Why Silver Price Falling Before Dhanteras: ଧନତେରସ୍ ପୂର୍ବରୁ ରୁପା ଦରରେ ଭୂକମ୍ପ, ସୁନାଠାରୁ ତିନିଗୁଣ ଅଧିକ କମିଲା

Oct 27, 2026 - 16:59
Why Silver Price Falling Before Dhanteras: ଧନତେରସ୍ ପୂର୍ବରୁ ରୁପା ଦରରେ ଭୂକମ୍ପ, ସୁନାଠାରୁ ତିନିଗୁଣ ଅଧିକ କମିଲା

ଧନତେରସ୍ ପୂର୍ବରୁ ସୁନା ଓ ରୁପା ବଜାରରେ ବଡ଼ ହଲଚଲ୍‌ ।

କିନ୍ତୁ ସୁନା ତୁଳନାରେ ରୁପା ଦର ଅଧିକ ମାତ୍ରାରେ ଖସିବାରେ ଲାଗିଛି।

ଜାନୁଆରୀରେ ରେକର୍ଡ ସ୍ତର ଛୁଇଁଥିବା ରୁପା ଦର ଏବେ ଅଧାରୁ ଅଧିକ ଖସିଛି ।

ଭାରତରେ ଗତ ସପ୍ତାହରେ ରୁପା କିଲୋଗ୍ରାମ୍ ପିଛା ୨ ଲକ୍ଷ ଟଙ୍କା ତଳକୁ ଖସିଥିବା ବେଳେ, ଏହା ଧନତେରସ୍‌ରେ ଗ୍ରାହକଙ୍କ ପାଇଁ ବଡ଼ ସୁଯୋଗ ନା ନିବେଶକଙ୍କ ପାଇଁ ବିପଦ, ତାକୁ ନେଇ ଚର୍ଚ୍ଚା ।

Advertisment ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍‌ର ତଥ୍ୟ ଅନୁସାରେ, ଅକ୍ଟୋବର ୨୬ରେ ୯୯୯ ଶୁଦ୍ଧତାର ରୁପା ଦର କିଲୋଗ୍ରାମ୍ ପିଛା ୧ ଲକ୍ଷ ୯୪ ହଜାର ୪୭୯ ଟଙ୍କା ରହିଛି ।

ସେପ୍ଟେମ୍ବର ଶେଷ ତୁଳନାରେ ଦର ୧୧.୮ ପ୍ରତିଶତ ହ୍ରାସ ପାଇଛି ।

ଅନ୍ୟପଟେ ସମାନ ସମୟରେ ସୁନା ଦର ମାତ୍ର ୪.୨ ପ୍ରତିଶତ ଖସିଛି ।

ଅର୍ଥାତ୍‌, ସୁନା ତୁଳନାରେ ପ୍ରାୟ ତିନିଗୁଣ ଦ୍ରୁତ ଗତିରେ ଖସୁଛି ରୁପା ।

ଏହି ଦର ହ୍ରାସ ପଛରେ ରହିଛି ଆମେରିକାର ମୁଦ୍ରାସ୍ଫୀତି, ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ସୁଧହାର ବଢ଼ିବାର ଆଶଙ୍କା ।

ତୈଳ ଦର ବଢ଼ିବାରୁ ଆମେରିକାରେ ମୁଦ୍ରାସ୍ଫୀତି ବଢ଼ିଛି ।

ଫଳରେ ଆମେରିକାର ଫେଡେରାଲ୍ ରିଜର୍ଭ ସୁଧହାର ବଢ଼ାଇପାରେ ବୋଲି ଆଶଙ୍କା କରାଯାଉଛି ।

ସୁଧ ଦେଉନଥିବା ସୁନା ଓ ରୁପା ଅପେକ୍ଷା ଅଧିକ ରିଟର୍ଣ୍ଣ ଦେଉଥିବା ନିବେଶ ଆଡ଼କୁ ନିବେଶକ ମୁହାଁଇଲେ, ଏହି ଧାତୁର ଦର ଉପରେ ଚାପ ପଡ଼ିଥାଏ ।

