Weather in Odisha: ଓଡ଼ିଶାରେ ଦାଉ ସାଧୁଛି ପାଣିପାଗ: ଆସୁଛି ଦୁଇଟି ଲଘୁଚାପ, ୧୫ ଯାଏଁ ପ୍ରବଳ ବର୍ଷା

Aug 07, 2026 - 03:09
Weather in Odisha: ଓଡ଼ିଶାରେ ଦାଉ ସାଧୁଛି ପାଣିପାଗ: ଆସୁଛି ଦୁଇଟି ଲଘୁଚାପ, ୧୫ ଯାଏଁ ପ୍ରବଳ ବର୍ଷା

"ଭୁବନେଶ୍ବର: ପାଣିପାଗର ଅସ୍ବାଭାବିକ ପରିବର୍ତ୍ତନ ଏବେ ଓଡ଼ିଶା ପାଇଁ ଚିନ୍ତାର କାରଣ ପାଲଟିଛି।

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗମନ ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆକଳନ କରିଥିଲା ଯେ ଜୁନ୍‌ ଓ ଜୁଲାଇ ମାସରେ ଓଡ଼ିଶାରେ ବର୍ଷା କମ୍‌ ରହିପାରେ।

ଉତ୍ତର ଓଡ଼ିଶାରେ କମ୍‌ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବା ନେଇ ଆକଳନ କରାଯାଇଥିଲା।

ହେଲେ ସ୍ଥିତି ସମ୍ପୂର୍ଣ୍ଣ ଓଲଟିଗଲା।

ଲଘୁଚାପ ଓ ଗଭୀର ଅବପାତ ପ୍ରଭାବରେ ଉପକୂଳରୁ ଉପାନ୍ତ ଯାଏଁ ଏମିତି ଢାଳିଲା ଯେ ପ୍ରଳୟଙ୍କରୀ ବନ୍ୟା ସୃଷ୍ଟି ହୋଇଛି।

ଉତ୍ତର ଓଡ଼ିଶାବାସୀ ଏପର୍ଯ୍ୟନ୍ତ ବନ୍ୟା ଦାଉରୁ ମୁକୁଳି ନ ଥିବା ବେଳେ ପଛକୁ ପଛ ଦୁଇଟି ଲଘୁଚାପ ଆସୁଛି।

ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଉପରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।

ଆଗକୁ ଏହା ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇପାରେ, ଯାହାର ପ୍ରଭାବ ଉତ୍ତର ଓଡ଼ିଶା ଉପରେ ଅଧିକ ପଡ଼ିବାର ଆଶଙ୍କା ରହିଛି।Advertisment Plantation drive: ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ ପୂର୍ବତନ ସେନାର ଯବାନଙ୍କୁ ସମ୍ବର୍ଦ୍ଧନା ଅଗଷ୍ଟ ୧୨ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆଇଏମ୍‌ଡି ଆକଳନ କରିଛି।

ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ।

ତେବେ ଅଗଷ୍ଟ ତୃତୀୟ ସପ୍ତାହରେ ଏହାର ପ୍ରଭାବ ସାରା ରାଜ୍ୟରେ ଅନୁଭୂତ ହେବ।

ଆସନ୍ତା ଗୋଟିଏ ସପ୍ତାହ ମଧ୍ୟରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ଥିବାରୁ ଓଡ଼ିଶା ଉପରେ ବର୍ଷାର ପ୍ରଭାବ ଲାଗିରହିବ।

ଅଗଷ୍ଟ ମାସର ସର୍ବାଧିକ ବର୍ଷା ଏହି ସମୟ ମଧ୍ୟରେ ହୋଇପାରେ।

Horoscope 2026 August 07: ଜାଣନ୍ତୁ ଆଜିର ରାଶିଫଳ...

ଆଇଏମ୍‌ଡି ତଥ୍ୟ ଅନୁଯାୟୀ ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିଲା।

ମାତ୍ର ଅଗଷ୍ଟରେ ଏପର୍ଯ୍ୟନ୍ତ ଓଡ଼ିଶାରେ ସ୍ବାଭାବିକଠାରୁ ୪୨% ନିଅଣ୍ଟିଆ ବର୍ଷା ହୋଇଛି।

ଏହି ମାସରେ ସ୍ବାଭାବିକ ବର୍ଷା ପରିମାଣ ୩୬୧ ମିମି ରହିଛି, ଯେତେବେଳେ କି ଆଜି ସୁଦ୍ଧା ମାତ୍ର ୪୫.୩ ମିମି ହୋଇଛି।

ସମ୍ପୂର୍ଣ୍ଣ ମୌସୁମୀ ଋତୁ (ଜୁନ୍‌ ୧ରୁ ଅଗଷ୍ଟ ୬ ମଧ୍ୟରେ) କଥା ଦେଖିଲେ ସ୍ବାଭାବିକଠାରୁ ୨୪% ଅଧିକ ବର୍ଷା ହୋଇଛି।

ଏକାଧିକ ଲଘୁଚାପ ସୃଷ୍ଟି ସହ ମୌସୁମୀ ଅଧିକ ସକ୍ରିୟ ରହିବାରୁ ବର୍ଷା ପରିମାଣ ବୃଦ୍ଧି ପାଉଛି।

ଜୁଲାଇରେ ସାଧାରଣତଃ ୬ରୁ ୭ଟି ଲଘୁଚାପ ହେବା କଥା।

ମାତ୍ର ଏଥର ୩ଟି ଲଘୁଚାପ ହୋଇଛି, ଯାହାର ପ୍ରଭାବ ୧୩ ଦିନ ଧରି ରହିଥିଲା।

କେବଳ ଗୋଟିଏ ଲଘୁଚାପର ପ୍ରଭାବ ସର୍ବାଧିକ ୬ ଦିନ ରହିଥିବାରୁ ବର୍ଷା ପରିମାଣ ବୃଦ୍ଧି ପାଇଥିଲା।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ବାଲେଶ୍ବର, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବାରୁ ଯଥାକ୍ରମେ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି।

ଶନିବାର ଓ ରବିବାର କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।

ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ୧୦୭.୯ ମିମି ବର୍ଷା ହୋଇଥିବା ବେଳେ ଯାଜପୁରର ଜେନାପୁରଠାରେ ୧୦୬.୮, କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇଠାରେ ୧୦୦, କଟକର ମାହାଙ୍ଗାରେ ୯୨, ନିଶ୍ଚିନ୍ତକୋଇଲିରେ ୮୨ ଓ କଣ୍ଟାପଡ଼ାରେ ୮୧ ମିମି ବର୍ଷା ରେକର୍ଡ କରାଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।