରେ ବ୍ୟସ୍ତ। ଲାଇକ୍, ଭ୍ୟୁଜ୍ ଓ ଫଲୋଅର୍ସ ବଢ଼ାଇବା ନିଶାରେ ଅନେକ ସମୟରେ ଲୋକେ ନିଜ ସୁରକ୍ଷାକୁ ମଧ୍ୟ ଅଣଦେଖା କରୁଛନ୍ତି। ହେଲେ ଏହି ନିଶା ଯେତେବେଳେ ନିଜ ଛୋଟ ପିଲାଙ୍କ ସୁରକ୍ଷା ପାଇଁ ବିପଦ ପାଲଟୁଛି, ସେତେବେଳେ ଏହା ଏକ ଚିନ୍ତାଜନକ ବିଷୟ ହୋଇଯାଉଛି।
ଏଭଳି ଏକ ଘଟଣାର ଭିଡିଓ ଏବେ ଇଣ୍ଟରନେଟ୍ରେ ଚର୍ଚ୍ଚାର ବିଷୟ ପାଲଟିଛି। ଭାଇରାଲ ଭିଡିଓରେ ଏକ ଦମ୍ପତି ସମୁଦ୍ର କୂଳରେ ରିଲ୍ସ ବନାଇବାରେ ବ୍ୟସ୍ତ ଥିବା ଦେଖିବାକୁ ମିଳୁଛି। ସେମାନଙ୍କ ସହିତ ଏକ କୁନି ଝିଅ ମଧ୍ୟ ରହିଛି। ପ୍ରଥମେ ମହିଳା ଜଣକ ଝିଅର ହାତ ଧରିଥିବା ବେଳେ କିଛି ସମୟ ପରେ କ୍ୟାମେରା ଆଗରେ ପୋଜ୍ ଦେବାରେ ବ୍ୟସ୍ତ ହୋଇଯାଉଛନ୍ତି।
ଏହି ସମୟରେ କୁନି ଝିଅଟି ତଳେ ପଡ଼ିଯାଇ ସମୁଦ୍ରର ଲହଡ଼ି ମଧ୍ୟରେ ଫସିଯାଉଛି। ପାଣି ଭିତରୁ ଉଠିବା ପାଇଁ ଝିଅଟି ସଂଘର୍ଷ କରୁଥିବା ବେଳେ ମହିଳା ଜଣକ ସ୍ୱାମୀଙ୍କ ସହ ଭିଡିଓ ପାଇଁ ଆଗକୁ ବଢ଼ୁଥିବା ଦେଖାଯାଉଛି।
ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ସମୟରେ ଦମ୍ପତିଙ୍କ ଧ୍ୟାନ ତୁରନ୍ତ ଝିଅ ଉପରକୁ ଯାଉନାହିଁ। ହେଲେ ସେଠାରେ ଉପସ୍ଥିତ ଆଉ ଜଣେ ପିଲା କୁନି ଝିଅଟିକୁ ପାଣିରେ ଫସିଥିବା ଦେଖି ସାହାଯ୍ୟ ପାଇଁ ଆଗେଇ ଆସୁଛି।
ପିଲାଟି କୁନି ଝିଅର ହାତ ଧରି ତାକୁ ସୁରକ୍ଷିତ ସ୍ଥାନକୁ ନେଇଯାଉଛି। ଏହାପରେ ସେ ଝିଅର ବାପାମାଆଙ୍କୁ ଘଟଣା ସମ୍ପର୍କରେ ଜଣାଉଛି। ଏହି ଦୃଶ୍ୟ ଦେଖି ଅନେକ ସୋସିଆଲ ମିଡିଆ ୟୁଜର୍ସ ଦମ୍ପତିଙ୍କ ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ଭାଇରାଲ ଭିଡିଓକୁ ନେଇ ଲୋକଙ୍କ ଅସନ୍ତୋଷ
ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ସାମ୍ନାକୁ ଆସୁଛି। କେତେକ ୟୁଜର୍ସ ଦମ୍ପତିଙ୍କ ଆଚରଣକୁ ନିନ୍ଦା କରିଥିବା ବେଳେ ଆଉ କେତେକ ରିଲ୍ସ ବନାଇବାର ବଢ଼ୁଥିବା ନିଶା ଉପରେ ପ୍ରଶ୍ନ ଉଠାଇଛନ୍ତି।
ଲୋକଙ୍କ କହିବା କଥା, ରିଲ୍ସ ବନାଇବା ପାଇଁ ପୁଣି ସୁଯୋଗ ମିଳିପାରେ, କିନ୍ତୁ ଥରେ କୌଣସି ଅଘଟଣ ଘଟିଗଲେ ତାହାକୁ ଫେରାଇ ଆଣିବା ସମ୍ଭବ ନୁହେଁ। ବିଶେଷକରି ସମୁଦ୍ର କୂଳ ଭଳି ବିପଦପୂର୍ଣ୍ଣ ସ୍ଥାନରେ ଛୋଟ ପିଲାଙ୍କୁ ଏକା ଛାଡ଼ିବା ଉଚିତ ନୁହେଁ ବୋଲି ଅନେକ ମତ ଦେଇଛନ୍ତି।
ये रील बनाने का कैसा भूत सवार है लोगों पर वीडियो के चक्कर में अपने ही बच्चे की जान जोखिम में डाल दी इनको बस लाइक्स और व्यूज़ की पड़ी है बच्चों की सुरक्षा से बढ़कर कुछ नहीं है बहुत गलत है ये! pic.twitter.com/igSSObAnl1
— Tanu (@ytanu7028) October 20, 2026
ବାପାମାଆଙ୍କ ପାଇଁ ବଡ଼ ଶିକ୍ଷା
ଏହି ଭାଇରାଲ ଭିଡିଓ କେବଳ ଏକ ଘଟଣା ନୁହେଁ, ବରଂ ଛୋଟ ପିଲାଙ୍କ ସୁରକ୍ଷା ପ୍ରତି ସଚେତନ ରହିବାକୁ ଏକ ବଡ଼ ବାର୍ତ୍ତା ଦେଉଛି। ସମୁଦ୍ର, ନଦୀ କିମ୍ବା ଝରଣା ନିକଟରେ ବୁଲିବା ବେଳେ ପିଲାମାନଙ୍କ ଉପରେ ସବୁବେଳେ ନଜର ରଖିବା ଆବଶ୍ୟକ।
ସମୁଦ୍ରର ଲହଡ଼ି କେତେବେଳେ ହଠାତ୍ ପ୍ରଖର ହୋଇଯିବ, ତାହା ଆକଳନ କରିବା କଷ୍ଟକର। ତେଣୁ ଫଟୋ ଉଠାଇବା କିମ୍ବା ରିଲ୍ସ ବନାଇବା ପୂର୍ବରୁ ପିଲାଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ଓ ସେମାନଙ୍କ ଯତ୍ନ ନେବା ଜରୁରୀ।
ତେବେ ଭାଇରାଲ ଭିଡିଓଟି କେଉଁ ସ୍ଥାନର ଏବଂ କେବେ ସୁଟିଂ କରାଯାଇଥିଲା, ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। ଭିଡିଓର ସତ୍ୟତା ମଧ୍ୟ ସ୍ୱାଧୀନ ଭାବେ ଯାଞ୍ଚ ହୋଇପାରିନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।