Advertisment ତେବେ ରୁପା ଦର ଅଧିକ ଖସିବାର ଆଉ ତିନୋଟି ବଡ଼ କାରଣ ରହିଛି ।

ପ୍ରଥମତଃ, ରୁପାର ବ୍ୟବହାର କେବଳ ଅଳଙ୍କାର କିମ୍ବା ନିବେଶରେ ସୀମିତ ନୁହେଁ ।

ସୌର ପ୍ୟାନେଲ୍ ଓ ବିଭିନ୍ନ ଶିଳ୍ପରେ ଏହାର ବ୍ୟବହାର ହୁଏ ।

ଦ୍ୱିତୀୟତଃ, ଖର୍ଚ୍ଚ କମାଇବାକୁ ସୌର ପ୍ୟାନେଲ୍ ନିର୍ମାତାମାନେ ରୁପାର ବ୍ୟବହାର କମାଉଛନ୍ତି ।

ତୃତୀୟତଃ, ସୁନା ତୁଳନାରେ ରୁପା ବଜାରରେ ଅଧିକ ଅସ୍ଥିରତା ରହିଥାଏ ।

ତେଣୁ ଦର ବଢ଼ିବା ବେଳେ ଯେପରି ଦ୍ରୁତ ଗତିରେ ବଢ଼େ, ଖସିବା ବେଳେ ମଧ୍ୟ ସେହିପରି ଦ୍ରୁତ ଗତିରେ ଖସିପାରେ ।

ଏବେ ପ୍ରଶ୍ନ, ଧନତେରସ୍‌ରେ ରୁପା କିଣିବେ କି ସୁନା?

ଚଳିତ ବର୍ଷ ନଭେମ୍ବର ୬ରେ ଧନତେରସ୍ ପଡ଼ୁଥିବା ବେଳେ, ତା'ପୂର୍ବରୁ ଆମେରିକାର ଫେଡେରାଲ୍ ରିଜର୍ଭର ସୁଧହାର ନିଷ୍ପତ୍ତି ଉପରେ ବଜାରର ନଜର ରହିଛି ।

ସୁଧହାର ବଢ଼ିଲେ ରୁପା ଦର ଉପରେ ଅଧିକ ଚାପ ପଡ଼ିପାରେ ।

ଅନ୍ୟପଟେ, ସୁଧହାର ନ ବଢ଼ିଲେ ବଜାରକୁ କିଛି ଆଶ୍ୱସ୍ତି ମିଳିପାରେ ।

ରୂପା ଦର ଖସିଥିବାରୁ ଏକ ନିର୍ଦ୍ଦିଷ୍ଟ ବଜେଟ୍‌ରେ ଗ୍ରାହକ ଅଧିକ ରୁପା କିଣିପାରିବେ ।

କିନ୍ତୁ ଆଗକୁ ଦର ଆହୁରି ଖସିବ ନା ବଢ଼ିବ, ତାହା ନିଶ୍ଚିତ ନୁହେଁ ।

ପରମ୍ପରା ପାଇଁ ମୁଦ୍ରା କିମ୍ବା ବାସନ କିଣୁଥିବା ଗ୍ରାହକଙ୍କ ନିଷ୍ପତ୍ତି ଅଲଗା ହୋଇପାରେ ।

ହେଲେ ନିବେଶ ଉଦ୍ଦେଶ୍ୟରେ କିଣୁଥିବା ଲୋକେ ଦରର ଅସ୍ଥିରତାକୁ ନଜରରେ ରଖିବା ଜରୁରୀ ।

ତେଣୁ ଧନତେରସ୍‌ରେ ରୁପା କିଣିବା ପୂର୍ବରୁ କେବଳ ଶସ୍ତା ଦର ନୁହେଁ, ଆଗକୁ ଥିବା ବଜାର ବିପଦକୁ ମଧ୍ୟ ବୁଝିବା ଆବଶ୍ୟକ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।