Woman Harassed At Bihar Tourist Spot: ବିହାର ପର୍ଯ୍ୟଟନସ୍ଥଳୀରେ ମହିଳାଙ୍କୁ ଅସଦାଚରଣ, ୬ ଜଣଙ୍କ ବିରୋଧରେ ମାମଲା
ବିହାରର ବାଙ୍କାରେ ପର୍ଯ୍ୟଟନସ୍ଥଳୀ ମନ୍ଦାର ହିଲ୍ରେ ମହିଳାଙ୍କୁ ଅସଦାଚରଣ ଓ ମାଡ଼ ଅଭିଯୋଗ । ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ୬ ଜଣ ଅଜଣା ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ ।
ପୋଲିସ ସୂଚନା ଅନୁସାରେ, ଭାଇରାଲ୍ ଭିଡିଓରେ କିଛି ଯୁବକ ମହିଳାଙ୍କ ସହ ଅଶ୍ଳୀଳ ବ୍ୟବହାର କରିବା ସହ ତାଙ୍କୁ ଚପଲରେ ମାଡ଼ ମାରୁଥିବା ଦେଖାଯାଉଛି । ଭିଡିଓରେ ଥିବା ଟାଇମ୍ଷ୍ଟାମ୍ପ ଅନୁସାରେ ଘଟଣାଟି ସେପ୍ଟେମ୍ବର ୩ର ବୋଲି ଜଣାପଡ଼ିଛି । ସେପ୍ଟେମ୍ବର ୨୨ରେ ପୋଲିସର ସୋସିଆଲ୍ ମିଡିଆ ସେଲ୍ ମାଧ୍ୟମରେ ଏହି ଭିଡିଓ ପୋଲିସ ନଜରକୁ ଆସିଥିଲା ।
ଭିଡିଓର ସତ୍ୟତା ଯାଞ୍ଚ ପାଇଁ ପୋଲିସ ଟିମ୍ ମନ୍ଦାର ହିଲ୍ରେ ପହଞ୍ଚିଥିଲା । ଭିଡିଓରେ ଦେଖାଯାଉଥିବା ସ୍ଥାନଟି ମନ୍ଦାର ହିଲ୍ ହିଁ ବୋଲି ଯାଞ୍ଚରୁ ନିଶ୍ଚିତ ହୋଇଥିବା ପୋଲିସ କହିଛି । ଏହାପରେ ସ୍ଥାନୀୟ ବାସିନ୍ଦା ଓ ଦୋକାନୀଙ୍କୁ ପଚରାଉଚରା କରି ଭିଡିଓରେ ଥିବା ଯୁବକ ଓ ମହିଳାଙ୍କ ପରିଚୟ ଖୋଜାଯାଉଛି ।
ଏହି ଘଟଣାରେ ପୋଲିସ ନିଜ ଆଡ଼ୁ ଭାରତୀୟ ନ୍ୟାୟ ସଂହିତାର ଧାରା ୭୪, ୭୫, ୭୬ ଓ ୩(୫) ଅଧୀନରେ ମାମଲା ରୁଜୁ କରିଛି । ଏହାସହ ଆଇଟି ଆଇନର ଧାରା ୬୬ଇ ଓ ୬୭ଏ ମଧ୍ୟ ଲାଗୁ କରାଯାଇଛି । ଭାଇରାଲ୍ ଭିଡିଓକୁ ମଧ୍ୟ ପ୍ରମାଣ ଭାବେ ପୋଲିସ ରେକର୍ଡରେ ରଖିଛି । ତଦନ୍ତରୁ ମିଳୁଥିବା ତଥ୍ୟ ଆଧାରରେ ଆଗକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଏହି ଘଟଣାର କିଛି ଦିନ ପୂର୍ବରୁ ବିହାରର ଜମୁଇରେ ମଧ୍ୟ ଜଣେ ନାବାଳକ ଓ ଜଣେ ନାବାଳିକାଙ୍କୁ କିଛି ଯୁବକ ଅଟକାଇ ମାଡ଼ ମାରିବା ଓ ଅସଦାଚରଣ କରିଥିବା ଅଭିଯୋଗ ଆସିଥିଲା । ଏହି ଘଟଣାର ଭିଡିଓ ମଧ୍ୟ ଅଭିଯୁକ୍ତମାନେ ରେକର୍ଡ କରିଥିବା ଏବଂ ପରେ ତାହା ଭାଇରାଲ୍ ହୋଇଥିଲା । ସେପ୍ଟେମ୍ବର ୨୨ରେ ପୋଲିସ ଏହି ମାମଲାର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଥିବା କହିଥିଲା । ଏହାସହ ଜମୁଇ ଘଟଣାରେ ଗିରଫ ସଂଖ୍ୟା ଅତି କମ୍ରେ ୫କୁ ବୃଦ୍ଧି ପାଇଥିଲା, ଯେଉଁଥିରେ ୩ ଜଣ ନାବାଳକ ଥିବା ପୋଲିସ କହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।