Was Baitarani Flood Man-Made: ମନୁଷ୍ୟକୃତ ଥିଲା କି ବୈତରଣୀ ବନ୍ୟା ? ଉଠିଲା ବଡ଼ ପ୍ରଶ୍ନ

Aug 20, 2026 - 19:41
Was Baitarani Flood Man-Made: ମନୁଷ୍ୟକୃତ ଥିଲା କି ବୈତରଣୀ ବନ୍ୟା ? ଉଠିଲା ବଡ଼ ପ୍ରଶ୍ନ

ବୈତରଣୀ ବନ୍ୟାରେ ଯାଜପୁର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାରେ ଲୋକଙ୍କ ଦହଗଞ୍ଜ ଭିତରେ ସାମ୍ନାକୁ ଆସିଛି ବନ୍ୟା ପଛର ଅସଲ କାରଣ। ଜଳ ସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ବୈତରଣୀ ପାୱାର ପ୍ରୋଜେକ୍ଟ ଲିମିଟେଡ୍ ବା BPPLକୁ ବନ୍ୟା ପାଇଁ ସିଧାସଳଖ ଦାୟୀ କରିଛନ୍ତି। ଗତ ୧୭ ତାରିଖରେ ଆନନ୍ଦପୁର ବ୍ୟାରେଜ୍ ପ୍ରୋଜେକ୍ଟ ର ଚିଫ୍ କନଷ୍ଟ୍ରକସନ୍ ଇଞ୍ଜିନିୟରଙ୍କ ନିକଟରୁ ଲେଖାଯାଇଥିବା ଏହି ଚିଠିରେ କୁହାଯାଇଛି, ବୈତରଣୀ ପାୱାର ପ୍ରୋଜେକ୍ଟ ସଂସ୍ଥା, ବୈତରଣୀ କ୍ଷୁଦ୍ର ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ବିଦ୍ୟୁତ୍ ଉତ୍ପାଦନ ପାଇଁ ପିକ୍ ଫ୍ଲଡ୍ ଓ ଫ୍ଲାସ ଫ୍ଲଡ୍ ସମୟରେ ମନଇଛା ବ୍ୟାରେଜ୍ ଗେଟ୍ ଗୁଡ଼ିକୁ ଖୋଲି ଦେଇଥିଲା। 

ଏହି ବେପରୁଆ କାର୍ଯ୍ୟ ପାଇଁ, ଜଳ ସଂପଦ ବିଭାଗ ସହ ସମନ୍ବୟ ନରହିବାରୁ ବୈତରଣୀରେ ବଡ଼ ଧରଣର ବନ୍ୟା ଆସିଲା। ନଦୀ ତଳସ୍ତରରେ ବନ୍ୟା ନିୟନ୍ତ୍ରଣ କଷ୍ଟକର ହୋଇପଡ଼ିଲା ବୋଲି କୁହାଯାଇଛି। ଏଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ପୂର୍ବରୁ BPPLକୁ ସୋକଜ୍ ନୋଟିସ୍ ଜାରି କରାଯାଇଥିବା କହିଛନ୍ତି ଖୋଦ୍ SRC। କିନ୍ତୁ କଂପାନୀର ସ୍ବାର୍ଥ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଦାୟୀ କରି ସର୍ବୋଚ୍ଚ ଯନ୍ତ୍ରୀ ସୋକଜ୍ ନୋଟିସ୍ ଜାରି କରିଥିବା ବେଳେ ଆଜି ସେ ନିଜେ ୟୁ-ଟର୍ଣ୍ଣ ମାରି କ୍ଲିନ୍ ଚିଟ୍ ଦେଇଛନ୍ତି। EIC କହିଛନ୍ତି BPPL ଯୋଗୁ ବନ୍ୟା ହୋଇଛି କହିବା ଠିକ୍ ନୁହେଁ । 

ବୈତରଣୀରେ ଭୟଙ୍କର ବନ୍ୟା ଯୋଗୁଁ ନଦୀ ଅବବାହିକାରେ ଥିବା ଲୋକେ ସାଂଘାତିକ ଭାବେ ପ୍ରଭାବିତ ହୋଇଛନ୍ତି। ଲୋକଙ୍କ ଧନ ଜୀବନ ନଷ୍ଟ ସହ ଚାଷବାସ ବି ଉଜୁଡି ଯାଇଛି। ପୂର୍ବରୁ ଅନେକ ଥର ବନ୍ୟା ସତ୍ତ୍ବେ ଯେଭଳି କ୍ଷତି ହୋଇନଥିଲା ଚଳିତ ବନ୍ୟାରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି ବୋଲି ନଈ କୂଳିଆ ଲୋକେ ଅଭିଯୋଗ କରିଛନ୍ତି। ସେପଟେ ବନ୍ୟା ନିୟନ୍ତ୍ରଣ ପାଇଁ ଜଳ ସଂପଦ ବିଭାଗ ସହିତ ସମନ୍ବୟ ନଥିବା କଥାକୁ ଅସ୍ବୀକାର କରିଛନ୍ତି ଅବସରପ୍ରାପ୍ତ ଯନ୍ତ୍ରୀ ଲଳିତ ପଟ୍ଟନାୟକ। ସେ କହିଛନ୍ତି ବୈତରଣୀ ପାୱାର ପ୍ରୋଜେକ୍ଟର କାପାସିଟି ୩୫ MCM। ପାୱାର ଜେନେରେସନ କାପାସିଟି ୨୪ ମେଗାୱାଟ୍ । ତାର ଗେଟ୍ ଖୋଲାଯିବା ଯୋଗୁ ବୈତରଣୀରେ ବନ୍ୟା ଗମ୍ଭୀର ହେବା କହିବା ଠିକ୍ ନୁହେଁ। ତେବେ ବନ୍ୟା ନିୟନ୍ତ୍ରଣ ଓ ଗେଟ୍ ଖୋଲିବା ଦାୟିତ୍ବ ଜଳ ସଂପଦ ବିଭାଗର। 

ସେପଟେ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏବଂ SRCଙ୍କ କଥାରେ ତାଳମେଳ ନରହିବା ପରେ ତେଜିଛି ରାଜନୀତି। ବିରୋଧୀ ଅଭିଯୋଗ କରିଛନ୍ତି ବୈତରଣୀ ବନ୍ୟା ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଛନ୍ତି। 

ବୈତରଣୀ ବନ୍ୟାକୁ ନେଇ ଦୋଷ ଠେଲାଠେଲି ଭିତରେ ପ୍ରକୃତ ସତ କଣ? ବନ୍ୟା ମନୁଷ୍ୟକୃତ ଥିଲା ନାଁ ଅନ୍ୟ କିଛି। ତାହା BPPL କୁ ହୋଇଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ମିଳିବା ପରେ ସ୍ପଷ୍ଟ ହେବ। ତେବେ ପୂରା ପ୍ରସଙ୍ଗରେ ବୈତରଣୀ ପାୱାର ପ୍ରୋଜେକ୍ଟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।