07 OCTOBER 2026

Welcome!

Unlock your personalized experience.
Sign Up

Water Mafia: ମାତିଛନ୍ତି ‘ପାଣି ମାଫିଆ’: ସ୍ମାର୍ଟସିଟିରେ କଲବଲ ଜନତା

Oct 07, 2026 - 05:38
Water Mafia: ମାତିଛନ୍ତି ‘ପାଣି ମାଫିଆ’: ସ୍ମାର୍ଟସିଟିରେ କଲବଲ ଜନତା

ଗୋପବନ୍ଧୁପାଲିରୁ ଦେବବ୍ରତ ଗଡ଼ତିଆଙ୍କ ରିପୋର୍ଟ

ରାଉରକେଲା: ୨୦୨୨ରେ ପାଇପ୍‌ ବିଛାଇଲେ ଓ ୨୦୨୪ରେ ମିଟର ବସାଇଲେ, କିନ୍ତୁ ଏଯାଏଁ ପାଣିର ଦେଖାଦର୍ଶନ ନାହିଁ। ଗୋଟିଏ ପଟେ ପାଣିଦିଆଯାଉନି, କିନ୍ତୁ ଅପରପଟେ ପାଣି ବିଲ୍‌ ବାବଦକୁ ଟଙ୍କା ନେବାକୁ ପହଞ୍ଚିଯାଉଛନ୍ତି। ସରକାରଙ୍କ ପକ୍ଷରୁ ପାନୀୟଜଳ ଯୋଗାଣ କରାଯାଉନଥିବାରୁ ବାଧ୍ୟ ହୋଇ ପାଣି କିଣୁଛୁ। କ୍ଷୋଭର ସହ ଏଭଳି କହିଛନ୍ତି ରାଉରକେଲା ମହାନଗର ନିଗମ ୱାର୍ଡ ନଂ ୨୨ର ବାସିନ୍ଦା ରୀତା ମାଝୀ। କେବଳ ରୀତା ନୁହନ୍ତି, ଜ୍ୟୋତି ଟପୋ, ନାରାୟଣ ଘୋଷ ଏବଂ ଏକାଧିକ ସ୍ଥାନୀୟ ବାସିନ୍ଦାଙ୍କ ସମାନ ଅଭିଯୋଗ। କିଛି ଅଞ୍ଚଳରେ ପାଣି ଦିଆଯାଉଥିବାବେଳେ ଅନ୍ୟ କିଛି ଅଞ୍ଚଳରେ ପାଣି ଦିଆନଯିବା, ଅସଂପୂର୍ଣ୍ଣ ପାଇପ୍‌ ବିଛା କାମ, ନିର୍ଦ୍ଦିଷ୍ଟ ସମୟରେ ପାଣି ‌ଯୋଗାଇବା ପରିବର୍ତ୍ତେ ହାତଗଣତି ୫ ମିନିଟ୍‌ ପାଇଁ ଦେବା, ବାରମ୍ବାର ଅଭିଯୋଗ ସତ୍ତ୍ବେ ୱାଟ୍‌କୋ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ନ ପଡ଼ିବା ଆଦି ସମସ୍ୟା ସ୍ଥାନୀୟ ଗୋପବନ୍ଧୁପାଲି, ଟିମ୍ବର କଲୋନିରେ ଦୀର୍ଘଦିନ ହେଲା ବଳବତ୍ତର ରହିଛି।

