Why are elephants leaving forests for villages: ଜଙ୍ଗଲ ଛାଡ଼ି ଗାଁରେ ଗଜରାଜ, ମଣିଷଙ୍କ ଭଳି ହାତୀଙ୍କ ବଦଳୁଛି କି ଖାଦ୍ୟ ରୁଚି?
ରକ୍ତମୁଖା ଗୋଠଛଡ଼ା ଦନ୍ତା। ରାସ୍ତାରେ ଖାଦ୍ୟ ଖୋଜୁଛି, ଗାଡ଼ି ଦେଖିଲେ ଗୋଡ଼ାଉଛି। ଏଦୃଶ୍ୟ ଦେଖନ୍ତୁ (କୋଇଡ଼ା ରେଙ୍ଗାଲବେଢ଼ା ଦୃଶ୍ୟ) ଘର ଭିତରୁ ଶୁଣ୍ଢରେ ଚାଉଳ ବସ୍ତା ଉଠାଇ ନେଉଛି ହାତୀ। ଦୁଇଟି ଦୃଶ୍ୟରେ ଦେଖିବାକୁ ମିଳୁଛି ଜଙ୍ଗଲର ରାଜା ଆଜି କିଭଳି ମଣିଷ ଗହଳି ଭିତରେ ଅସ୍ତବ୍ୟସ୍ତ। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ରେଞ୍ଜ ରୁଷିବେଣୁଆରେ ଗୋଠଛଡ଼ା ଦନ୍ତା ଖାଦ୍ୟ ଖୋଜୁଛି, ଗାଡ଼ି ଭାଙ୍ଗୁଛି। ସେହିପରି ରେଙ୍ଗାଲବେଢ଼ାରେ ଦିନ ଦିପହରେ ଗାଁ ଦାଣ୍ଡରେ ବୁଲୁଛି ହାତୀ। ଘରେ ପଶି ଶୁଣ୍ଢରେ ଚାଉଳ ବସ୍ତା ଉଠାଇ ନେଉଛି। ଯେଉଁ ଜଙ୍ଗଲରେ ତାର ପିଢ଼ି ପିଢ଼ି କଟିଛି, ଆଜି ସେହି ହାତୀ ମଣିଷର ଘରେ ଖୋଜୁଛି ଖାଦ୍ୟ। ଏପଟେ ହାତୀ-ମଣିଷ ସଂଘର୍ଷ ଭିତରେ ମଣିଷର ବେପରୁଆ ଆଚରଣ ହାତୀଙ୍କୁ ଅତିଷ୍ଟ କରୁଛି। ହାତୀ ଗାଁକୁ ଆସିଲେ କିଛି ଲୋକ ମୋବାଇଲ ଧରି ପଛେ ପଛେ ଦୌଡୁଛନ୍ତି। ଏଭଳି ବେପରୁଆ ବ୍ୟବହାର ମଣିଷ ପାଇଁ ବିପଦ ବଢ଼ାଉଛି।
କାହିଁକି ଗାଁମୁହାଁ ହେଉଛି ହାତୀ ? କେବଳ ଜଙ୍ଗଲରେ ଖାଦ୍ୟ ଅଭାବ ପାଇଁ ନୁହେଁ, ବଦଳୁଛି ହାତୀର ଖାଦ୍ୟ ପସନ୍ଦ। ସେଥିପାଇଁ ସେମାନେ ଜଙ୍ଗଲ ଛାଡ଼ି ବସତି ମୁହାଁ ହେଉଛନ୍ତି। ଆଉ ସେହି ବଦଳୁଥିବା ପସନ୍ଦ ହିଁ ବଢ଼ାଉଛି ହାତୀ-ମଣିଷ ସଂଘର୍ଷ। ବନ ବିଭାଗର ସୂଚନା ଅନୁସାରେ, ଜଙ୍ଗଲର ପ୍ରାକୃତିକ ଖାଦ୍ୟ ଅପେକ୍ଷା ଗାଁର ଧାନ, ଆମ୍ବ, ପଣସ, ବିଭିନ୍ନ ପ୍ରକାର ଫଳ ହାତୀଙ୍କୁ ଅଧିକ ଆକୃଷ୍ଟ କରୁଛି। ସେହିପରି ବିଲରେ ଧାନ ତଳି ହେଉ କି ପନିପରିବା ଚାଷ ସେମାନଙ୍କୁ ଜନବସତି ମୁହାଁ କରୁଛି। କେନ୍ଦୁଝରର ୨୬ଟିକିଆ ହାତୀପଲ ଉପରେ ହୋଇଥିବା ଅଧ୍ୟୟନ ମଧ୍ୟ ଏହି ବଦଳୁଥିବା ଚିତ୍ରକୁ ସାମ୍ନାକୁ ଆଣିଛି। ଅର୍ଥାତ୍, ଜଙ୍ଗଲରେ ଖାଦ୍ୟ ନାହିଁ ବୋଲି ନୁହେଁ, ସହଜରେ ମିଳୁଥିବା ଆହାର ପାଇଁ ହାତୀ ମାଡ଼ି ଆସୁଛନ୍ତି ଗାଁ ଗଣ୍ଡାକୁ। କେନ୍ଦୁଝର ଡିଏଫଓ କହିଛନ୍ତି, ମଣିଷ ଭଳି ହାତୀଙ୍କର ଟେଷ୍ଟରେ କିଛି ପରିବରତ୍ତନ ଆସୁଛି। ହାତୀଙ୍କର ବ୍ୟବହାର ପରିବର୍ତ୍ତନ ପାଇଁ ସେମାନଙ୍କୁ ଗାଁରୁ ଦୂରେଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛି।
ସେପେଟେ ଜଙ୍ଗଲରେ ହାତୀଙ୍କ ଖାଦ୍ୟ ଓ ପାଣି ଉପଲବ୍ଧତା ବଢ଼ାଇବା ଉପରେ ବିଶ୍ୱ ହାତୀ ଦିବସରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଗୁରୁତ୍ବ ଦିଆଯାଇଛି। ହାତୀଙ୍କ ପାଇଁ ଜଙ୍ଗଲରେ ଆମ୍ବ, ପଣସ ଓ ବାଉଁଶ ଭଳି ଖାଦ୍ୟ ଉପଯୋଗୀ ଗଛ ରୋପଣର ବ୍ୟବସ୍ଥା କରାଯିବା ଉପରେ ଜୋର ଦିଆଯାଇଛି। ରାଜ୍ୟର ୧୪ଟି ହାତୀ କରିଡର୍ ନେଇ ମଧ୍ୟ ଆଗାମୀ ଦିନରେ ନିଷ୍ପତ୍ତି ନିଆଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି।
ତେବେ ହାତୀ-ମଣିଷର ସଂଘର୍ଷର ସମାଧାନ କ’ଣ ? ଜଙ୍ଗଲ ହାତୀର ଘର, ହାତୀ କରିଡର୍ ତାର ଚଲାପଥ। ଆଉ ନିରାପଦ ଜଙ୍ଗଲ ତାର ଅଧିକାର। ଯେତେବେଳେ ତା ଘର ଅସୁରକ୍ଷିତ ହେଉଛି, ସେତେବେଳେ ଆମ ଘର ଆଡ଼କୁ ଆସେ। ତେଣୁ ହାତୀକୁ ଜଙ୍ଗଲକୁ ଫେରାଇବାକୁ ହେଲେ, ପ୍ରଥମେ ସେମାନଙ୍କ ପାଇଁ ଜଙ୍ଗଲକୁ ସୁରକ୍ଷିତ କରିବାକୁ ପଡ଼ିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।