War: ମାତ୍ର ୩୮ ମିନିଟ୍ରେ ଶେଷ ହୋଇଥିଲା ଯୁଦ୍ଧ: ଜାଣନ୍ତୁ ବିଶ୍ୱ ଇତିହାସର ସବୁଠାରୁ ଛୋଟ ସଂଗ୍ରାମ
ନୂଆଦିଲ୍ଲୀ: ବିଶ୍ୱ ଇତିହାସରେ ଏପରି ଅନେକ ଯୁଦ୍ଧ ହୋଇଛି, ଯାହା ମାସ ମାସ କିମ୍ବା ବର୍ଷ ବର୍ଷ ଧରି ଚାଲିଥିଲା । ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତାକୁ ଆଜି ବି ଦୁନିଆ ଭୁଲିନାହିଁ । ମାତ୍ର ଆପଣ ଜାଣନ୍ତି କି, ଇତିହାସର ଏପରି ଏକ ଯୁଦ୍ଧ ରହିଛି, ଯାହା ଦିନ କି ସପ୍ତାହ ନୁହେଁ, ବରଂ ମାତ୍ର ୩୮ ମିନିଟ୍ରେ ଶେଷ ହୋଇଯାଇଥିଲା? ଏହାକୁ ମାନବ ଇତିହାସର ସବୁଠାରୁ ଛୋଟ ଯୁଦ୍ଧ ଭାବେ ଗଣନା କରାଯାଏ, ଯାହା 'ଆଙ୍ଗ୍ଲୋ-ଜାଞ୍ଜିବର ଯୁଦ୍ଧ' ନାମରେ ପ୍ରସିଦ୍ଧ ।
କାହିଁକି ହୋଇଥିଲା ଏହି ଯୁଦ୍ଧ?
ଜାଞ୍ଜିବରର ସୁଲତାନ ହମଦଙ୍କ ମୃତ୍ୟୁ ପରେ, ତାଙ୍କ ସମ୍ପର୍କୀୟ ଭାଇ ଖାଲିଦ୍ ବିନ୍ ବରଘଶ୍ ବ୍ରିଟିଶ ସରକାରଙ୍କ ବିନା ଅନୁମତିରେ ନିଜକୁ ଜାଞ୍ଜିବରର ନୂଆ ସୁଲତାନ ଭାବେ ଘୋଷଣା କରିଥିଲେ । ଏକ ଚୁକ୍ତି ଅନୁଯାୟୀ, ଜାଞ୍ଜିବରର ନୂଆ ସୁଲତାନ କେବଳ ବ୍ରିଟିଶ କାଉନସିଲର ମଞ୍ଜୁରୀ ପରେ ହିଁ ସିଂହାସନରେ ବସିପାରିବେ । ତେଣୁ ବ୍ରିଟିଶ ଅଧିକାରୀମାନେ ଖାଲିଦଙ୍କୁ ତୁରନ୍ତ ଗାଦି ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ, ମାତ୍ର ଖାଲିଦ ଏହାକୁ ଅମାନ୍ୟ କରି ବ୍ରିଟିଶ ସେନାର ସାମ୍ନା କରିବା ପାଇଁ ରାଜମହଲ ଚାରିପାଖରେ ପ୍ରାୟ ୩,୦୦୦ ସୈନ୍ୟ ମୁତୟନ କରିଥିଲେ ।
ଆହୁରି ପଢନ୍ତୁ: Earth Again Conference 2026: ‘ସିଭିଲ୍ ସୋସାଇଟି ପଞ୍ଚାୟତ ସହ ମିଶି ଦୀର୍ଘସ୍ଥାୟୀ ବ୍ୟବସ୍ଥା ତିଆରି କରିବା ଦରକାର’
୩୮ ମିନିଟ୍ର ଆକ୍ରମଣ ଓ ଆତ୍ମସମର୍ପଣ
ବ୍ରିଟିଶ ସେନା ସୁଲତାନ ଖାଲିଦଙ୍କୁ ସ୍ଥିତି ସୁଧାରିବା ପାଇଁ ଅଗଷ୍ଟ ୨୭ ତାରିଖ ସକାଳ ୯ଟା ପର୍ଯ୍ୟନ୍ତ ସମୟ ଦେଇଥିଲେ । ନିର୍ଦ୍ଧାରିତ ସମୟ ସୁଦ୍ଧା ଖାଲିଦ ଆତ୍ମସମର୍ପଣ ନକରିବାରୁ, ଠିକ୍ ସକାଳ ୯ଟା ୨ ମିନିଟ୍ରେ ବ୍ରିଟିଶ ନୌସେନାର ଯୁଦ୍ଧପୋତଗୁଡ଼ିକ ସୁଲତାନଙ୍କ ମହଲ ଉପରେ ପ୍ରବଳ ବୋମାବର୍ଷା ଆରମ୍ଭ କରିଦେଇଥିଲେ ।
ବ୍ରିଟିଶମାନଙ୍କ ଆଧୁନିକ ଅସ୍ତ୍ରଶସ୍ତ୍ର ଓ ତୋପ ଆଗରେ ଜାଞ୍ଜିବର ସୈନ୍ୟମାନେ ତିଷ୍ଠି ପାରିନଥିଲେ । କିଛି ମିନିଟ୍ ମଧ୍ୟରେ କାଠରେ ତିଆରି ରାଜମହଲ ନିଆଁର ଲେଲିହାନ ଶିଖାରେ ଭସ୍ମୀଭୂତ ହୋଇଯାଇଥିଲା । ସକାଳ ୯ଟା ୪୦ ମିନିଟ୍ରେ, ଅର୍ଥାତ୍ ଠିକ୍ ୩୮ ମିନିଟ୍ ପରେ, ସୁଲତାନଙ୍କ ସେନା ଆତ୍ମସମର୍ପଣ କରିଥିଲେ ।
ଆହୁରି ପଢନ୍ତୁ: Sanjay Dutt: ପୋଲିସ ବାପାଙ୍କ ସାମ୍ନାରେ ହାତକଡ଼ି ପିନ୍ଧାଇଥିଲା: ସଞ୍ଜୟ ଦତ୍ତ
ମହଲ ଛାଡ଼ି ପଳାଇଲେ ସୁଲତାନ
ଏହି ୩୮ ମିନିଟ୍ର ସଂଗ୍ରାମରେ ଜାଞ୍ଜିବରର ପ୍ରାୟ ୫୦୦ ସୈନ୍ୟ ଓ ନାଗରିକ ନିହତ କିମ୍ବା ଗୁରୁତର ଆହତ ହୋଇଥିଲେ । ଅନ୍ୟପଟେ ବ୍ରିଟିଶ ସେନାର ମାତ୍ର ଜଣେ ସୈନିକ ଆହତ ହୋଇଥିଲେ, ଯାହାଙ୍କ ଜୀବନ ବଞ୍ଚିଯାଇଥିଲା । ବ୍ରିଟିଶ ଆକ୍ରମଣ ଦେଖି ସୁଲତାନ ଖାଲିଦ୍ ମହଲର ପଛ ପଟ ଦେଇ ଖସିପଳାଇଥିଲେ ଓ ସ୍ଥାନୀୟ ଜର୍ମାନ ଦୂତାବାସରେ ଶରଣ ନେଇଥିଲେ । ଏହିପରି ଭାବେ ଅତି କମ୍ ସମୟ ମଧ୍ୟରେ ଯୁଦ୍ଧ ଜିତି ବ୍ରିଟିଶମାନେ ଜାଞ୍ଜିବର ଉପରେ ନିଜର ଆଧିପତ୍ୟ ଜାହିର କରିଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।