ICICI Life Insurance: ଆଇସିଆଇସିଆଇ ଲାଇଫ୍ ଇନସ୍ୟୁରାନ୍ସ ନୂତନ ବ୍ରାଣ୍ଡ୍‌ ପରିଚୟ ଉନ୍ମୋଚନ

ଏମାନଙ୍କ ଘର ରାଉରକେଲା ମହାନଗର ନିଗମ ପରିସର ଭିତରେ ତଥା ସ୍ମାର୍ଟସିଟି କ୍ଷେତ୍ରରେ ଅବସ୍ଥିତ। କିନ୍ତୁ ଏଠାରେ ପାନୀୟ ଜଳ ଅପହଞ୍ଚ। ବହୁବର୍ଷ ହେଲା ଲାଗିରହିଥିବା ଏହି ସମସ୍ୟା ସମାଧାନ ହେବାର ନାଁ ନେଉନି। ରାଉରକେଲା ମହାନଗର ନିଗମ ୱାର୍ଡ ନଂ ୨୨,୨୩ ଓ ୨୪ ଅନ୍ତର୍ଗତ ଗୋପବନ୍ଧୁପାଲି, ଟିମ୍ବର କଲୋନି ଅଞ୍ଚଳରେ ଛୋଟବଡ଼ ପ୍ରାୟ ୨୦ଟି ବସ୍ତି ରହିଛି। ଏହି ଅଞ୍ଚଳରେ ରହୁଥିବା ପ୍ରାୟ ୫ ହଜାରରୁ ଅଧିକ ଲୋକଙ୍କ ପାଇଁ ପାଇପ୍‌ ପାନୀୟଜଳ ଯୋଗାଣ ଏପର୍ଯ୍ୟନ୍ତ ସମ୍ଭବ ହେଲାନି। ବି‌ଶେଷ କରି ଗୋପବନ୍ଧୁପାଲି, ବିବେକାନନ୍ଦପଲ୍ଲୀ, ରାଜୀବ ବସ୍ତି, ରିମଝିମ ବସ୍ତି, ଉପର ଇନ୍ଦିରା ନଗର ଓ ତଳ ଇନ୍ଦିରା ନଗର ଆଦି ଅଞ୍ଚଳରେ ସ୍ଥିତି ଉଦ୍‌ବେଗଜନକ।

Protest: ବାରିକେଡ୍ ଉପରକୁ ଚଢ଼ିଗଲେ ରାହୁଲ ଗାନ୍ଧୀ, ଅଭିଷେକ ବାନାର୍ଜୀ

ଗୋପବନ୍ଧୁପାଲି ପାହାଡ଼ ତଳେ ଥିବା ଏକ କୂଅ ଆଖପାଖ ଅଞ୍ଚଳର ଶତାଧିକ ପରିବାର ପାଇଁ ଏକମାତ୍ର ଭରସା ପାଲଟିଛି। ଏହାସତ୍ତ୍ବେ ପ୍ରଶାସନ ପକ୍ଷରୁ କୌଣସି ସ୍ଥାୟୀ ପ୍ରତିକାର କରାଯାଉନଥିବାରୁ ସ୍ଥାନୀୟ ଲୋକ ଏବେ ପାଣିମାଫିଆଙ୍କ ଶିକାର ହେଉଛନ୍ତି। ଜଳସଙ୍କଟର ସୁଯୋଗ ନେଇ ଅଞ୍ଚଳର ପ୍ରାୟ ୮ରୁ ୧୦ ଜଣ ବ୍ୟକ୍ତି ନିଜସ୍ୱ ଗଭୀର ନଳକୂପ ମାଧ୍ୟମରେ ବେଆଇନ ଭାବେ ପାଣି ବିକ୍ରି କରୁଛନ୍ତି। ସ୍ଥାନୀୟ ଅଞ୍ଚଳର ଗରିବ ଜନସାଧାରଣ ପାଣି ମାଫିଆଙ୍କଠାରୁ ମାସିକ ୩୦୦ରୁ ୪୦୦ ଟଙ୍କା ଦେଇ ପାଣି କିଣିବାକୁ ବାଧ୍ୟ ହେଉଛନ୍ତି। ଏହି ସମସ୍ୟା ପାଇଁ ସ୍ଥାନୀୟ ବାସିନ୍ଦା ରାଉରକେଲା ମହାନଗର ନିଗମ ଓ ରାଉରକେଲା ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। କୋଟି କୋଟି ଟଙ୍କାର ବଜେଟ ଓ ଆଧୁନିକୀକରଣର ଲୋକଦେଖାଣିଆ ବିକାଶ ମଧ୍ୟରେ ସାଧାରଣ ଜନତାଙ୍କ ମୌଳିକ ଅଧିକାରକୁ ଅଣଦେଖା କରାଯାଉଥିବା କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।