Elderly Man Dies Waiting for Pension Money: ଚିକିତ୍ସା ପାଇଁ ଭତ୍ତାକୁ ଅପେକ୍ଷା, ମୃତ୍ୟୁ ପରେ ପହଞ୍ଚିଲା ଟଙ୍କା
ଭତ୍ତା ଟଙ୍କା ଆସିବ, ଚିକିତ୍ସା ହେବ। ଏହି ଆଶାରେ ଥିଲେ ଜଣେ ୮୨ ବର୍ଷୀୟ ବୃଦ୍ଧ। ହେଲେ ଟଙ୍କା ଆସିବା ପୂର୍ବରୁ ଚାଲିଗଲା ଜୀବନ। ଯେଉଁ ଟଙ୍କା ଜଣେ ଜୀବିତ ମଣିଷର ଔଷଧ ପାଇଁ ଦରକାର ଥିଲା, ସେହି ଟଙ୍କା ପହଞ୍ଚିଲା ମୃତଦେହ ପାଖରେ। ବଲାଙ୍ଗିର ସଦର ବ୍ଲକ୍ ଶିକାଛିଡା ପଞ୍ଚାୟତ ଖର୍ଲିକାନୀ ଗାଁର ୮୨ ବର୍ଷୀୟ ବୀର ମୁଣ୍ଡା। ବୟସାଧିକ କାରଣରୁ ଦେହ ଅସୁସ୍ଥ ଥିଲା। ଚିକିତ୍ସା ପାଇଁ ଆବଶ୍ୟକ ଥିଲା ଟଙ୍କା। ସେହି ସମୟରେ ମାସିକ ବାର୍ଦ୍ଧକ୍ୟ ଭତ୍ତା ପରିବାରର ଭରସା ଥିଲା। ଆଶା ଥିଲା ଭତ୍ତା ଟଙ୍କା ଆସିଲେ ଔଷଧ କିଣିବେ, ଚିକିତ୍ସା କରିବେ...ଆଉ କିଛି ଦିନ ଜୀବନ ସହ ଲଢ଼ିପାରିବେ। ହେଲେ ସେହି ଅପେକ୍ଷାର ଅନ୍ତ ହେଲା ମୃତ୍ୟୁରେ।
ଗତ ୧୬ ତାରିଖରେ ଅସୁସ୍ଥ ବୀରଙ୍କ ଭତ୍ତା ଟଙ୍କା ଆଣିବା ପାଇଁ ପଞ୍ଚାୟତ ଯାଇଥିଲେ ପତ୍ନୀ ରାଧା। ହେଲେ ନିୟମ ପାଠ ପଢ଼ାଇ ଫେରାଇ ଦେଲେ ପିଇଓ। ଘରକୁ ଯାଇ ଫଟୋ ଉଠାଇଲେ ହିଁ ଟଙ୍କା ମିଳିବ କହିଥିଲେ। ରାଧା ଫେରିଲେ, ଆଶା ରଖିଲେ। ୧୬ ଗଲା, ୧୭ ପରେ ୧୮ ତାରିଖ ବି ଚାଲିଗଲା। ୧୯ ତାରିଖ ବି ଆସିଗଲା, କିନ୍ତୁ ଆସିଲାନି ଭତ୍ତା। ମୃତ୍ୟୁ ପରେ ଭତ୍ତା ଟଙ୍କା ପାଇଁ ପ୍ରାୟ ପାଞ୍ଚ ଘଣ୍ଟା ଘର ସାମ୍ନାରେ ପଡ଼ିରହିଲା ଶବ। ଶେଷରେ ସ୍ଥାନୀୟ ୱାର୍ଡମେମ୍ବର, ସରପଞ୍ଚଙ୍କୁ ଜଣାଇବା ପରେ ପ୍ରତିନିଧିଙ୍କ ହାତରେ ଘରକୁ ଭତ୍ତା ଟଙ୍କା ପଠାଗଲା। ତା’ପରେ ଉଠିଥିଲା କୋକେଇ।
ଏହା କେବଳ କିଛି ଶହ ଟଙ୍କାର କାହାଣୀ ନୁହେଁ। ସେହି ଟଙ୍କାର କାହାଣୀ, ଯାହା ଜଣେ ବୃଦ୍ଧଙ୍କ ପାଇଁ ଥିଲା ଶେଷ ଆଶା। କିନ୍ତୁ ପ୍ରଶ୍ନ ଉଠୁଛି, ଜୀବିତ ଅବସ୍ଥାରେ ବୀରଙ୍କ ପାଖରେ ଭତ୍ତା ପହଞ୍ଚିବାକୁ ବିଳମ୍ବ କାହିଁକି ? ଏହି ଚିଠି ଉପରେ ନଜର ପକାନ୍ତୁ। ଗତ ୧୩ ତାରିଖରେ ଶିକାଛିଡ଼ା ପଞ୍ଚାୟତ ପିଇଓ ଆନନ୍ଦ ଚନ୍ଦ୍ର ପାତ୍ର ବ୍ଲକରୁ ଭତ୍ତା ଟଙ୍କା ଉଠାଇଥିଲେ। ତାହେଲେ ୧୯ ତାରିଖ ପର୍ଯ୍ୟନ୍ତ ବୀର ମୁଣ୍ଡାଙ୍କ ପାଖରେ ଟଙ୍କା ପହଞ୍ଚିଲାନି କାହିଁକି ? ଭତ୍ତା ଦେବାରେ ବିଳମ୍ବ ଚିକିତ୍ସାକୁ ପ୍ରଭାବିତ କଲା କି ? ପ୍ରଶାସନିକ ବିଳମ୍ବ ପାଇଁ ଦାୟୀ କିଏ ?
ଘଟଣା ସାମ୍ନାକୁ ଆସିବା ପରେ ମାମଲାକୁ ଗୁରୁତ୍ୱର ସହ ନେଇଛି ପ୍ରଶାସନ। ତଦନ୍ତ କରି ରିପୋର୍ଟ ଦେବାକୁ ବଲାଙ୍ଗିର ସଦର ବ୍ଲକ୍ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ। ଏହା କେବଳ ବୀର ମୁଣ୍ଡାଙ୍କ କଥା ନୁହେଁ। ସରକାରୀ ଭତ୍ତା ଉପରେ ନିର୍ଭର କରୁଥିବା ହଜାର ହଜାର ହିତାଧିକାରୀଙ୍କ ସାମାଜିକ ସୁରକ୍ଷା ପ୍ରତି ପ୍ରଶ୍ନ ଉଠାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।