Will Rohit Play 2027 World Cup: ୨୦୨୭ ବିଶ୍ୱକପ୍ ଖେଳିବେ କି ରୋହିତ? ବିସିସିଆଇ ଦେଲା ବଡ ବୟାନ
ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚାରେ ଫୁଲ୍ଷ୍ଟପ୍ ଲଗାଇଲା ବିସିସିଆଇ। ଭାରତୀୟ ଦଳର ପୂର୍ବତନ ଅଧିନାୟକ ରୋହିତଙ୍କ ଓଡିଆଇ ଭବିଷ୍ୟତକୁ ନେଇ ଅନେକ ଦିନ ଧରି ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ବିସିସିଆଇ ସଚିବ ଦେବଜିତ ସାଇକିଆ। ସେ କହିଛନ୍ତି, ରୋହିତ ଏବେ ମଧ୍ୟ ଦମଦାର ପ୍ରଦର୍ଶନ କରୁଛନ୍ତି ଏବଂ ଅଯଥା ଚର୍ଚ୍ଚାକୁ ଖୋରାକ ନ ଦେବା ଉଚିତ।
ମୁମ୍ବାଇରେ ଗୁରୁବାର ବିସିସିଆଇର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ସାଇକିଆ କହିଛନ୍ତି, ରୋହିତ ପ୍ରତି ମ୍ୟାଚ୍ରେ ଭଲ ଖେଳୁଛନ୍ତି। ଶେଷ ମ୍ୟାଚ୍ରେ ସେ ୧୩୦ ରନ୍ କରିଛନ୍ତି, ତେବେ ଆଉ କ'ଣ ଦରକାର? ତାଙ୍କୁ ନେଇ କାହିଁକି ଏତେ ଚର୍ଚ୍ଚା? ତେଣୁ ରୋହିତଙ୍କ ତୁରନ୍ତ ଦଳରୁ ବାଦ୍ ପଡ଼ିବା କିମ୍ବା ଅବସର ନେବାର ଖବରକୁ ବିସିସିଆଇ ଗୁରୁତ୍ୱ ଦେଉନଥିବା ସ୍ପଷ୍ଟ ହୋଇଛି।
ଏହି ସମୀକ୍ଷା ବୈଠକରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର, ଦିନିକିଆ ଅଧିନାୟକ ଶୁଭମନ ଗିଲ୍, ଟି-୨୦ ଅଧିନାୟକ ଶ୍ରେୟସ ଆୟର, ବିସିସିଆଇ ସଭାପତି ମିଥୁନ ମନହାସ ଓ ସଚିବ ଦେବଜିତ ସାଇକିଆ ଉପସ୍ଥିତ ଥିଲେ। ତେବେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବୈଠକରେ ସାମିଲ ହୋଇନଥିଲେ।
ସାଇକିଆ ସ୍ପଷ୍ଟ କରିଛନ୍ତି ଯେ, ଏହା କୌଣସି ଚୟନ ବୈଠକ ନଥିଲା। ଭାରତୀୟ ଦଳର ସମ୍ପ୍ରତି ପ୍ରଦର୍ଶନ ଓ ଆଗାମୀ ଏକ ବର୍ଷର ରୋଡମ୍ୟାପ୍ ନେଇ ଆଲୋଚନା ହୋଇଥିଲା। ୨୦୨୭ ବିଶ୍ୱକପ୍କୁ ଆଖି ଆଗରେ ରଖି ଭାରତୀୟ ଦଳର ଭବିଷ୍ୟତ ପ୍ରସ୍ତୁତି ନେଇ ଯୋଜନା ପ୍ରସ୍ତୁତ କରାଯାଇଛି।
୩୯ ବର୍ଷୀୟ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ଗତ କିଛି ମାସ ହେଲା ଜୋରଦାର ଚର୍ଚ୍ଚା ଚାଲିଛି। ୨୦୨୭ ଓଡିଆଇ ବିଶ୍ୱକପ୍ ବେଳକୁ ତାଙ୍କୁ ୪୦ ବର୍ଷ ହୋଇଥିବାରୁ ତାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠୁଛି। କିଛି ରିପୋର୍ଟରେ ଚୟନ କମିଟି ରୋହିତଙ୍କୁ ଦିନିକିଆ କ୍ରିକେଟରୁ ଆଗକୁ ନ ବଢ଼ିବା ସମ୍ପର୍କରେ ସଙ୍କେତ ଦେଇଥିବା ଦାବି ମଧ୍ୟ କରାଯାଇଥିଲା।
ତେବେ ଚର୍ଚ୍ଚା ଯେତେବେଳେ ବଢ଼ିଛି, ରୋହିତ ଅନେକ ସମୟରେ ବ୍ୟାଟ୍ରେ ଜବାବ ଦେଇଛନ୍ତି। ଇଂଲଣ୍ଡ ଗସ୍ତ ସମୟରେ ଲର୍ଡସରେ ତାଙ୍କ ଶେଷ ମ୍ୟାଚ୍ ହୋଇପାରେ ବୋଲି ଚର୍ଚ୍ଚା ହୋଇଥିଲା। କିନ୍ତୁ ରୋହିତ ଶତକ ହାସଲ କରି ପୁଣିଥରେ ନିଜ କ୍ଷମତାର ପ୍ରମାଣ ଦେଇଥିଲେ।
ତେବେ ୨୦୨୭ ବିଶ୍ୱକପ୍କୁ ନଜରରେ ରଖି ଭାରତ ଭବିଷ୍ୟତ ପାଇଁ ନୂଆ ଓପନରଙ୍କୁ ମଧ୍ୟ ପ୍ରସ୍ତୁତ କରିବ। ଯଶସ୍ୱୀ ଜୟସ୍ୱାଲଙ୍କ ସମେତ ଅନ୍ୟ ଯୁବ ଖେଳାଳିଙ୍କୁ ନେଇ ଚୟନକର୍ତ୍ତାମାନେ ନଜର ରଖିବେ। କିନ୍ତୁ ଏବେ ପାଇଁ ରୋହିତ ଶର୍ମାଙ୍କ ଅବସର ଚର୍ଚ୍ଚାକୁ ଖୋରାକ ନ ଦେବାକୁ ବିସିସିଆଇର ସ୍ପଷ୍ଟ ସନ୍ଦେଶ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।