Woman Dies After Surgery: ହସ୍ପିଟାଲରେ ନଥିଲେ ଡାକ୍ତର, ନର୍ସିଂ ଛାତ୍ର କଲେ ଅପରେସନ୍; ଚାଲିଗଲା ମହିଳାଙ୍କ ଜୀବନ
ଡାକ୍ତରଙ୍କ ବଦଳରେ B.Sc. ନର୍ସିଂ ଛାତ୍ର କଲେ ଅପରେସନ୍। ଅପରେସନ୍ ପରେ ଚାଲିଗଲା ମହିଳାଙ୍କ ଜୀବନ। ଏଭଳି ଏକ ସାଂଘାତିକ ଅବହେଳାର ଅଭିଯୋଗ ଆସିଛି ଉତ୍ତରପ୍ରଦେଶର ଚନ୍ଦୌଲି ଜିଲ୍ଲାରୁ। ଘଟଣା ପରେ ପୋଲିସ ହସ୍ପିଟାଲ ମ୍ୟାନେଜରଙ୍କୁ ଗିରଫ କରିଥିବା ବେଳେ ହସ୍ପିଟାଲର ପଞ୍ଜୀକରଣ ମଧ୍ୟ ବାତିଲ କରାଯାଇଛି।
ଚନ୍ଦୌଲି ଜିଲ୍ଲା ଧନାପୁର ଥାନା ଅଧୀନ ମହରୈୟା ଗାଁରେ ଥିବା ଇନ୍ଦ୍ରା ହସ୍ପିଟାଲରୁ ସାମ୍ନାକୁ ଆସିଛି ଏହି ଚାଞ୍ଚଲ୍ୟକର ଘଟଣା। ପୋଲିସ ଅନୁସାରେ, ଲଖାଇୟପୁର ଗାଁର ସୁମନ ନାମକ ଜଣେ ମହିଳାଙ୍କୁ ଗର୍ଭାଶୟ ସମ୍ବନ୍ଧୀୟ ଅପରେସନ୍ ପାଇଁ ଅଗଷ୍ଟ ୧୮ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଅଭିଯୋଗ ଅନୁସାରେ, ହସ୍ପିଟାଲର ମ୍ୟାନେଜର ୨୪ ବର୍ଷୀୟ ଇନ୍ଦ୍ରଜିତ ପ୍ରଜାପତି ସାଧାରଣତଃ ଡାକ୍ତରଙ୍କୁ ଡାକି ରୋଗୀଙ୍କ ଚିକିତ୍ସା ଓ ଅପରେସନ୍ କରାଉଥିଲେ। କିନ୍ତୁ ସୁମନଙ୍କ ଅପରେସନ୍ ଦିନ କୌଣସି ଡାକ୍ତର ହସ୍ପିଟାଲରେ ପହଞ୍ଚିନଥିଲେ। ଏହାପରେ ଅଭିଯୋଗ ଅନୁଯାୟୀ, ଇନ୍ଦ୍ରଜିତ ନିଜେ ଅପରେସନ୍ କରିଥିଲେ।
ଅପରେସନ୍ ପରେ ସୁମନଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଗୁରୁତର ହୋଇପଡ଼ିଥିଲା। ଶେଷରେ ସେହି ରାତିରେ ହିଁ ତାଙ୍କର ମୃତ୍ୟୁ ହୋଇଛି।
ଅପରେସନ୍ରେ ଭୁଲ୍, କିଡ୍ନିରେ ଲାଗିଥିଲା ଆଘାତ
ମହିଳାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଧନାପୁର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ମୁଖ୍ୟ ଚିକିତ୍ସା ଅଧିକାରୀ (CMO)ଙ୍କ ତଦନ୍ତ ରିପୋର୍ଟ ମାଗିଥିଲା।
ତଦନ୍ତରେ ଅପରେସନ୍ ସମୟରେ ଭୁଲ୍ ରକ୍ତନଳୀ କଟିଯାଇଥିବା ଏବଂ ଏଥିଯୋଗୁଁ ସୁମନଙ୍କ କିଡ୍ନି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଥିବା ପୋଲିସ କହିଛି। ଏହାର ପରିଣାମରେ ମହିଳାଙ୍କ ମୃତ୍ୟୁ ଘଟିଥିବା ତଦନ୍ତରୁ ସାମ୍ନାକୁ ଆସିଛି।
ନା ଥିଲା ଡାକ୍ତର, ନା ପାରାମେଡିକାଲ୍ ଷ୍ଟାଫ୍
CMOଙ୍କ ତଦନ୍ତରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଇନ୍ଦ୍ରଜିତ ପ୍ରଜାପତି ଜଣେ B.Sc. ନର୍ସିଂ ଛାତ୍ର ହୋଇଥିବା ବେଳେ ଡାକ୍ତର ଭାବେ ଚିକିତ୍ସା କରିବା ପାଇଁ ତାଙ୍କ ପାଖରେ ଆବଶ୍ୟକ ଡିଗ୍ରୀ କିମ୍ବା ଡିପ୍ଲୋମା ନଥିବା ଜଣାପଡ଼ିଛି।
ତଦନ୍ତ ସମୟରେ ହସ୍ପିଟାଲରେ ଡାକ୍ତର କିମ୍ବା ଆବଶ୍ୟକ ପାରାମେଡିକାଲ୍ କର୍ମଚାରୀ ନଥିବା ମଧ୍ୟ ଜଣାପଡ଼ିଛି। ଏହାସତ୍ତ୍ୱେ ଇନ୍ଦ୍ରଜିତ ନିଜେ ରୋଗୀଙ୍କ ଚିକିତ୍ସା କରୁଥିବା ଅଭିଯୋଗ ହୋଇଛି।
ପୋଲିସର ପଚରାଉଚରାରେ ଇନ୍ଦ୍ରଜିତ ନିଜକୁ ହସ୍ପିଟାଲର ମ୍ୟାନେଜର ବୋଲି କହିବା ସହ ଘଟଣା ଦିନ ଡାକ୍ତର ନଆସିବାରୁ ସେ ନିଜେ ଅପରେସନ୍ କରିଥିବା ସ୍ୱୀକାର କରିଥିବା ପୋଲିସ କହିଛି।
ହସ୍ପିଟାଲର ପଞ୍ଜୀକରଣ ବାତିଲ୍, ସିଲ୍ ପାଇଁ ସୁପାରିସ
ମୃତକଙ୍କ ପରିବାରର ଅଭିଯୋଗ ଏବଂ CMOଙ୍କ ରିପୋର୍ଟ ଆଧାରରେ ଇନ୍ଦ୍ରଜିତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୦୫ ଅନୁଯାୟୀ ମାମଲା ରୁଜୁ ହୋଇଛି। ପୋଲିସ ତାଙ୍କୁ ଗିରଫ କରି ଜେଲ୍ ପଠାଇଛି।
ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗ ଇନ୍ଦ୍ରା ହସ୍ପିଟାଲର ପଞ୍ଜୀକରଣ ବାତିଲ କରିଛି। ତଦନ୍ତ ପରେ ହସ୍ପିଟାଲକୁ ସିଲ୍ କରିବାକୁ ମଧ୍ୟ ସୁପାରିସ କରାଯାଇଛି।
ଏହି ଘଟଣା ପରେ ବିନା ଯୋଗ୍ୟତାରେ ଚିକିତ୍ସା କରୁଥିବା ଏବଂ ହସ୍ପିଟାଲରେ ଆବଶ୍ୟକ ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫ୍ ନଥିବା ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।